ରାଜସ୍ଥାନ, ୧୧।୭: ରାଜସ୍ଥାନ ଜୟପୁରର ବହୁଚର୍ଚ୍ଚିତ ନୀରଜ ଶର୍ମା ହତ୍ୟାକାଣ୍ଡରେ ଏକ ଚାଞ୍ଚଲ୍ୟକର ମୋଡ଼ ଆସିଛି, ଯାହା ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି । ମା’ କୁ ହତ୍ୟା କରିବା ଅଭିଯୋଗରେ ଗିରଫ ହୋଇଥିବା ଏଲ୍‌ଏଲ୍‌ବି ଶେଷ ବର୍ଷର ଛାତ୍ରୀ ଆୟୁଷୀ ଶର୍ମାଙ୍କ ବିରୋଧରେ ଏବେ ତାଙ୍କ ମାମୁଁ ରାକେଶ ଶର୍ମା ଏକ ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି । ମାମୁଁଙ୍କ ଦାବି ଅନୁଯାୟୀ, ଆୟୁଷୀ ନିଜ ମା’ ନୀରଜ ଶର୍ମାଙ୍କୁ ହତ୍ୟା କରିବା ପୂର୍ବରୁ, ଏପ୍ରିଲ ୨୦୨୫ରେ ନିଜ ପିଉସୀ ପୁଅ ଭାଇ ବଳରାମ ସହ ମିଶି ନିଜ ବାପା ବିଜୟ ଶର୍ମାଙ୍କୁ ମଧ୍ୟ ମାରିଦେଇଥିଲା । ଏହି ଖୁଲାସା ପରେ ଜୟପୁର ପୁଲିସ୍ ଏହି ମାମଲାର ତଦନ୍ତ ଆରମ୍ଭ କରିଛି ।

ବାପାଙ୍କୁ ମାରିବାର କ୍ରୁର କାହାଣୀ:

ମୃତ ନୀରଜ ଶର୍ମାଙ୍କ ଭାଇ ତଥା ଆୟୁଷୀଙ୍କ ମାମୁଁ ରାକେଶ ଶର୍ମା ପୁଲିସକୁ ଦେଇଥିବା ଅଭିଯୋଗରେ କହିଛନ୍ତି ଯେ, ଆୟୁଷୀଙ୍କ ବାପା ବିଜୟ ଶର୍ମା ଦୀର୍ଘ ସମୟ ଧରି ଅସୁସ୍ଥ ଥିଲେ । ଏହି ସମୟରେ ଆୟୁଷୀ ଏବଂ ବଳରାମ ମିଶି ବାପାଙ୍କର ଠିକ୍ ଭାବେ ଚିକିତ୍ସା କରାଇ ଦେଉନଥିଲେ । ପରେ ବାପାଙ୍କୁ ଏକ ବଡ଼ ଡାକ୍ତରଖାନା ନେବା ବାହାନାରେ ସେମାନେ ତାଙ୍କୁ ଘରୁ ନେଇଯାଇଥିଲେ ଏବଂ ପ୍ରାୟ ୩ ମାସ ପର୍ଯ୍ୟନ୍ତ ସେ କେଉଁଠି ଅଛନ୍ତି, ତାହା ପରିବାର ଲୋକଙ୍କଠାରୁ ଲୁଚାଇ ରଖିଥିଲେ । ପରେ ଯେତେବେଳେ ପରିବାର ଲୋକେ ହସ୍ପିଟାଲରେ ପହଞ୍ଚିଲେ, ଡାକ୍ତର କହିଥିଲେ ଯେ ବିଜୟ ଶର୍ମାଙ୍କର ୯୦% ଅଙ୍ଗ ଖରାପ ହୋଇସାରିଛି । ଏହାପରେ ଆୟୁଷୀ ତାଙ୍କୁ ଘରକୁ ଆଣିଥିଲା ଏବଂ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା । ମାମୁଁଙ୍କ ଆରୋପ ଅନୁଯାୟୀ, ଦିନେ ମା’ ସହ ଝଗଡ଼ା ବେଳେ ଆୟୁଷୀ ଚିତ୍କାର କରି କହିଥିଲା- "ଯେତେବେଳେ ବାପାଙ୍କ ଖାଇବା ପାଇପ୍ କାଢ଼ି ତାଙ୍କୁ ମାରିଦେଲି, ତୁମେ କିଏ ? ତୁମକୁ ବି ଦୁଇ ଦିନରେ ଶେଷ କରିଦେବି ।" ଏହି ଧମକ ପରେ ଭୟଭୀତ ମା’ ନିଜ ହ୍ୱାଟ୍ସଆପ୍ ଷ୍ଟାଟସରେ ଲେଖିଥିଲେ ଯେ ତାଙ୍କ ଜୀବନ ଆଉ ମାତ୍ର ଦୁଇ ଦିନ ବାକି ଅଛି ।

