ତେଲେଙ୍ଗାନା, ୧୧।୭: ଜେଲ୍ରୁ ଜାମିନ ମିଳିବା ପରେ ଜଣେ ସାଇକୋ କିଲର୍ର ଭୟଙ୍କର କାଣ୍ଡ । ପ୍ରତିଶୋଧ ନିଆଁରେ ଜଳି ନାବାଳିକା ପୀଡ଼ିତା, ତାଙ୍କ ମା' ଓ ଆଈଙ୍କ ସମେତ ନିଜ ସ୍ତ୍ରୀ ଓ ଦୁଇ ନିଷ୍ପାପ ଶିଶୁଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଛି ଦୁର୍ଦ୍ଦାନ୍ତ ଅଭିଯୁକ୍ତ । ତେଲେଙ୍ଗାନାର ରଙ୍ଗାରେଡ୍ଡୀ ଜିଲ୍ଲା ଶାବାଦ୍ ମଣ୍ଡଳରେ ଘଟିଛି ଏଭଳି ଏକ ଚାଞ୍ଚଲ୍ୟକର ଘଟଣା । ଗୋଟିଏ ରାତିରେ ଦୁଇଟି ଭିନ୍ନ ଭିନ୍ନ ସ୍ଥାନରେ ଜଣେ ସାଇକୋ କିଲର୍ ୬ ଜଣଙ୍କୁ ହତ୍ୟା କରିବା ପରେ ଏବେ ସାରା ଅଞ୍ଚଳରେ କାନ୍ଦବୋବାଳି ସହ ଆତଙ୍କର ମାହୋଲ ଖେଳିଯାଇଛି ।
ପ୍ରଥମେ ନିଜ ସ୍ତ୍ରୀ ଓ ଦୁଇ ଶିଶୁକୁ ହତ୍ୟା:
ମିଳିଥିବା ସୂଚନା ମୁତାବକ, ଅଭିଯୁକ୍ତର ଚିହ୍ନଟ ଶାବାଦ୍ ମଣ୍ଡଳର ରାଜକୁମାର ବୋଲି ଜଣାପଡ଼ିଛି । ଗତକାଲି ବିଳମ୍ବିତ ରାତିରେ ସେ ପ୍ରଥମେ ଦୈବଲାଗୁଡ଼ା ଗାଁରେ ଥିବା ନିଜ ଘରେ ଏହି ହତ୍ୟାକାଣ୍ଡ ଘଟାଇଥିଲା । ପରିବାର ଲୋକ ଶୋଇଥିବା ଅବସ୍ଥାରେ ସେ ଘରର କବାଟ ବନ୍ଦ କରିଦେଇଥିଲା । କାହାରି ପାଟି ଯେମିତି ବାହାରକୁ ନଶୁଭିବ, ସେଥିପାଇଁ ଘରର ଏସି, ଟିଭି ଏବଂ ପଙ୍ଖାକୁ ହାଇ-ସ୍ପିଡ୍ରେ ଚଲାଇ ଦେଇଥିଲା । ଏହାପରେ ସେ ନିଜ ସ୍ତ୍ରୀ ପାର୍ବତୀ ସରିତା, ୪ ବର୍ଷର ପୁଅ ଏବଂ ମାତ୍ର ୧୮ ମାସର କୁନି ସନ୍ତାନକୁ ଅତି ନିର୍ଦ୍ଦୟ ଭାବେ ହତ୍ୟା କରିଥିଲା ।
ଏହା ବି ପଢ଼ନ୍ତୁ... Supreme court : ସୁପ୍ରିମକୋର୍ଟରେ ହଙ୍ଗାମା; ଖଣ୍ଡପୀଠଙ୍କୁ ଗାଳି ଦେବା ସହ କାଗଜ ଫିଙ୍ଗିଲେ ଓକିଲ, CJI ନେଲେ ବଡ଼ ନିଷ୍ପତ୍ତି
ନିଜ ପରିବାରକୁ ଶେଷ କରିବା ପରେ ସେ ସେଠାରୁ ପ୍ରାୟ ୬ କିଲୋମିଟର ଦୂରରେ ଥିବା ଅନ୍ୟ ଏକ ଗାଁକୁ ଯାଇଥିଲା । ଗତ ମେ ୧୬ ତାରିଖରେ ରାଜକୁମାର ବିରୋଧରେ ଜଣେ ୧୭ ବର୍ଷର ନାବାଳିକା ପୋକ୍ସୋ ଆକ୍ଟ ଅଧୀନରେ ନିର୍ଯାତନା ଅଭିଯୋଗ ଆଣିଥିଲେ । ଜେଲ୍ରୁ ଜାମିନରେ ଆସିବା ପରେ ସେହି ପୀଡ଼ିତାଙ୍କ ଉପରେ ତା’ର ଆକ୍ରୋଶ ଥିଲା । ସେଠାରେ ପହଞ୍ଚି ସେ ସେହି ନାବାଳିକା, ପୀଡ଼ିତାଙ୍କ ମା’ ଲକ୍ଷ୍ମୀ ଏବଂ ଆଈ ରୁକ୍କମ୍ମାଙ୍କୁ ମଧ୍ୟ କୁରାଢ଼ିରେ ହାଣି ନିର୍ମମ ଭାବେ ହତ୍ୟା କରିଛି । ରଙ୍ଗାରେଡ୍ଡୀ ଜିଲ୍ଲା ଇତିହାସରେ ଏହା ସବୁଠାରୁ ବଡ଼ ଓ ଭୟଙ୍କର ହତ୍ୟାକାଣ୍ଡ ବୋଲି କୁହାଯାଉଛି । ଘଟଣା ପରେ ଅଭିଯୁକ୍ତ ରାଜକୁମାର ଫେରାର ଅଛି । ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହଗୁଡ଼ିକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ତଦନ୍ତ ଆରମ୍ଭ କରିଛି । ରାଜକୁମାରକୁ ଗିରଫ କରିବା ପାଇଁ ପୁଲିସର ଏକାଧିକ ଟିମ୍ ଗଠନ କରାଯାଇ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରହିଛି ।