ସେପ୍ଟେମ୍ବର ୧୪ରେ ଓସିଏ, ଅକ୍ଟୋବର ୨୨ରେ ବିସିସିଆଇ ନିର୍ବାଚନ

କଟକ,୨୧ା୫ (ବ୍ୟୁରୋ): ବହୁ ବାଦ ବିବାଦ ପରେ ଶେଷରେ ବିସିସିଆଇ ସମେତ ବିଭିନ୍ନ ରାଜ୍ୟ କ୍ରିକେଟ୍ ସଂଘର ନିର୍ବାଚନ ହେବାକୁ ଯାଉଛି । ସେଥିପାଇଁ ତାରିଖ ଘୋଷଣା ହୋଇଛି । ଅକ୍ଟୋବର ୨୨ ତାରିଖରେ ବିସିସିଆଇର ନିର୍ବାଚନ ତାରିଖ ଧାର୍ଯ୍ୟ ହୋଇଥିବାବେଳେ ସେପ୍ଟେମ୍ବର ୧୪ ତାରିଖରେ ରାଜ୍ୟ ସଂଘ ଗୁଡ଼ିକର ନିର୍ବାଚନ ଅନୁଷ୍ଠିତ ହେବ ।
ଓଡ଼ିଶା କ୍ରିକେଟ ଆସୋସିଏସନ୍(ଓସିଏ)ରେ ଦୀର୍ଘ ଦିନ ଧରି ଲାଗି ରହିଥିବା ଅଚଳାବସ୍ଥା ଶେଷରେ ଦୂର ହେବାକୁ ଯାଉଛି । ଅନ୍ୟ ସଂଘ ଗୁଡ଼ିକ ଭଳି ସେପ୍ଟେମ୍ବର ୧୪ରେ ଓସିଏର ନିର୍ବାଚନ ହେବ । ନିର୍ବାଚନ ପାଇଁ ଆସନ୍ତା ଜୁନ୍ ୩୦ ତାରିଖରୁ ପ୍ରକ୍ରିୟା ଆରମ୍ଭ ହେବ ।
ଜଷ୍ଟିସ୍ ଲୋଧା କମିଟି କ୍ରିକେଟ ସଂସ୍କାର କାର୍ଯ୍ୟକାରୀ କରିବାକୁ ନେଇ ଦୀର୍ଘ ଦିନ ଧରି ବିସିସିଆଇ ଏବଂ ତତ୍ଅନୁବନ୍ଧିତ ରାଜ୍ୟ ସଂଘ ଗୁଡିକରେ ଦୀର୍ଘ ଦିନ ଧରି ଅଚଳାବସ୍ଥା ଲାଗି ରହିଥିଲା । ସଂସ୍କାରକୁ ବିରୋଧ କରି ବିସିସିଆଇ ସମେତ ଅନେକ ରାଜ୍ୟ ସଂଘ ଆଇନ୍ର ଆଶ୍ରୟ ନେଇଥିଲେ । କିନ୍ତୁ କୌଣସି ଫଳ ମିଳିଲା ନାହିଁ । ଶେଷରେ ଲୋଧା ସଂସ୍କାର ବଳବତ୍ତର ରହିଲା । ତେବେ ପରିଶେଷରେ କୌଣସି ଉପାୟ ନପାଇ ବିସିସିଆଇ ସମେତ ଅନ୍ୟ ରାଜ୍ୟ ସଂଘ ଗୁଡିକ ସଂସ୍କାର ଆଣିବାକୁ ରାଜି ହୋଇଥିଲେ । ସହମତି ପ୍ରକାଶ କରିବା ପରେ ଏବେ ବିସିସିଆଇ ଏବଂ ଅନ୍ୟ ରାଜ୍ୟ କ୍ରିକେଟ ସଂଘ ଗୁଡିକରେ ନିର୍ବାଚନ କରିବାକୁ ସୁପ୍ରିମକୋର୍ଟଙ୍କ ଦ୍ୱାରା ନିଯୁକ୍ତ ପ୍ରଶାସନିକ କମିଟି ନିଷ୍ପତ୍ତି ନେଇଛନ୍ତି ।