ହତ୍ୟା ପଛର କାରଣ: ସମ୍ପତ୍ତି ଓ ସରକାରୀ ଚାକିରି

ପୁଲିସ୍ ସୂଚନା ଅନୁଯାୟୀ, ଏହି ଦୁଇଟି ଯାକ ହତ୍ୟାକାଣ୍ଡ ପଛରେ କୋଟି କୋଟି ଟଙ୍କାର ସମ୍ପତ୍ତି ଏବଂ ସରକାରୀ ଚାକିରି ହଡ଼ପ କରିବାର ବଡ଼ ଯୋଜନା ଥିଲା । ମୃତ ବିଜୟ ଶର୍ମା ରାଜସ୍ଥାନ ହାଇକୋର୍ଟରେ 'କୋର୍ଟ ମାଷ୍ଟର' ପଦବୀରେ ଥିଲେ । ବାପାଙ୍କ ମୃତ୍ୟୁ ପରେ ଶୋକ ପାଳିବା ବଦଳରେ ଆୟୁଷୀ ତାଙ୍କ ସ୍ଥାନରେ ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ଆବେଦନ କରିବାକୁ ପ୍ରସ୍ତୁତି ଆରମ୍ଭ କରିଦେଇଥିଲା । ଏହି ସବୁ ଆଇନଗତ କାର୍ଯ୍ୟରେ ତାକୁ ତାର ଭାଇ ବଳରାମ ସାହାଯ୍ୟ କରୁଥିଲା ।

ଏହା ବି ପଢ଼ନ୍ତୁ... ​​​​​​​National Anthem: 'ଯଦି ଜାତୀୟ ସଙ୍ଗୀତ ଫିଲ୍ମର ଅଂଶ, ତେବେ ଠିଆ ହେବା ଜରୁରୀ ନୁହେଁ' କେନ୍ଦ୍ର ଗୃହ ମନ୍ତ୍ରଣାଳୟର ବଡ଼ ନିର୍ଦ୍ଦେଶନାମା !

ମା’ ପ୍ରତି ଘୃଣା ଓ ମାନସିକ ବିକୃତି

ପୁଲିସ୍ ପଚରାଉଚରା ବେଳେ ଆୟୁଷୀ କହିଛି ଯେ, ତାର ମା’ ସବୁବେଳେ ତାର ଭିନ୍ନକ୍ଷମ ସାନଭାଇକୁ ଅଧିକ ଭଲ ପାଉଥିଲେ । ମା’ ତାକୁ ଆଦୌ ଭଲ ପାଉନଥିବା ଭାବି ଆୟୁଷୀ ମନରେ ମା’ ପ୍ରତି ପ୍ରବଳ ଘୃଣା ସୃଷ୍ଟି ହୋଇଥିଲା । ସେଥିପାଇଁ ସେ ବଳରାମ ଏବଂ ଅନ୍ୟ ଜଣେ ଅଭିଯୁକ୍ତ ହେମନ୍ତ ଶର୍ମାଙ୍କ ସହ ମିଶି ମା’ କୁ ରାସ୍ତାରୁ ହଟାଇବାକୁ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରିଥିଲା ।

ମନସ୍ତତ୍ତ୍ୱବିତ୍ କରିବେ ପଚରାଉଚରା

ଆୟୁଷୀ ନିଜେ ଜଣେ ଆଇନ ଛାତ୍ରୀ ହୋଇଥିବାରୁ ସେ ପୁଲିସର ପ୍ରଶ୍ନର ଉତ୍ତର ବହୁତ ଚତୁରତାର ସହ ଦେଉଛି ଏବଂ ଅନେକ ସମୟରେ ଚୁପ୍ ରହିଯାଉଛି । ସେଥିପାଇଁ ଡିସିପି ରଞ୍ଜିତା ଶର୍ମାଙ୍କ କହିବା ଅନୁଯାୟୀ, ଏବେ ଆୟୁଷୀର ମାନସିକ ସ୍ଥିତି ଓ ସତ୍ୟତା ଜାଣିବା ପାଇଁ ମନସ୍ତତ୍ତ୍ୱବିତ୍‌ମାନଙ୍କ ସାହାଯ୍ୟ ନିଆଯିବ । ଫରାର ଥିବା ମୁଖ୍ୟ ସୂତ୍ରଧର ବଳରାମକୁ ଗିରଫ କରିବା ପାଇଁ ପୁଲିସ୍ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି ।