ଗତ କିଛିଦିନ ହେଲା ଏଇ ଅସ୍ମିତା ଶବ୍ଦଟି ବହୁମାତ୍ରାରେ ବ୍ୟବହାର କରାଯାଉଛି ସଭା ସମିତିରେ । ଖବରକାଗଜରେ ଅସ୍ମିତାର ସଂଜ୍ଞା ନିରୂପଣ କରାଯାଉଛି । ଦେଶର ପ୍ରଧାନମନ୍ତ୍ରୀ ଓ ଅନେକ ନେତା ଏହି ଶବ୍ଦ ବ୍ୟବହାର କରୁଛନ୍ତି । ଯେମିତି ମଧୁସୂଦନ ଦାସଙ୍କ ସମୟରେ ସ୍ୱାଭିମାନ ଶବ୍ଦଟି ଶିକ୍ଷିତ ସମାଜର ମୁହଁରେ ଫୁଟୁଥିଲା । ଆଜିକୁ ଠିକ୍ ୩୦ବର୍ଷ (୧୩ ଡିସେମ୍ବର ୧୯୯୫) ତଳେ ମୋର ସାନଝିଅର ଏକ କନ୍ୟାସନ୍ତାନ ଜନ୍ମ ହୋଇଥିଲା । ନାତୁଣୀର ନାମକରଣ ପାଇଁ ମତେ କୁହାଗଲା । ମୁଁ କହିଥିଲି ‘ଅସ୍ମିତା’ । ମୋର ଜ୍ୱାଇଁ ହସି ପଚାରିଲେ, ମାନେ କ’ଣ- ଯିଏ କେବଳ ହସେନାହିଁ? ମୁଁ ଏବଂ ଆମେ ସମସ୍ତେ ହସିଥିଲୁ । ମୁଁ କହିଲି, ଅସ୍ମିତାର ପରିଭାଷା ହେଲା- ଆତ୍ମପ୍ରତ୍ୟୟର ସ୍ୱାଭିମାନୀ ଉଚ୍ଚାରଣ (ଆଚରଣ ମଧ୍ୟ) । ସେମାନେ କହିଲେ, କେହି ବୁଝିବେ ନାହିଁ, ତଥାପି ‘ଅସ୍ମିତା’ ରଖାଯାଉ । ଅସ୍ମିତା ବର୍ତ୍ତମାନ ଆମେରିକାରେ କାର୍ଯ୍ୟରତ ।

ମୁଁ ଅସ୍ମିତା ଶବ୍ଦର ଏକ ଅଙ୍ଗେ ନିଭାଇଥିବା ଉଦାହରଣ ଦେଉଛି । ୧୯୫୯ ମସିହାରେ ମୁଁ ଏଲାହାବାଦ ବିଶ୍ୱବିଦ୍ୟାଳୟରେ ଏମ.ଏ. ଶ୍ରେଣୀରେ ନାମ ଲେଖାଇ ହଷ୍ଟେଲ ହଲାଣ୍ଡ ହଲ୍ରେ ରହିବାକୁ ସ୍ଥାନ ପାଇଥିଲି । ମୁଁ ବୁଝିଲି ଯେ, ମୋ’ଠାରୁ ବର୍ଷେ ସିନିୟର ପ୍ରଫୁଲ୍ଲ କାନୁନଗୋ ମଧ୍ୟ ଏହି ହଷ୍ଟେଲରେ ଅଛନ୍ତି । ମୁଁ ତାଙ୍କୁ ପଚାରିଲି- ଶୁଣିଲି ଏଠି ବହୁତ ରାଗିଂ ହୁଏ । ସେ ହସି କହିଲେ- ହଁ ହୁଏ । ମୁଁ ଡରିବା ଯୋଗୁଁ ସେ କହିଲେ- ଆଚ୍ଛା ତମେ ଗୀତ ଗାଇପାର? ତେବେ ଆଜି ରାତିରେ ଯଦି ତମର ରାଗିଂ ହୁଏ ମୁଁ ସେଠାକୁ ଯିବି, ଯଦିଓ ମୁଁ କେବେ ଯାଏନାହିଁ । ଦେଖିବା କ’ଣ ହେଉଛି । ସେହି ରାତି ଦୁଇଟାରେ ମତେ ଡକାଗଲା । ମୁଁ ଅସଲ କଥାଟି କହୁଛି । ମତେ ଜଣେ ପଚାରିଲା- You are from Orissa? ମୁଁ କହିଲି- Yes, I am from Orrissa ତାପରେ ପଚାରିଲା- Now tell us, from Bengam came Rabindranath Tagore, from UP Pundit Nehru, from Maharashtra Bal Gangadhar Tilak, from Tamil Nadu came Radhakrishnan. Can you name from Orissa ? ସତ କହିଲେ ମୋ ଦେହରୁ ଝାଳ ବାହାରିଗଲା । ମୁଁ ଧୀରେ କହିଲି ଗୋପବନ୍ଧୁ ଦାଶ । ଜଣେ ମୁଖାଧାରୀ ପିଲା କହିଲା- ବୋଲା, କ୍ୟା ବୋଲା ଗୋପବନ୍ଧୁ ଦାଶ! କୋନ୍ ହୈ ବେ ଶାଲା, କ୍ୟା କିୟା ହୈ ଦେଶ କେ ଲିୟେ? ମୁଁ ଲଜ୍ଜା ଓ ହୀନମନ୍ୟତାରେ ସଢ଼ିଗଲି । ଅବଶ୍ୟ ମୁଁ ଗୀତ ଗାଇ ରାଗିଂ ଯନ୍ତ୍ରଣାରୁ ମୁକ୍ତ ହେଲି । କାରଣ, ମୋର ଗୀତ ଶୁଣି ସେମାନେ କହିଲେ- ଛୋଡ୍ ଦୋ, ଆଚ୍ଛା ଗାତା ହୈ, କାମ୍ ମେ ଆୟେଗା । କିନ୍ତୁ ଆଜି ପର୍ଯ୍ୟନ୍ତ ସେ ଅପମାନ ମତେ ଘାରୁଛି ।

ମୋର ଅପମାନର କାରଣ ମୋର ଅସ୍ମିତାର ଅଭାବବୋଧର ଅପ୍ରକାଶ୍ୟ ଲଜ୍ଜା । ଆମର ମଧୁସୂଦନ ଗୋପବନ୍ଧୁ ଆମ ପାଇଁ ବଡ଼, କିନ୍ତୁ ସର୍ବଭାରତୀୟ ସ୍ତରରେ ତାଙ୍କର ପରିଚୟ ନାହିଁ । ଓଡ଼ିଶାର କୌଣସି ପରିଚୟ ସୃଷ୍ଟି ହୋଇନାହିଁ । କେବଳ ଭଙ୍ଗା କୋଣାର୍କ ଓ ଜଗନ୍ନାଥ ମନ୍ଦିର ନେଇ ଗୋଟିଏ ଜାତିର ବା ରାଜ୍ୟର ଅସ୍ମିତା ସୃଷ୍ଟି ହୋଇପାରେନାହିଁ । ଦେଶ ପାଇଁ କ’ଣ ଅବଦାନ ସେତେବେଳେ ଥିଲା? ସର୍ବଭାରତୀୟ ସ୍ତରରେ ସ୍ୱାଧୀନତା ସଂଗ୍ରାମୀ ବା ମୋଗଲବ୍ରିଟିଶ ବିରୋଧରେ ପ୍ରତିରୋଧ ବା ସଂଗ୍ରାମ, ନା ଧନ ବା ସର୍ବଭାରତୀୟ ଐତିହ୍ୟ ଗର୍ବ ପଣ୍ଡିତ ଗୋପବନ୍ଧୁ ଯେତେ ବଡ଼ ହେଲେ ମଧ୍ୟ ତାଙ୍କର ପରିଚୟ ଓଡ଼ିଶା ଭିତରେ ସୀମିତ ଥିଲା । ତେଣୁ ଓଡ଼ିଆ ଗର୍ବବୋଧର ଭାର ସେଇ କାନ୍ଧରେ ରଖିବା ସମ୍ଭବ ନଥିଲା ।

ମୁଁ ଯେଉଁ ଆତ୍ମପ୍ରତ୍ୟୟର ସ୍ୱାଭିମାନୀ ଉଚ୍ଚାରଣ ଭାବେ ଅସ୍ମିତାକୁ ଦେଖେ ତାର ପରିଭାଷା କ’ଣ? ଯେଉଁ ବ୍ୟକ୍ତି ନିଜ ଉପରେ ଆସ୍ଥା ରଖେନାହିଁ ସେ କଦାପି ସ୍ୱାଭିମାନୀ ହେଇପାରିବନାହିଁ । ମଧୁବାବୁ ଯେଉଁ ସ୍ୱାଭିମାନୀ କଥା କହୁଥିଲେ ତାହା ଏକ ଗର୍ବ ଗୌରବର ଭାଷା ଥିଲା । ସ୍ୱାଭିମାନ ଗୋଟିଏ ଜାତିର ଐତିହାସିକ ଗୌରବ ଉପରେ ପ୍ରତିଷ୍ଠିତ। ସେହି ଭାବେ ପ୍ରତ୍ୟୟ, କେବଳ ଆତ୍ମବିଶ୍ୱାସ ନୁହେଁ । ଏକ ସଗୌରବ ଜାତିର ମୌଳିକ ଚରିତ୍ରର ଦୀପ୍ତି ଆତ୍ମପ୍ରତ୍ୟୟରୁ ହିଁ ସ୍ୱାଭିମାନୀ ଉଚ୍ଚାରଣ, ଅର୍ଥାତ୍ ସଦର୍ପ ବାକ୍ୟ, ସଭ୍ୟ ପରମ୍ପରାର ବାକ୍ୟ ବିନା କୃତ୍ରିମତାରେ ପ୍ରକାଶ ପାଏ । ମୁଁ ଯେତେବେଳେ ଗୋପବନ୍ଧୁ ଦାଶ କହିଲି ମୋ ଭିତରେ ଓଡ଼ିଆ ଜାତିର ଏକ ନିର୍ମାତାର ପ୍ରତ୍ୟୟ ଥିଲା । କିନ୍ତୁ ଅଣଓଡ଼ିଆଙ୍କ ପାଖରେ ହୁଏତ ଗୋପବନ୍ଧୁ ଏକ ଐତିହାସିକ ଭାରତୀୟ ତୋରଣ ନଥିଲେ, ଯେମିତି ଗାନ୍ଧୀ, ବୁଦ୍ଧ ବା ଅଶୋକ । ତେଣୁ ସେମାନେ ତାତ୍ସଲ୍ୟ କଲେ ।

ଓଡ଼ିଆର ଗର୍ବଗୌରବ ଯଦି ଗୋଟିଏ ଜାତିର ଭୌଗୋଳିକ ସୀମା ଭିତରେ ଆବଦ୍ଧ ରହେ ତାହା ସର୍ବଭାରତୀୟ ଅସ୍ମିତା ଭାବେ ହୁଏତ ଗୃହୀତ ହୋଇନପାରେ । ସୀମିତ ଜାତୀୟ ଗର୍ବ ରାଷ୍ଟ୍ରୀୟ ଗର୍ବ ପ୍ରାୟତଃ ହୁଏନାହିଁ । ଯେଉଁ ଜାତି ବିଶ୍ୱକବି ରବୀନ୍ଦ୍ର ନାଥ ସୃଷ୍ଟି କରେ, ସେ ଜାତିର ପରିଚୟ-ଅସ୍ମିତା ଅଲଗା । ଏହି କଥା ପ୍ରମାଣ କରିବା ଲାଗି ମୁଁ ଗୋଟିଏ ଉଦାହରଣ ଦେଉଛି । ବିଂଶ ଶତାବ୍ଦୀ ଆରମ୍ଭରେ ଜଣେ ଫରାସୀ ଲୋକ ତାଙ୍କର ଜାତୀୟତା ବଦଳାଇ ବ୍ରିଟିଶ ନାଗରିକ ହେବାପାଇଁ ଆବେଦନ କଲେ । ଛଅ ମାସ ପରେ ସେ ବ୍ରିଟିଶ ନାଗରିକତା ପାଇଲେ । ତାଙ୍କ ବନ୍ଧୁମାନେ ତାଙ୍କୁ ପଚାରିଲେ- ବ୍ରିଟିଶ ଜାତୀୟତା ପାଇ ଆପଣ କ’ଣ ଲାଭ କଲେ? ସେ ବ୍ୟକ୍ତି ସଗର୍ବରେ କହିଲେ- - My forefathers had won the battle of Waterloo, my nation has produced the greatest poet- Shakespeare. ପ୍ରଶ୍ନକର୍ତ୍ତାମାନେ ଚୁପ୍ ପଡ଼ିଗଲେ । ଏହା ହିଁ ଅସ୍ମିତାର ଅସଲ ପରିଚୟ । ମୁଁ ୧୯୭୫ରେ ଆମେରିକାରେ ଥିବାବେଳେ ଲକ୍ଷ୍ୟ କରିଥିଲି ଯେ, ଭାରତୀୟର ବିଶେଷ ଆଦର ସମ୍ମାନ ନାହିଁ । କିନ୍ତୁ ୨୦୦୦ ମସିହା ପରେ ଧୀରେ ଧୀରେ ଭାରତର ସ୍ୱତନ୍ତ୍ର ପରିଚୟ ସୃଷ୍ଟି ହୋଇଛି । ଏକବିଂଶ ଶତକରେ ଭାରତ ଏକ ହାତପତା ଦେଶ ନୁହେଁ । ଭାରତ ଖାଦ୍ୟ, ଔଷଧ ଏପରିକି ଅସ୍ତ୍ରଶସ୍ତ୍ର ରପ୍ତାନି କରେ । ବିଭିନ୍ନ ଦେଶକୁ ସାହାଯ୍ୟ କରେ ବନ୍ୟା, ଭୂକମ୍ପରେ । କୋଭିଡ ବେଳେ ଶତାଧିକ ରାଜ୍ୟକୁ କୋଭାକସିନ୍ ଦେଇ ଜୀବନ ରକ୍ଷା କରିଛି ଭାରତ । ବିଶ୍ୱର ୪ର୍ଥ ଅର୍ଥବ୍ୟବସ୍ଥା ଭାରତ । ତେଣୁ ଭାରତୀୟର ଅସ୍ମିତା ବର୍ତ୍ତମାନ ଅନେକ ଦେଶକୁ ଲଜ୍ଜିତ କରେ । ଅସ୍ମିତା ଅହଙ୍କାର ନୁହେଁ । ଆଜି ଯଦି ଭାରତ କ୍ରିକେଟ ଚାମ୍ପିଅନ ହେଲା ପରେ ଟ୍ରଫି ନନେଇ ଭାରତ ଫେରିଆସେ, ଭାରତୀୟ ଖେଳାଳି ଓ ବିସିସିଆଇ ଜାଣନ୍ତି ଯେ, ଟ୍ରଫି ତାକୁ ନିଶ୍ଚୟ ମିଳିବ, କେହି ଅଟକାଇ ପାରିବନାହିଁ । ଏହି ଆତ୍ମପ୍ରତ୍ୟୟର ଉଚ୍ଚାରଣ, ଆଚରଣ ହିଁ ଅସ୍ମିତା ।

ମୁଁ ଓଡ଼ିଆ ଭାବେ ଗର୍ବ କରେ । ମୁଁ କହେ ଏହି ଓଡ଼ିଆ ଭୂମି ମହାପ୍ରତାପୀ ମହାବୀର ସମ୍ରାଟ ଅଶୋକ ଏହି ମାଟିରେ ତାଙ୍କ ଚଣ୍ଡମୂର୍ତ୍ତି ବଦଳାଇ ଧର୍ମମୂର୍ତ୍ତି ଧାରଣ କରିଥିଲେ । ମୋର ଶ୍ରୀଜଗନ୍ନାଥ ବିଶ୍ୱ ସଞ୍ଚାଳନର ଦେବତା । ମୋ ଜଗନ୍ନାଥ ମୋର ସାହିତ୍ୟ, ସଂସ୍କୃତି, ବୀରତ୍ୱ ଓ କଳା ପ୍ରଣେତାର ପ୍ରାଣକେନ୍ଦ୍ର । ମୋର ସାରଳା ଦାସ, ଫକୀର ମୋହନ, ସଚ୍ଚି ରାଉତରାୟ ପ୍ରଭୃତି ମୋ ସାହିତ୍ୟରେ ତୁଙ୍ଗ ଶିଖର । କିନ୍ତୁ ଏସବୁ କଥା ଓଡ଼ିଶାର ଭୌଗୋଳିକ ସୀମା ବାହାରେ ପୂର୍ବରୁ କୌଣସି ଶିହରଣ ସୃଷ୍ଟି କରୁନଥିଲା । ୨୦୦୫ରେ ମଧ୍ୟ ଜାତୀୟ ଓ ଅନ୍ତର୍ଜାତୀୟ ଗର୍ବ ଗୌରବ ଓଡ଼ିଆ ଆଉରି ସୃଷ୍ଟି କରିନାହିଁ । ହଁ, ଚାକିରି କ୍ଷେତ୍ରରେ ସବୁ ସର୍ବଭାରତୀୟ ଶିଖର ପଦବିରେ ରହିଛି । କିନ୍ତୁ ଭଗ୍ନ କୋଣାର୍କ, ଜଗନ୍ନାଥଙ୍କୁ ଦେଖାଇ ଆମେ ଓଡ଼ିଆ ଅସ୍ମିତାର ସର୍ବଭାରତୀୟ ବା ବିଶ୍ୱ ପରିଚୟ ସୃଷ୍ଟି କରିପାରିଲୁନାହିଁ ।

ଆଜିର ଭାରତ ସର୍ବଶକ୍ତିମାନ, ବିଶ୍ୱ ନେତୃତ୍ୱର କ୍ରୋଧ, ଅହଙ୍କାରକୁ ଭ୍ରୂକ୍ଷେପ କରେନାହିଁ । ୨୩ ମିନିଟରେ ଶତ୍ରୁ ପାକିସ୍ତାନର ମେରୁଦଣ୍ଡ ଭାଙ୍ଗିଦିଏ । ଏପରି ପରିଚୟ ସୃଷ୍ଟି ନକଲେ ଓଡ଼ିଆ ଅସ୍ମିତାର ଭୌଗୋଳିକ ସୀମା ଆଉରି ଛୋଟ ହେବ । ଯେଉଁ ଜାତି ନୌବାଣିଜ୍ୟରେ ବିଖ୍ୟାତ ଥିଲା, ସେ ଜାତି ଗୋଟିଏ ଛୋଟ ଜାହାଜ, ଅନ୍ତତଃ କୋଷ୍ଟଗାର୍ଡ ଜାହାଜ ସୃଷ୍ଟି କରିପାରେନାହିଁ । ନବୀନ କୁମାର ସେନ (ଐତିହାସିକ) ଭାରତରେ ନୌକା ନିର୍ମାଣ ଉଦ୍ୟୋଗ ନଥିଲା କହି ଓଡ଼ିଆଙ୍କୁ ତାତ୍ସଲ୍ୟ କରିଛନ୍ତି । ତା’ର ଉଚିତ ଉତ୍ତର ଦେଇପାରିନାହିଁ ଅବଶ୍ୟ । ଆମ ସରକାରମାନେ ଦାରିଦ୍ର୍ୟ, କୁଶିକ୍ଷା, ଅସୁରକ୍ଷା ଭାବ ବହୁତ ପରିମାଣରେ ଦୂର କରିଛନ୍ତି । ଓଡ଼ିଆକୁ କର୍ମଠ, ଶିକ୍ଷିତ, ଯୋଗ୍ୟ କରି ବିଶ୍ୱରେ ଛାଡ଼ିଛନ୍ତି । କିନ୍ତୁ ଏପର୍ଯ୍ୟନ୍ତ ଏପରି କିଛି ଗର୍ବ ସୃଷ୍ଟି କରିନାହାଁନ୍ତି, ଯାହା ମାଧ୍ୟମରେ ଓଡ଼ିଆ ଅସ୍ମିତା ସ୍ୱୀକୃତ ହେବ ବିଶ୍ୱରେ ।

ତେଣୁ ପ୍ରଥମେ ଉପେନ୍ଦ୍ର ଭଞ୍ଜ, କବିସୂର୍ଯ୍ୟଙ୍କ କାବ୍ୟ ସଂଗୀତର ଇଂରାଜି ହିନ୍ଦୀ- ଇଂରାଜିରେ ଭଲଭାବେ ଅନୂଦିତ ହୋଇ ପ୍ରସାର ପ୍ରଚାର କରାଯାଉ । ନୂଆ କୋଣାର୍କ ମନ୍ଦିର ଗଢ଼ାହୋଇ ବିଶ୍ୱକୁ ଓଡ଼ିଆ ସ୍ଥପତି ଆଗରେ ମଥାନତ କରାଯାଉ । ଓଡ଼ିଶାରୁ ବିଶ୍ୱ ପ୍ରତିଷ୍ଠା ପାଇବା ପାଇଁ ଗାୟକ ସୃଷ୍ଟି କରାଯାଉ । ଗୋଟିଏ ସୁନନ୍ଦା ଯଥେଷ୍ଟ ନୁହେଁ । ସେହିପରି ନର୍ତ୍ତକ-ନର୍ତ୍ତକୀମାନଙ୍କୁ ପ୍ରଶିକ୍ଷିତ କରି ବିଶ୍ୱର ରାଷ୍ଟ୍ରମାନଙ୍କୁ ପଠାଯାଉ । ଓଡ଼ିଶାର ହସ୍ତକଳା ବିଶ୍ୱପ୍ରସିଦ୍ଧ କରାଯାଉ । ଭୁବନେଶ୍ୱରରେ ଦିଲ୍ଲୀର ଭାରତୀୟ ଆନ୍ତର୍ଜାତିକ କେନ୍ଦ୍ର ପରି ଓଡ଼ିଶା ଆନ୍ତର୍ଜାତିକ କେନ୍ଦ୍ର ପରି ଅନୁଷ୍ଠାନ ଗଢ଼ାଯାଇ ବିଶ୍ୱସ୍ତରୀୟ ଆଲୋଚନା ଓ ଗବେଷଣା କେନ୍ଦ୍ର ଗଢ଼ାଯାଉ । ସର୍ବୋପରି ଓଡ଼ିଆଙ୍କୁ ସ୍ୱାଭିମାନ ଦିଆଯାଉ, ଯେପରି କୌଣସି ଓଡ଼ିଆ ପୁରସ୍କାର ବା ଉଚ୍ଚ ପଦବିଟିଏ ପାଇଁ କେଉଁ ନେତା ମନ୍ତ୍ରୀଙ୍କ ଦ୍ୱାରସ୍ଥ ହେବେନାହିଁ । ଏହା ଘଟୁଛି, କାରଣ ଦାରିଦ୍ର୍ୟ ଓ ମାଲବାଗ ମନୋଭାବ ଏପର୍ଯ୍ୟନ୍ତ ଦୂର ହୋଇନାହିଁ । ଲୋକେ ଭାବନ୍ତି ଯେ, ଚଉକି ପାଇବାକୁ ହେଲେ ସରକାରୀ ନେତାଙ୍କୁ ଖୋସାମତ୍ କରିବାକୁ ହେବ । ଯଦି କିଏ ତାର ଯୋଗ୍ୟତାକୁ ନେଇ ସ୍ୱାଭିମାନୀ ଆଚରଣ ଦେଖାଏ ତାକୁ କୌଣସି ଚଉକି ବା ଅନ୍ୟ କିଛି ମିଳେନାହିଁ ।

ଏହି ଆୟ-ଅନାସ୍ଥା ଭାବ କିପରି କଟିବ ପ୍ରଥମେ ତାର ବ୍ୟବସ୍ଥା କରାଯାଉ । ଯୋଗ୍ୟତା ବାଛିବା ପାଇଁ ଯୋଗ୍ୟ ଲୋକଙ୍କୁ ପ୍ରଥମେ ବଛାଯାଉ, ଯେଉଁମାନେ ପ୍ରଥମେ ଯୋଗ୍ୟତା କ’ଣ ନିଜେ ଜାଣିଛନ୍ତି । ଓଡ଼ିଆ ଜାତି ପାଖରେ କ୍ରିଟିକାଲ୍ ଇନସାଇଟ୍ ସମାଲୋଚକର ସୂକ୍ଷ୍ମଦୃଷ୍ଟି ପ୍ରଥମେ ସୃଷ୍ଟି ହେଉ । ବହୁ ପରିଶ୍ରମୀ ଲୋକ ଯଦି ଆଦୃତ ନହୁଏ, ସତ୍ୟ-ନ୍ୟାୟ ପ୍ରତିଷ୍ଠାରେ ଯିଏ ଦ୍ୱିଧାଗ୍ରସ୍ତ ନହୁଏ, ସେପରି ଲୋକଙ୍କୁ ଯୋଗ୍ୟତା ବାଛିବା ଆସନରେ ରଖାଯାଉ । ଯେଉଁ ଦେଶରେ ସମାଜରେ ଲେଖା ପ୍ରକାଶ ପାଇଁ ମଧ୍ୟ କାହାର ଅନୁଗ୍ରହ ଲୋଡ଼ାଯାଏ, ସେ ଦେଶରୁ ଦାରିଦ୍ର୍ୟ ଦୂର ହୋଇଛି ବୋଲି ବିଶ୍ୱାସ ଜନ୍ମେନାହିଁ । ତେଣୁ ଯେଉଁମାନେ ଓଡ଼ିଆ ଅସ୍ମିତା ଗଢ଼ିବା ଦାୟିତ୍ୱ ପାଇଛନ୍ତି ସେମାନେ ତୋଷାମଦ, ତୁଷ୍ଟୀକରଣ ତ୍ୟାଗକରି ଓଡ଼ିଆ ଅସ୍ମିତାକୁ ବିଶ୍ୱସ୍ତରକୁ ନେବାପାଇଁ ଚେଷ୍ଟା କରନ୍ତୁ । ସେମାନେ ମନେରଖିବା ଉଚିତ ଯେ, ଜଣେ ସ୍ୱାଭିମାନୀ, କର୍ମଠ, ବୁଦ୍ଧିଜୀବୀ କାହାଠୁ ଦୟାଭିକ୍ଷା କରେନାହିଁ । ଯେଉଁମାନେ ଦେଶ-ରାଜ୍ୟର ଦାୟିତ୍ୱରେ ଅଛନ୍ତି ସେମାନେ ସେହି ଆତ୍ମପ୍ରତ୍ୟୟର ସ୍ୱାଭିମାନୀ ବ୍ୟକ୍ତିମାନଙ୍କର ସମ୍ମାନ କରି ସେହିପରି ଓଡ଼ିଆ ସବୁ କ୍ଷେତ୍ରରେ ସୃଷ୍ଟି କରନ୍ତୁ । ଓଡ଼ିଆ ଆପେ ଆପେ ଅସ୍ମିତା ଲାଭ କରିବ ୧୫-୨୦ ବର୍ଷରେ । ଓଡ଼ିଆ ଭଲ ଡାକ୍ତର, ଇଞ୍ଜିନିୟର, ଅଧ୍ୟାପକ, ପ୍ରଶାସନିକ ଅଧିକାରୀ ହୋଇଛି, କିନ୍ତୁ ଏପର୍ଯ୍ୟନ୍ତ ଅନ୍ୟର ସନ୍ତୋଷ ପାଇଁ କାମ କରିଛି । ନୂଆ ସୃଷ୍ଟି, ନୂଆ ପରିଚୟ କ୍ୱଚିତ କରିଛି । ତେଣୁ ଏଥିପାଇଁ ଶକ୍ତି କ୍ଷୟ କରାଯାଉ ।