ବିସିସିଆଇ ଦ୍ୱାରା ନିର୍ବାଚନ ଅଧିକାରୀ ନିଯୁକ୍ତ ହେବେ । ନିର୍ବାଚନ ଅଧିକାରୀ ସିଓଏଙ୍କ ସହ ପରାମର୍ଶ କ୍ରମେ ନିର୍ବାଚନୀ ଆଚରଣବିଧି ପ୍ରସ୍ତୁତ କରିବେ । ସେହିପରି ଜୁଲାଇ ୧ତାରିଖ ଦିନ ବିସିସିଆଇ ଅନୁବନ୍ଧିତ ରାଜ୍ୟ ସଂଘ ଗୁଡିକ ସେମାନଙ୍କ ନିର୍ବାଚନ ଅଧିକାରୀ ନିଯୁକ୍ତ କରିବେ । ଅଗଷ୍ଟ ୧୪ତାରିଖରେ ରାଜ୍ୟ ସଂଘର ସଦସ୍ୟ, ନିର୍ବାଚନୀ ଆଚରଣବିଧି ପ୍ରସ୍ତୁତ କରାଯିବ । ଏହାର ଠିକ୍ ମାସେ ପରେ ନିର୍ବାଚନ ଅନୁଷ୍ଠିତ ହେବ । ତେବେ ଏହି ମାସକ ଭିତରେ ପ୍ରାର୍ଥୀ ଚୟନ, ନାମାଙ୍କନ, ପ୍ରତ୍ୟାହାର ଭଳି ବିଭିନ୍ନ କାର୍ଯ୍ୟ କରାଯିବ ।
ତେବେ ଏହି ଆଧାରରେ ଓସିଏରେ ମଧ୍ୟ ଅଗଷ୍ଟ ୧୪ତାରିଖ ଦିନ ନିର୍ବାଚନ ହେବ । ନୂଆ ସମ୍ବିଧାନ ଅନୁଯାୟୀ ମୋଟ୍ ୭୩ଜଣ ଭୋଟର ଭୋଟିଂ ଅଧିକାର ପାଇବେ । ସେମାନଙ୍କ ମଧ୍ୟରେ ୩୧ଟି ଜିଲ୍ଲା ସମେତ ୨୦ଟି କ୍ଲବ୍, ୧୦ଟି ସ୍କୁଲ, ୫ କଲେଜ, ୩ଜଣ ଅନ୍ତର୍ଜାତୀୟ ଖେଳାଳି ଏବଂ ୪ଟି ଅନୁଷ୍ଠାନ ସାମିଲ୍ ରହିଛନ୍ତି । ଅନୁଷ୍ଠାନ ମାନଙ୍କ ମଧ୍ୟରେ କିଟ୍, ପାରାଦୀପ, ରାଉରକେଲା ଏବଂ ରେଲୱେ ଅନ୍ତର୍ଭୁକ୍ତ । ନିର୍ବାଚନୀ ବିଗୁଲ୍ ବାଜିବା ପରେ ଓସିଏ ପୁଣି ଥରେ ଚଳଚଞ୍ଚଳ ହୋଇଯାଇଛି । ଆଶାୟୀଙ୍କ ଭିତରେ ଉତ୍ସାହ ବୃଦ୍ଧି ପାଇଛି । ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥାଟି ହେଲା, ଓସିଏ ନିର୍ବାଚନ ପରେ ପୁନର୍ବାର ସବୁକିଛି ସ୍ୱାଭାବିକ ହେବ ବୋଲି ଆଶା କରାଯାଉଛି । ଗତ ୪ବର୍ଷ ଧରି ବିସିସିଆଇ ଠାରୁ କୌଣସି ଆର୍ଥିକ ସହାୟତା ନପାଇ ଆସୋସିଏସନ୍ ଦୁର୍ବଳ ହୋଇଯାଇଛି । ୪ ବର୍ଷରେ ପ୍ରାୟ ୧୩୦କୋଟି ଟଙ୍କା ପାଇବାରୁ ଆସୋସିଏସନ୍ ଗୁଡ଼ିକ ବଞ୍ଚିତ ହୋଇଛନ୍ତି । ତେଣୁ ନିର୍ବାଚନ ପରେ ଅନ୍ତତଃପକ୍ଷେ ଆର୍ଥିକ କାରବାର ସ୍ୱାଭାବିକ ହେବ ବୋଲି ଆଶା କରାଯାଉଛି ।