ସମାନ କଥା । ସମାନ ନିର୍ଦ୍ଦେଶ ଆଉ ବିଜ୍ଞପ୍ତି । ଅବସ୍ଥା ଯଥା ପୂର୍ବଂ ତଥା ପରଂ । ମାତୃଭାଷାକୁ ନେଇ ଆମେ କୁନ୍ଥକୁନ୍ଥ । ସରକାରୀ ବାବୁମାନେ ମଧ୍ୟ । କିନ୍ତୁ କାହିଁକି? ଆମ ଭାଷା ଓଡ଼ିଆ ପ୍ରତି ଏମିତି କାହିଁକି ଆମେ ନାକ ଟେକୁଛୁ? ସରକାରୀ କର୍ମଚାରୀଙ୍କୁ ସରକାର ନାଲିଆଖି ଦେଖାଇଛନ୍ତି । ଛଳନାର ଚକ୍ରବ୍ୟୂହରେ କିନ୍ତୁ ଆମ ଭାଷା ଛଟପଟ । ଏ ମାଟି ପାଣି ପବନରେ ଆମେ ବଢ଼ିଛେ । ଓଡ଼ିଆ ଭାବେ ‘ଓଡ଼ିଆ’ ଭାଷା ପାଇଁ ଆମର ଆବେଗ କେମିତି ନାହିଁ? ସରକାରୀ ବାବୁମାନେ ତ ସରକାରୀ ନିର୍ଦ୍ଦେଶକୁ ଅଳିଆଗଦାରେ ପକାଉଛନ୍ତି, ଆମେ କେତେ ଆବେଗପଣ ଦେଖାଉଛୁ? ମା’, ମାଟି ଓ ମାତୃଭାଷା ପାଇଁ ଆମର କ’ଣ କିଛି ଦାୟିତ୍ୱ ନାହିଁ?
ଗୋଦରା କୋଡ଼େ ଯେତେ
ଓଡ଼ିଆ ଭାଷାରେ ସରକାରୀ କାମ ବାଧ୍ୟତାମୂଳକ । ଏଥିରେ ଖିଲାପ ଚଳିବନି । କାହାକୁ ଛଡ଼ାଯିବନି । ଏମିତି କଡ଼ା ତାଗିଦ କରିଛନ୍ତି ସରକାର । ଥରେ ନୁହଁ କି ଦି’ଥର³ ପୂର୍ବରୁ ବହୁବାର ଏ ନେଇ ନିର୍ଦ୍ଦେଶନାମା ଜାରି ହୋଇଛି । ଆଖିଦୃଶିଆ ଫଳ ମିଳିନି । ସରକାରଙ୍କ ନାଲିଆଖିକୁ କର୍ମଚାରୀଙ୍କ ଖାତିର ନାହିଁ । ଏବେ କିନ୍ତୁ ସରକାର ସ୍ୱରକୁ ଟିକେ ଟାଣ କରିଛନ୍ତି । ବ୍ଲକ୍ରୁ ରାଜ୍ୟସ୍ତର ଯାଏ, ସବୁ ସରକାରୀ କାମ ଓଡ଼ିଆରେ ହେବ । ଏହା ନ କଲେ ସଂପୃକ୍ତ ଅଧିକାରୀଙ୍କୁ କାରଣଦର୍ଶାଅ ନୋଟିସ୍ ଜାରି ହେବ । ସାଧାରଣ ପ୍ରଶାସନ ବିଭାଗ ଏ ନେଇ ସବୁ ବିଭାଗ, ବିଭାଗୀୟ ମୁଖ୍ୟ ଦପ୍ତର ଓ ସମସ୍ତ ଜିଲ୍ଲାପାଳଙ୍କୁ ସାନି ନିର୍ଦ୍ଦେଶ ଜାରି କରିଛି । ଆମ ସରକାରୀ ବାବୁମାନେ କେତେ ଆନ୍ତରିକତା ଦେଖାଉଛନ୍ତି ତାହା ସମୟ କହିବ । ଆମ ମାତୃଭାଷା ଆମ ଜାତିର ମୁକ୍ତିମନ୍ତ୍ର । ଅପୂର୍ବ ଶ୍ରୀମଣ୍ଡିତ ଆମ ଓଡ଼ିଆ ଭାଷା । ଅତୀତ ଯେତିକି ଗୌରବମୟ ସେତିକି ପ୍ରାଚୀନ । ‘କହିଲେ କୁଳ କୁଟୁମ୍ବଙ୍କୁ ଲାଜ, ନକହିଲେ କୁଳ ଭାସିଯାଉଛି ।’ ଆମ ଭାଷାର ଅବସ୍ଥା ଦେଖିଲେ ଏମିତି ହିଁ ଲାଗୁଛି । ‘ଓଡ଼ିଆ ଅସ୍ମିତା’ର ପ୍ରତିଶ୍ରୁତି ଦେଇ ରାଜ୍ୟରେ ସରକାରକୁ ଆସିଲା ବିଜେପି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓଡ଼ିଆରେ ସରକାରୀ କାମ କରିବାକୁ ଜୋର ଦେଲେ । ବିଡ଼ମ୍ବନା ତାଗିଦ ଓ ନିର୍ଦ୍ଦେଶ ପରେ ବି ଓଡ଼ିଆରେ ଲେଖିବାକୁ କୁନ୍ଥକୁନ୍ଥ ହେଉଛନ୍ତି ବାବୁ । ରାଜ୍ୟରେ ଲୋକସେବା ଭବନରୁ ଜିଲ୍ଲାପାଳ ଅଫିସ ଯାଏଁ ୫୦/୬୦ ଜଣ ଅଣ ଓଡ଼ିଆ ବାବୁ ଅଛନ୍ତି । ଅଧିକାଂଶ ଓଡ଼ିଆ ଏବଂ ଓଡ଼ିଆ ମାଧ୍ୟମରେ ପାଠ ପଢ଼ିଛନ୍ତି । କିନ୍ତୁ ନିଜ ମାତୃଭାଷାକୁ ନେଇ ହୀନମନ୍ୟତା କାହିଁକି? ସରକାରୀ ଅଧିକାରୀ ହିଁ ଓଡ଼ିଆ ଭାଷା ପାଇଁ କଣ୍ଟା ସାଜିଛନ୍ତି । ବର୍ଷ ବର୍ଷ ଧରି ପ୍ରଶାସନିକ ଛଳନାର ଶିକାର ହୋଇଛି ଆମ ଭାଷା । ଏମିତି ଲାଗୁଛି ସରକାରୀ ବାବୁମାନେ ‘ଓଡ଼ିଆ ଭାଷା’କୁ ଅଣଦେଖା ଓ ଅବହେଳା କରିବାକୁ ଯେମିତି ପଣ କରିଛନ୍ତି । ସରକାରୀ ଅଫିସ୍ରୁ ବାହାରୁଥିବା ନୋଟିସ୍, ବିଜ୍ଞପ୍ତି, ପତ୍ର ବିନିମୟ ଓଡ଼ିଆରେ ହେବ । ସବୁ ବିଭାଗ, ବିଭାଗୀୟ ମୁଖ୍ୟ ଦପ୍ତର, ଜିଲ୍ଲାପାଳଙ୍କ ଅଫିସ୍, ଅଧସ୍ତନ କାର୍ଯ୍ୟାଳୟ, ବିଭିନ୍ନ ନିଗମ, ପୌର ସଂସ୍ଥା ଓ ସ୍ୱୟଂଚାଳିତ ସଂସ୍ଥା ଏହି ନିର୍ଦ୍ଦେଶକୁ ପାଳନ କରିବେ । ପ୍ରଶାସନିକ ଭାଷାକୋଷକୁ ନିରନ୍ତର ଭାବେ ଅପଡେଟ୍ କରାଯିବ । ସରକାରୀ ଆଇନ ଓ ନିର୍ଦ୍ଦେଶ ସତ୍ତେ୍ୱ ବହୁ ବିଭାଗ ବିଭିନ୍ନ ଚିଠି, ନିର୍ଦ୍ଦେଶନାମା ଓଡ଼ିଆ ବଦଳରେ ଇଂରାଜୀରେ ଲେଖୁଛନ୍ତି । ଓଡ଼ିଶାରେ ଶାସନ ଓ ପ୍ରଶାସନର ଭାଷା ଓଡ଼ିଆ ହେବା କଥା । ଏଥିପାଇଁ ସ୍ପଷ୍ଟ ଆଇନ ଅଛି । ହେଲେ ଆଇନକୁ ଲାଗୁ କରିବାକୁ ସରକାରୀ ଇଚ୍ଛାଶକ୍ତି କାଇଁ?
ଆଇନ ଅଛି, କାର୍ଯ୍ୟକାରୀ ହେଉନି
ଓଡ଼ିଆ ଭାଷାକୁ ସରକାରୀ ଭାଷା ଭାବେ ସରକାର ଗ୍ରହଣ କରି ଆଇନ ଆଣିଲେ । ସରକାରୀ ଓ ବେସରକାରୀ ସବୁକ୍ଷେତ୍ରରେ ଓଡ଼ିଆ ଭାଷାର ବ୍ୟବହାର ପାଇଁ ଆଇନରେ ବ୍ୟବସ୍ଥା ହେଲା । ଓଡ଼ିଆ ଭାଷାକୁ ପ୍ରୋତ୍ସାହିତ କଲେ ପୁରସ୍କାର, ନିରୁତ୍ସାହିତ କଲେ ଦଣ୍ଡବିଧାନର ବ୍ୟବସ୍ଥା ରହିଲା । କିଏ ପୁରସ୍କୃତ ହୋଇଛି? କାହାକୁ ଦଣ୍ଡ ମିଳିଛି? ସରକାରୀ ନଥିପତ୍ରରୁ ରାସ୍ତାଘାଟର ସାଇନ୍ବୋର୍ଡ ଯାଏ ସବୁଠି ଓଡ଼ିଆ ଭାଷା ଅବହେଳା ଓ ଅଣଦେଖାର ଶିକାର । ଆମ ରାଜ୍ୟରେ ଆମ ଭାଷାର ଭାଗ୍ୟ ପଥର ତଳେ । ଆଇନ କରିଦେଇ ସରକାର ନିଘୋଡ଼ ନିଦରେ ଘୁଙ୍ଗୁ୍ଡ଼ି ମାରୁଛନ୍ତି । ଆଇନ କାର୍ଯ୍ୟକାରୀ ହେଉନି କାହିଁକି? ଏହାକୁ କିଏ ଦେଖିବ? ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକୁ ବାବୁମାନେ ଅଳିଆଗଦାକୁ ଫିଙ୍ଗିଦେବା ଆରାମ କରୁଛନ୍ତି । ଦୋକାନ ବଜାର ସହ ବାଣିଜ୍ୟିକ ପ୍ରତିଷ୍ଠାନର ନାମ ମଧ୍ୟ ଓଡ଼ିଆରେ ନ ଲେଖିଲେ ଦଣ୍ଡ ମିଳିବ । ଯେଉଁ ଅଧିକାରୀମାନେ ସରକାରୀ କାର୍ଯ୍ୟରେ ଓଡ଼ିଆ ଭାଷାର ବ୍ୟାପକ ବ୍ୟବହାର କରିବେ ସେମାନଙ୍କୁ ପ୍ରୋତ୍ସାହନ ମିଳିବ । ଏ ସଂକ୍ରାନ୍ତରେ ଦୁଇଟି ବିଲ୍ ବିଧାନସଭାରେ ପାରିତ ହୋଇ ଆଇନରେ ପରିଣତ ହେଲା । ଶୀତଳଭଣ୍ଡାରରେ ଏ ଆଇନ ସଢ଼ୁଛି । ଓଡ଼ିଆ ଭାଷାରେ ସରକାରୀ କାମ ବାଧ୍ୟତାମୂଳକ ଭାବେ କରିବାକୁ ଓଡ଼ିଶା ସରକାରୀ ଭାଷା (ସଂଶୋଧନ) ଆଇନ ହୋଇଛି । ଓଡ଼ିଶା ଦୋକାନ ଓ ବାଣିଜ୍ୟିକ ପ୍ରତିଷ୍ଠାନ ଅଧିନୟମ ୧୯୫୬ରେ ସଂଶୋଧନ କରିଛନ୍ତି । ସରକାରଙ୍କ ଏ ଆଇନ କିନ୍ତୁ ସେମିତି ଫରୁଆ ଭିତରେ ରହିଛି ।
କହିଲେ କୁଳ କୁଟୁମ୍ବକୁ ଲାଜ
ଭାଷାଟିଏ ମରିଗଲେ, ଜାତିଟିଏ ମରିଯାଏ । ହଜିଯାଏ ପରିଚୟ । ଭାଷା କେବଳ ଜୀବିତ ହୋଇ ରହିଲେ ହେବନି । ଭାଷା ଜୀବନ୍ତ ହେବା ଜରୁରି । ଓଡ଼ିଆ ସଭ୍ୟତାର କେନ୍ଦ୍ରରେ ରହିଛି ଆମର ଭାଷାଗତ ସ୍ୱାଭିମାନ । ଶିକ୍ଷାର ମୂଳେ ମାତୃଭାଷା । ଓଡ଼ିଆ ଭାଷା କେବଳ ଯୋଗାଯୋଗର ମାଧ୍ୟମ ନୁହେଁ । ଏହା ଆମ ଇତିହାସ, ପରମ୍ପରା ଓ ଲୋକକଥାର ଭଣ୍ଡାରଘର । କାହିଁ କେତେ ପିଢ଼ିରୁ ସାଇତା ଅସରନ୍ତି ଜ୍ଞାନର ଅମାରଘର । ସୃଜନୀ ଶକ୍ତି ଓ ଧୀଶକ୍ତିରେ ପରିପୂର୍ଣ୍ଣ ଆମ ପିଲାମାନେ ମାତୃଭାଷାରେ ଶିକ୍ଷା ଆରମ୍ଭ କଲେ ସେମାନଙ୍କର ସାମଗ୍ରିକ ବିକାଶ ଘଟେ । ଓଡ଼ିଆ ଭାଷାର ବର୍ଣ୍ଣବୋଧ ବହି ପିଲାମାନଙ୍କୁ ଘରଠାରୁ ଶ୍ରେଣୀଗୃହ ଏବଂ ଭାଷାଠାରୁ ବିଷୟ ପ୍ରବେଶ ଯାଏ ଏକ ସେତୁବନ୍ଧ ସାଜେ । ନିଜ ମାତୃଭାଷାରୁ ଅନ୍ୟ ଭାଷା ଆଡ଼କୁ ବାଟ କଢ଼ାଇ ନିଏ । ସବୁ ଜାଣି ବି ଆମେ ‘ଓଡ଼ିଆ’ ପ୍ରତି ବିମୁଖ । ଇଂରାଜୀ ଶିଖିବା, ସେହି ମାଧ୍ୟମରେ ପାଠ ପଢ଼ିବା ଅପରାଧ ନୁହେଁ । ମାତ୍ର ନିଜ ମାତୃଭାଷାକୁ ଅଣଦେଖା କରିବା କମ୍ ମୂର୍ଖାମୀ ନୁହେଁ ।
ଭାଷାକୁ ନେଇ ସରକାରଙ୍କ ସବୁ ଘୋଷଣା ମୂଲ୍ୟହୀନ । ମୁଖ୍ୟମନ୍ତ୍ରୀ ଚାହୁଁଛନ୍ତି । ସରକାରୀ ବାବୁମାନେ ମାରପେଞ୍ଚ କରି ବାଟ ଓଗାଳୁଛନ୍ତି । ଗତ ସରକାର ଅମଳରେ ୨୦୧୬ରେ ନିଷ୍ପତ୍ତି ହେଲା, ରାଜ୍ୟରେ ଶାସନ ଓଡ଼ିଆ ଭାଷାରେ ହିଁ ଚାଲିବ । ଦଶନ୍ଧି ବିତିଲାଣି । ସେମିତି ଆଖିଦୃଶିଆ ଆନ୍ତରିକତା ଦେଖିବାକୁ ମିଳୁନି । ସାଧାରଣ ଲୋକଙ୍କୁ ସେବା ଯୋଗାଉଥିବା ବିଭାଗଗୁଡ଼ିକ ମଧ୍ୟ ‘ଇଂରାଜୀ’ ପ୍ରେମରେ ଉବୁଟୁବୁ । ପ୍ରଶାସନ ପାଇଁ ଓଡ଼ିଆ ଭାଷା ‘ବିଦେଶୀ’, ଇଂରାଜୀ ହେଉଛି ‘ଦେଶୀ’ । ଦେଶର ଅନ୍ୟ ରାଜ୍ୟରେ ଏମିତି ଅବସ୍ଥା ନାହିଁ । ଆମ ଟିକସ ପଇସାରେ ଦରମା ପାଉଥିବା ସରକାରୀ ବାବୁମାନେ ଆମ ମାଟିର ଭାଷାକୁ କେତେଦିନ ହତାଦର କରି ଚାଲିଥିବେ? ଆମ ଭାଷା କେମିତି ଆଗକୁ ବଢ଼ିବ? ମାତୃଭାଷା କାଳେ କାଳେ ବିକାଶର ଶକ୍ତିଶାଳୀ ସାଧନ । ଓଡ଼ିଶା ଏବେ ସର୍ବଭାରତୀୟ ମଞ୍ଚରେ ଆଗକୁ ବଢ଼ୁଛି । ଓଡ଼ିଆ ଭାଷାରେ ଶାସନ, ନବସୃଜନ, ପ୍ରଯୁକ୍ତିବିଦ୍ୟା, ଭେଷଜ ବିଜ୍ଞାନ, କମ୍ପ୍ୟୁଟର, ଉଦ୍ଭାବନ ଓ ଗବେଷଣା ବଢ଼ିଲେ ବିଶ୍ୱସ୍ତରରେ ଆମ ଭାଷା ଆହୁରି ମର୍ଯ୍ୟାଦା ପାଇବ । ‘ଓଡ଼ିଆ’ ଭାଷାକୁ ନେଇ ଆମର ଅସହାୟ ଅବସ୍ଥା । ନା ନୂଆ ଶବ୍ଦ ସୃଷ୍ଟି କରୁଛୁ । ନା ଯାହା ଅଛି ତାକୁ ସୁରକ୍ଷା ଦେଇ ପାରୁଛୁ । ନିଜ ମାଟିର ଭାଷା ପାଇଁ ଓକିଲାତି କରିବାକୁ, କଥା କହିବାକୁ, ଶୁଣିବାକୁ କାହାର ବା ବେଳ ଅଛି?
ପୁଞ୍ଜି, ପ୍ରତିଷ୍ଠା ପାଇଁ ଆମେ ଏକମୁହାଁ ହୋଇ ଧାଇଁଛୁ ଯେ ଧାଇଁଛୁ । ମାତୃଭାଷା ପାଇଁ ସମୟ କାହିଁ ଯେ? ଦିନ ଥିଲା ଜଗନ୍ନାଥ ଦାସଙ୍କ ଭାଗବତ ପଢ଼ିବାକୁ ଲକ୍ଷ ଲକ୍ଷ ଲୋକ ଓଡ଼ିଆ ଶିଖିଲେ । ଏବେ କିନ୍ତୁ ଓଡ଼ିଆ ଶିଖି ମଧ୍ୟ ଆମେ ଠିକ୍ରେ ନା ଲେଖୁଛୁ ନା କହୁଛୁ । ଗଣମାଧ୍ୟମରୁ ଆରମ୍ଭ କରି ସର୍ବସାଧାରଣ ସ୍ଥାନ ସବୁଠି ଓଡ଼ିଆଇଂରାଜୀ-ହିନ୍ଦୀ ମିଶା କିମ୍ଭୂତକିମାକାର ଶବ୍ଦର ଅବାଧ ପ୍ରବେଶ । ବହୁ ଓଡ଼ିଆ ଶବ୍ଦର ଆକସ୍ମିକ ମୃତ୍ୟୁ କିମ୍ବା ଅପମୃତ୍ୟୁ ହେଉଛି । ଗଣମାଧ୍ୟମରେ ଓଡ଼ିଆ ଅକ୍ଷର ଅଛି, ଭାଷା କିନ୍ତୁ ହଜିଗଲାଣି । କେବଳ ସରକାର ନୁହେଁ, ପ୍ରତିଟି ଓଡ଼ିଆଙ୍କର ମଧ୍ୟ ଅଛି ଦାୟିତ୍ୱ । ଆମ ଭାଷା ପ୍ରତି ଆନ୍ତରିକତା, ଆବେଗ ଓ ଉଚ୍ଛ୍ୱାସ ପ୍ରକାଶ ପାଉ । ସରକାର ଭାଷା ଆଇନକୁ କାର୍ଯ୍ୟକାରୀ କରିବାକୁ ନିଷ୍ଠାପଣ ଦେଖାନ୍ତୁ । ଯଦି ମୋଟର ଯାନ ଆଇନ କଡ଼ାକଡ଼ି କାର୍ଯ୍ୟକାରୀ ହୋଇପାରୁଛି, ଭାଷା ଆଇନ କାହିଁକି ନୁହେଁ? ଓଡ଼ିଆ ଭାଷା କେତେଦିନ ଅଳିଆଗଦାରେ ପଡ଼ିଥିବ?