PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୂଆଦିଲ୍ଲୀ : ଆସାମ ବନ୍ୟା ପୀଡିତଙ୍କ ପାଇଁ ସାହାଯ୍ୟର ହାତ ବଢାଇଲେ ଫିଲ୍ମ ନିର୍ମାତା କରନ ଜୋହର, ରିଲିଫ ପାଣ୍ଠିକୁ ଦେଲେ ୧୧ଲକ୍ଷ
  • ||
  • ଭୁବନେଶ୍ବର : କଂଗ୍ରେସ ବିଧାୟକ ରାଜନ ଏକ୍କାଙ୍କୁ ଭେଟିଲେ ବିଜେଡି ଟିମ୍, ରାଷ୍ଟ୍ରପତି ପ୍ରାର୍ଥି ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କରିବାକୁ କଲେ ନିବେଦନ
  • ||
  • କଟକ : ପ୍ରକାଶ ପାଇଲା ମାଟ୍ରିକ ପରୀକ୍ଷା ଫଳ, ଚଳିତ ବର୍ଷ ପାସ ହାର ୯୦.୫୫
  • ||
  • ନିଶ୍ଚିନ୍ତକୋଇଲି : କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଥାନା ସୁକରପଡା ଗାଁରେ ପାରିବାରିକ କଳହରୁ ମା’କୁ ହତ୍ୟା କରିଛି ପୁଅ
  • ||
  • ଆନନ୍ଦପୁର : ଶାଳବଣୀ ଛକ ନିକଟରେ ଟାୟାର ଫାଟିଯିବାରୁ ପୋଲିସ ହାବୁଡରେ ଧରାପଡିଲା ବେଆଇନ ଗୋ-ଚାଲାଣ ଟ୍ରକ, ଜବତ କଲା ଆନନ୍ଦପୁର ପୋଲିସ
  • ||
  • ଭୁବନେଶ୍ୱର : ଅଭିନେତ୍ରୀ ରଶ୍ମିରେଖାଙ୍କ ମୃତ୍ୟୁ ଘଟଣା, ପ୍ରେମିକ ସନ୍ତୋଷ ପାତ୍ର ରାଉରକେଲା ବାସନ୍ତୀକଲୋନୀରେ ଆତ୍ମହତ୍ୟା କରିଛନ୍ତି
  • ||
  • ରାଉରକେଲା : ରାଉରକେଲାରେ ୩୧୧ କୋଟିର GST ଠକେଇ, ବନ୍ଧାହେଲେ ୫ ବ୍ୟବସାୟୀ
  • ||
  • ରାୟଗଡ଼ା : ଚାନ୍ଦିଲି ଥାନା ଅନ୍ତର୍ଗତ ୩୨୬ ନମ୍ବର ଜାତୀୟ ରାଜପଥର ହାତୀଖମ୍ବ ଗାଁ ନିକଟରେ ଏକ ଯାତ୍ରୀବାହୀ ବସ୍ ଓଲଟି ଜଣେ ମହିଳାଙ୍କ ମୃତ୍ୟୁ, ୩୦ ଆହତ
  • ||

ଓଲିଉଡରେ ତ୍ରିମୁଖୀ ଲଢ଼େଇ; ପହିଲି ରଜରେ ଜବର୍‌ଦସ୍ତ ଓପ୍‌ନିଂ

ଭୁବନେଶ୍ୱର/କଟକ, ୧୪ା୬(ବ୍ୟୁରୋ): ଆଜି ପହିଲି ରଜରେ ରାଜ୍ୟର ବିଭିନ୍ନ ସିନେମା ହଲ୍‌ରେ ତ୍ରିମୁଖୀ ଲଢ଼େଇ ଦେଖିବାକୁ ମିଳିଛି । ତରଙ୍ଗ ସିନେ ପ୍ରଡ଼କସନ୍‌ ପକ୍ଷରୁ ୨ଟି ଓଡ଼ିଆ ଚଳଚ୍ଚିତ୍ର ମୁକ୍ତିଲାଭ କରିଥିବାବେଳେ ଅକ୍ଷୟ ପରିଜା ପ୍ରଡକସନ୍‌ର ଗୋଟିଏ ଫିଲ୍ମ ମୁକ୍ତିଲାଭ କରିଛି । ଆଜି ମୁକ୍ତିଲାଭ କରିଥିବା ‘ତୁ ମୋ ଲଭ୍‌ ଷ୍ଟୋରୀ-୨’, ‘ଗୋଲ୍‌ମାଲ୍‌ ଲଭ୍‌’ ଏବଂ ‘ଚିର୍‌କୁଟ୍‌’ ପ୍ରମୁଖ ପ୍ରଥମ ଦିନରେ ଦର୍ଶକଙ୍କୁ ଜବର୍‌ଦସ୍ତ ମନୋରଞ୍ଜନର ଖୋରାକ ଯୋଗାଇଛି ।   

ତରଙ୍ଗ ସିନେ ପ୍ରଡକସନ୍‌ର ଫିଲ୍ମ ‘ଗୋଲ୍‌ମାଲ୍‌ ଲଭ୍‌’ର ପ୍ରିମିୟର ଶୋ’ ଆଜି ପୂର୍ବାହ୍ନରେ କଟକର ଜୟଶ୍ରୀ ଫିଲ୍ମ ହଲ୍‌ରେ ଅନୁଷ୍ଠିତ ହୋଇଥିଲା । ଏହି ସିନେମାର କାର୍ଯ୍ୟକାରୀ ପ୍ରଯୋଜନାରେ ଅଛନ୍ତି ଅଜୟ କୁମାର ରାଉତ । ଏହାର ଗୀତ ଓ ସଂଳାପ ରଚନା କରିଛନ୍ତି ଡ. ନିର୍ମଳ ନାୟକ । ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଅଭିଜିତ ମଜୁମ୍‌ଦାର୍‌ । ଚିତ୍ରନାଟ୍ୟ ଓ ନିର୍ଦ୍ଦେଶନା ଦେଇଛନ୍ତି ଅଶୋକ ପତି । ସମ୍ପାଦନାରେ ଅଛନ୍ତି ସୁକୁମାର ମଣି । କ୍ୟାମେରାରେ ଅଛନ୍ତି ଏସ୍‌. ରଞ୍ଜନ । ଏହି ଚଳଚ୍ଚିତ୍ରଟି ରାଜ୍ୟର ୬୬ଟି ସିନେମା ହଲ୍‌ରେ ମୁକ୍ତିଲାଭ କରିଛି । ଏଥିରେ ବାବୁଶାନ ଓ ତମନ୍ନାଙ୍କ ଜବରଦସ୍ତ କେମେଷ୍ଟ୍ରି ଦେଖିବାକୁ ମିଳିଛି । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ବିଜୟ ମହାନ୍ତି, ଶ୍ରୀତମ୍‌ ଦାସ, ଜୀବନ ପଣ୍ଡା ଓ ସ୍ୱର୍ଗତ ସଲିଲ ମିତ୍ର ଅଭିନୟ କରିଛନ୍ତି । ଏଥିରେ ଥିବା ଗୀତ ‘ତୋ’ ଛାତି ଭିତରେ କରିବିଲୋ ସର୍ଜିକାଲ୍‌ ଷ୍ଟ୍ରାଇକ୍‌’ ଏବଂ ‘ପ୍ୟାର୍‌ କରିବି କୁଞ୍ଚମ୍‌ କୁଞ୍ଚମ୍‌’ ଦର୍ଶକୀୟ ଆଦୃତ୍ତି ଲାଭ କରିସାରିଛି ।
 

ସେହିପରି ଟିନ୍‌ଏଜ୍‌ର ଲଭ୍‌ଷ୍ଟୋରୀକୁ ନେଇ ପୁଣି ଥରେ ନିର୍ମାଣ କରାଯାଇଛି ‘ତୁ ମୋ ଲଭ୍‌ ଷ୍ଟୋରୀ-୨’ । ପ୍ରାୟ ୪୦ରୁ ଅଧିକ ହଲ୍‌ରେ ମୁକ୍ତିଲାଭ କରିଥିବା ଏହି ଫିଲ୍ମରେ ପୁଣିଥରେ ସ୍ୱରାଜ ଏବଂ ଭୂମିକାଙ୍କ ଯାଦୁ ଦେଖିବାକୁ ମିଳିଛି । ପୂର୍ବରୁ ବି ଏହି ଯୋଡ଼ିକୁ ସଫଳତା ମିଳିଥିବାରୁ ପୁଣି ଥରେ ଏହି ଫିଲ୍ମ ଜରିଆରେ ଦର୍ଶକଙ୍କୁ ଏକ ଭିନ୍ନ ସ୍ୱାଦର ମନୋରଞ୍ଜନ ଯୋଗାଇ ଦିଆଯାଇଥିବା ଦେଖିବାକୁ ମିଳିଛି । ଏହି ଫିଲ୍ମରେ ନମ୍ରତା ଦାସ, ସିଦ୍ଧାନ୍ତ ମହାପାତ୍ର, ଅନୁ ଚୌଧୁରୀ, ସୁଭାଶିଷ ଶର୍ମା ପ୍ରମୁଖ ଅଭିନୟ କରିଛନ୍ତି । ଏହାର ଚିତ୍ରନାଟ୍ୟ ରଚନା କରିଛନ୍ତି ଦେବୀଦତ୍ତ ମହାନ୍ତି ଓ ରଞ୍ଜନ ଶତପଥୀ । ସଂଳାପ ରଚନା କରିଛନ୍ତି ଦିଲୀପ ଚୌଧୁରୀ ଏବଂ ଅନ୍ତର୍ଯ୍ୟାମୀ ସରଘରିଆ । କ୍ୟାମେରାରେ ଅଛନ୍ତି ରବୀନ୍ଦ୍ର ବେହେରା । ନୃତ୍ୟ ନିର୍ଦ୍ଦେଶନା ଦେଇଛନ୍ତି ଗିରୀଶ ମହାନ୍ତି । ଗୀତ ରଚନା କରିଛନ୍ତି ବସନ୍ତରାଜ ସାମଲ । ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ପ୍ରେମ୍‌ ଆନନ୍ଦ । ସମ୍ପାଦନା କରିଛନ୍ତି ରାଜେଶ ଦାଶ । ନିର୍ଦ୍ଦେଶନାରେ ଅଛନ୍ତି ତାପସ ସରଘରିଆ । ଏହାର ପ୍ରିମିୟର ଶୋ’ ଆଜି କଟକର ବୃନ୍ଦାବନ ସିନେମା ହଲ୍‌ରେ ଅନୁଷ୍ଠିତ ହୋଇଥିଲା । ଏହି ଚଳଚ୍ଚିତ୍ରଟି ଭୁବନେଶ୍ୱର, ବାରିପଦା ଏବଂ ଆଣ୍ଡାମାନ୍‌ରେ ଶୁଟିଂ କରାଯାଇଛି । ଏହି ଫିଲ୍ମଟି ମଧ୍ୟ ଦର୍ଶକଙ୍କୁ ପ୍ରଥମ ଦିନରେ ବେଶ୍‌ ପସନ୍ଦ ଆସିଥିବା ଖବର ମିଳିଛି ।
 

ସେହିପରି ରଜର ତୃତୀୟ ଫିଲ୍ମ ଭାବେ ପପୁ ପମ୍‌ପମ୍‌ଙ୍କ ‘ଚିରକୁଟ୍‌’ ଆଜି ପ୍ରାୟ ୧୫ରୁ ଅଧିକ ହଲ୍‌ରେ ମୁକ୍ତିଲାଭ କରିଛି । ଏହି ଫିଲ୍ମର ପ୍ରଥମ ଶୋ’ ଆଜି ବିଭିନ୍ନ ହଲ୍‌ରେ ମାଗଣାରେ ପ୍ରଦର୍ଶିତ ହୋଇଥିଲା । ଅକ୍ଷୟ ପରିଜା ପ୍ରଡକସନ୍‌ ନିବେଦିତ ଏହି ସିନେମା ପୂରା ଦେଶୀ ଲଭ୍‌କୁ ନେଇ ପ୍ରସ୍ତୁତ ହୋଇଛି । ଜଣେ ଗାଉଁଲି ଯୁବକର ପ୍ରେମ ଯେ କେତେ ସଚ୍ଚା ତାହା ଏଥିରେ ପ୍ରଦର୍ଶିତ କରାଯାଇଛି । ଅକ୍ଷୟ ପରିଜା ଏହାର ପ୍ରଯୋଜନା କରିଛନ୍ତି । ଏହାର ଚିତ୍ରନାଟ୍ୟ, ସଙ୍ଗୀତ ଓ ନିର୍ଦ୍ଦେଶନା ଦେଇଛନ୍ତି ପପୁ ପମ୍‌ପମ୍‌ । ଏହାର ନୃତ୍ୟ ନିର୍ଦ୍ଦେଶନା ଦେଇଛନ୍ତି ଲୁବନ୍‌-ଟୁବୁନ୍‌ । ସଂଳାପ ରଚନା କରିଛନ୍ତି ଡ. ଦୀପକ ଜେନା । ଗୀତ ରଚନା କରିଛନ୍ତି ସୁମିତ ଜେନା, ସୁରେଶ ପଣ୍ଡା ଏବଂ ଦୀପକ ଜେନା । ଚିତ୍ରୋତ୍ତଳନରେ ଅଛନ୍ତି ନିରଞ୍ଜନ ଦାସ । ଏଥିରେ ଅରୁଜ୍ୟୋତି ଏବଂ ଅନନ୍ୟା ମହାନ୍ତି ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିଛି । ଏହାର ପ୍ରିମିୟର ଶୋ’ ଆଜି ଭୁବନେଶ୍ୱ ସିନେପୋଲିସ୍‌ରେ ଅନୁଷ୍ଠିତ ହୋଇଯାଇଛି । ଏହି ଫିଲ୍ମଟି ମଧ୍ୟ ଆଜି ପହିଲି ରଜରେ ଦର୍ଶକଙ୍କୁ କିମିଆ କରିଥିବା ସୂଚନା ମିଳିଛି ।