ଭୁବନେଶ୍ୱର,୧୨/୦୮: ଉଠୁଛି ଯଲିଉଡ୍, ଖସୁଛି ଓଲିଉଡ୍ ! ଯାତ୍ରା ଆଗରେ ଫିକା ଓଡ଼ିିଆ ସିନେମା । ମେଗାଷ୍ଟାର୍, ସୁପର୍ଷ୍ଟାରଙ୍କ ମାର୍କେଟ୍ ଖାଇଗଲେ ଭାଇରାଲ୍ ଷ୍ଟାର୍ । କ୍ରେଜ୍ରେ, ବେପାରରେ ସିନେମାକୁ ଟପିଲା ଯାତ୍ରା । ରଚିଲା ଇତିହାସ । କୋଟି କୋଟିର ରୋଜଗାର କରି ଯାତ୍ରା ଭାଙ୍ଗିଲା ଓଡ଼ିଆ ସିନେମା ରେକର୍ଡ । ଯାହାକୁ ନେଇ ସୋସିଆଲ୍ ମିଡ଼ିଆରେ ଖୁବ୍ ଚର୍ଚ୍ଚା । ଯାତ୍ରା ସିନେମାର ବେପାରକୁ ନେଇ ଘୂରି ବୁଲୁଛି ତଥ୍ୟ । ପରେ ଏହାକୁ ନେଇ ଆରମ୍ଭ ହୋଇଛି ତୁଳନାତ୍ମକ ଆଲୋଚନା ।
ମନୋରଞ୍ଜନ ଦୁନିଆରେ ଏବେ ଯାତ୍ରାର ରାଜ୍ । ବହି ଜାଳୁଛି ଯାତ୍ରାପାର୍ଟି । ଷ୍ଟାର୍କାଷ୍ଟ ହେଉ କି ସଂଳାପ, ସଙ୍ଗୀତ ହେଉ କି ମେଲୋଡି । ଅତ୍ୟାଧୁନିକ ଜ୍ଞାନକୌଶଳ ସହ ଚମତ୍କାର ମଞ୍ଚ ପରିଚାଳନା କେବଳ ଦର୍ଶକଙ୍କ ମନ ଛୁଉଁନି, ବରଂ କୋଟି କୋଟିର ରୋଜଗାର ଦେଉଛି । ରାତିକୁ ରାତି ଲକ୍ଷ ଲକ୍ଷ ବେପାର । ହାଉସ୍ ଫୁଲ୍ ସାଙ୍ଗକୁ ଟିକଟ୍ ବ୍ଲାକ୍ । ଗତ ଯାତ୍ରା ସିଜିନ୍ରେ ବହୁଳ ଲୋକପ୍ରିୟତା ସାଉଁଟିଛି ଯାତ୍ରା ସିଂହବାହିନୀର ନାଟକ “ତୁ ମୋ ବଜରଙ୍ଗୀ’ ଏବଂ କୋଣାର୍କ ଗଣନାଟ୍ୟର “ତୁ ବୋଧେ ମୋ ଭାଗ୍ୟରେ ନାହୁଁ’ । ୨ଟି ନାଟକ ୫ରୁ ୮ କୋଟି ବେପାର କରିଛନ୍ତି । ହାଇପେଡ୍ ଆର୍ଟିଷ୍ଟ ପୀୟୁଷ ତ୍ରିପାଠୀଙ୍କ ଅଭିନୀତ “ତୁ ମୋ ବଜରଙ୍ଗୀ’ ୧୨୪ ରାତି ମଞ୍ଚସ୍ଥ ହୋଇ ଆୟ କରିଛି ୫ କୋଟି ୫୮ ଲକ୍ଷ । ଗୋଟିଏ ରାତି ପିଛା ବେପାର ସାଢ଼େ ୪ ଲକ୍ଷ । ସେହିପରି ଯାତ୍ରା କିମ୍ବଦନ୍ତୀ ଦୈତାରୀ ପଣ୍ଡାଙ୍କ ସହ ପୂଜା, ଜିତୁ, ବସନ୍ତ ଏବଂ ନଳିନୀଙ୍କୁ ନେଇ ପ୍ରସ୍ତୁତ ନାଟକ “ତୁ ବୋଧ ମୋ ଭାଗ୍ୟରେ ନାହୁଁ’ ୨୩୩ ରାତିରେ ମଞ୍ଚସ୍ଥ କରି ୮ କୋଟି ୧୫ ଲକ୍ଷ ୫୦ ହଜାର ଟଙ୍କା ରୋଜଗାର କରିଛି । ରାତି ପିଛା ବେପାର ସାଢ଼େ ୩ ଲକ୍ଷ ।
