ପୁରୀ,୦୬/୧୨: ଶୀତ ପ୍ରକୋପରୁ ବଞ୍ଚିବାପାଇଁ ମହାପ୍ରଭୁଙ୍କ  ‘ଘୋଡ଼ ଲାଗି’ ନୀତି ହେବ । ଆସନ୍ତା ୭ ତାରିଖ ଶନିବାର ମାର୍ଗଶୀର  ମାସ ଶୁକ୍ଳ ଷଷ୍ଠୀ । ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ଓଢ଼ଣଷଷ୍ଠୀ ପର୍ବ । ସେହି  ତିଥିରୁ ଶୀତବସ୍ତ୍ର ପରିଧାନ କରିବେ ଠାକୁରେ । ଶୁକ୍ରବାର ଠାକୁରଙ୍କୁ ଲାଗି ହେବାକୁ ଥିବା ଘୋଡ଼ ଅଧିବାସ ନୀତି  ସମ୍ପାଦନ ହେବ । ଏଣୁ ଶ୍ରୀମନ୍ଦିରର ଦର୍ଜି  ସେବକଙ୍କ ଦ୍ୱାରା ଶୀତବସ୍ତ୍ର ପ୍ରସ୍ତୁତ ସରିଛି ।  

ଚତୁର୍ଦ୍ଧାମୂର୍ତ୍ତିଙ୍କ ପାଇଁ ୪ଟି ଘୋଡ଼ ସହ ଘୋଡ଼ଲାଗି ବେଶ ପାଇଁ ଖଟ ପାଛୋଡ଼ି,  ତୁଳିପଟା, ଥୋଡ଼ ପାହାଡ଼ିଆ, ଫୁଲଛେଦା  ଆଦି ତିଆରି କରାଯାଉଛି । ପତନୀ,  ଗୀତଗୋବିନ୍ଦ ପାଟ ଓ ସୂତାପୁଟାରେ ଠାକୁରଙ୍କ  ନୂତନ ବସ୍ତ୍ର ତିଆରି କରାଯାଉଛି । ଏଥିସହିତ ମଦନମୋହନ, ସୁଦର୍ଶନ,  ଗରୁଡ଼, ପତିତପାବନ, ଗୁଣ୍ଡିଚାମନ୍ଦିରରେ ବିରାଜିତ ନୃସିଂହ ମହାପ୍ରଭୁ,  ସୂର୍ଯ୍ୟଦେବ, ମୁକ୍ତିମଣ୍ଡପ ପାଶ୍ୱର୍ରେ ବିରାଜିତ ନୃସିଂହ ମହାପ୍ରଭୁ, ଦକ୍ଷିଣକାଳୀକା  ଓ କାକୁଡ଼ିଖାଇ ଠାକୁରାଣୀଙ୍କ ପାଇଁ ମଧ୍ୟ ପୋଷାକ ତିଆରି କରାଯାଏ । 

ପଞ୍ଚମୀ ରାତିରେ ଚନ୍ଦନଲାଗି ପରେ ତିନି ଠାକୁରଙ୍କ ପାଇଁ ଘୋଡ଼ ୨୧ଟି ସହିତ  ବିମଳା, ସରସ୍ୱତୀ, ମହାଲକ୍ଷ୍ମୀ ତଥା ମଦନମୋହନଙ୍କ ଘୋଡ଼ ଅଧିବାସ ହୋଇ  ରହିବ । ଷଷ୍ଠୀରେ ଠାକୁରଙ୍କୁ ଘୋଡ଼ ଲାଗି କରାଯାଏ । ମାର୍ଗଶୀର ଶୁକ୍ଳ ଷଷ୍ଠୀଠାରୁ  ବସନ୍ତ ପଞ୍ଚମୀ ପର୍ଯ୍ୟନ୍ତ ମହାପ୍ରଭୁଙ୍କର  ଏହି ଘୋଡ଼ ଲାଗି ନୀତି ସମ୍ପନ୍ନ  ହେବ । ଏଥିସହ ଆଜି ଶ୍ରୀମନ୍ଦିରରେ  ମହାପ୍ରଭୁଙ୍କ ଗୁରୁବାର ମାଜଣା ଓ  ଏକାନ୍ତ ନୀତି ଅନୁଷ୍ଠିତ ହୋଇଥିଲା ।