ସିନେମା କଥା ଦେଖିଲେ, ଚଳିତ ବର୍ଷ ମୁକ୍ତିଲାଭ କରିଥିବା କିଛି ପ୍ରମୁଖ ସିନେମାର ଆୟକୁ ମିଶାଇଲେ ୧୫ କୋଟି ଭିତରେ ରହୁଛି । ୨-୪ଟି ସିନେମାକୁ ଛାଡ଼ିଲେ ବାକିରେ ହଲ୍ ଫାଙ୍କା । କିଏ କେତେବେଳେ ଆସୁଛନ୍ତି, ଯାଉଛନ୍ତି ଜଣାପଡ଼ୁନି । ସକାଳେ ପ୍ରିମିୟର୍ ହେଲେ ସନ୍ଧ୍ୟାକୁ ଉଠିଯାଉଛି । ବିଶେଷ ଚର୍ଚ୍ଚା ସାଉଁଟିଥିବା ‘ରକ୍ତ ଗୋଲାପ’, ‘ଚକ୍ରାନ୍ତ’, ‘ଆଫା’, ‘ବିନ୍ଦୁ ସାଗର’, ‘ମେମ୍ସାହେବ’, ‘ମେହେରମୁଣ୍ଡା’, ‘ଡାଏରୀ’, ‘ବର ବଧୂ’, ‘କାଙ୍ଗୁଲା’, ‘ମୁରବି’, ‘ମନ୍ତ୍ରମୁଗ୍ଧ’, ‘ଶିକାର’ ଏବଂ ‘ଛକିଶୂନ’ ଭଳି ୧୩ଟି ସିନେମାର ବେପାର ୧୨.୫୮ କୋଟି ଉପରେ ରହିଥିବା ସୋସିଆଲ୍ ମିଡ଼ିଆରେ ଚର୍ଚ୍ଚା ହେଉଛି । ତେବେ ଉଭୟ ଯାତ୍ରା ଓ ସିନେମାକୁ ନେଇ ସୋସିଆଲ୍ ମିଡ଼ିଆର ଟ୍ରେଣ୍ଡ୍ ସହ ରୋଜଗାରର ତୁଳନାତ୍ମକ ଛବିକୁ ଯଦି ଦେଖିବା, ତାହେଲେ ଓଡ଼ିଆ ଚଳଚ୍ଚିତ୍ର ପଛରେ ପଡ଼ିଛି ନିଶ୍ଚୟ । ସେଥିପାଇଁ ଯାତ୍ରାରେ ହାଇପେଡ୍ ଆର୍ଟିଷ୍ଟଙ୍କ ଜବରଦସ୍ତ ଆକ୍ଟିଂ ଏବଂ ଅନୁଭବୀ କଳାକାରଙ୍କ ଜୀବନ୍ତ ଅଭିନୟ ଦାୟୀ । ଯେଉଁଥି ପାଇଁ ନାଟକ ହାଟ ବଜାରରେ ଚହଳ ପକାଉଛି । ଅନେକ ବାଦ, ବିବାଦ ଓ ଲାଭ କ୍ଷତି ସତ୍ତେ୍ୱ ଯାତ୍ରା ଶୀର୍ଷରେ ରହିଛି । ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଥିବା ଏହି ହିସାବ ହିଁ ପ୍ରମାଣିତ କରୁଛି ଯାତ୍ରାର ଲୋକପ୍ରିୟତା ଆକାଶ ଛୁଆଁ । ସେପଟେ ଯାତ୍ରାକୁ ସିନେମା ସହ ତୁଳନା ନକରାଯାଉ । ଆୟବ୍ୟୟ ଦେଖି ତୁଳନା ନହେଉ ବୋଲି ମତ ଦେଇଛନ୍ତି କଳା ସମୀକ୍ଷକ ଏବଂ ସିନେମା ପ୍ରଯୋଜକ ।
ଅଧିକ ପଢ଼ନ୍ତୁ :- ବିଜୟଙ୍କ ‘ଜନ ନାୟଗନ’ ପାଇଁ ଆଡଭାନ୍ସ ବୁକିଂ ଆରମ୍ଭ , କେବଳ ୬୦ ମିନିଟରେ ହଜାର ହଜାର ଟିକେଟ୍ ବିକ୍ରି