ଭୁବନେଶ୍ୱର,୧୭/୦୯: ଓଡ଼ିଆ ଚଳଚ୍ଚିତ୍ର  ‘ଲହରୀ' ମୁକ୍ତିଲାଭ କରିବା ସହ ଦର୍ଶକ ଓ  ସମାଲୋଚକଙ୍କ ପ୍ରଶଂସା ସାଉଁଟିବାରେ ଲାଗିଛି ।  ସଫଳତାର ସହ ପ୍ରଦର୍ଶନ ଜାରି ରଖିଥିବା ବେଳେ  ଏ ଭିତରେ ଏକ ଖୁସି ଖବର ଆସିଛି । ଷଷ୍ଠ ମୁମ୍ବାଇ  ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ ପାଇଁ ‘ଲହରୀ'  ମନୋନୀତ ହୋଇଛି । ଆସନ୍ତା ୨୫ ତାରିଖରେ ପୁନେ ସ୍ଥିତ ନ୍ୟାସନାଲ୍‌ ଫିଲ୍ମ ଆର୍କାଇଭ୍‌ସରେ  ପ୍ରଦର୍ଶିତ ହେବ ।

ଭାରତ ସରକାରଙ୍କ ସୂଚନା ଓ  ପ୍ରସାରଣ ମନ୍ତ୍ରଣାଳୟ ତରଫରୁ ଜାତୀୟ ଚଳଚ୍ଚିତ୍ର  ଉନ୍ନୟନ ନିଗମ ସହାୟତାରେ ଆୟୋଜିତ ଏହି  ଅନ୍ତର୍ଜାତୀୟ ମହୋତ୍ସବ ପାଇଁ ଓଡ଼ିଆ ଚଳଚ୍ଚିତ୍ର  ‘ଲହରୀ' ମନୋନୀତ ହେବା ନେଇ ପ୍ରଯୋଜିକା  ଝିଲିକ୍‌ ଭଟ୍ଟାଚାର୍ଯ୍ୟ ଓ ନିର୍ଦ୍ଦେଶକ ଅମର୍ତ୍ତ୍ୟ  ଭଟ୍ଟାଚାର୍ଯ୍ୟ ଖୁସି ବ୍ୟକ୍ତ କରିଛନ୍ତି । ପୂର୍ବରୁ ଚଳଚ୍ଚିତ୍ରଟି  କୋଲକାତା ଅନ୍ତର୍ଜାତୀୟ  ଚଳଚ୍ଚିତ୍ର ମହୋତ୍ସବ,  ମେଲବର୍ଣ୍ଣ ଚଳଚ୍ଚିତ୍ର ମହୋତ୍ସବ,  ଆଇଜଲାଣ୍ଡ ଅନ୍ତର୍ଜାତୀୟ  ଚଳଚ୍ଚିତ୍ର ମହୋତ୍ସବ  ଓ ତସ୍‌ବିର୍‌ ଚଳଚ୍ଚିତ୍ର  ମହୋତ୍ସବରେ ପୁରସ୍କୃତ  ହେବା ସହ ପ୍ରଶଂସା ଲାଭ  କରିଛି । ମୁମ୍ବାଇରେ ହେବାକୁ  ଥିବା ପ୍ରଦର୍ଶନୀରେ ଚଳଚ୍ଚିତ୍ରର  ପ୍ରଯୋଜିକା ଓ ନିର୍ଦ୍ଦେଶକ  ଯୋଗଦେବାର କାର୍ଯ୍ୟକ୍ରମ  ରହିଛି ବୋଲି ପ୍ରଯୋଜନା ସଂସ୍ଥା  ପକ୍ଷରୁ ସୂଚନା ମିଳିଛି । ସଂସ୍କୃତି, ପରମ୍ପରା ଓ  ପର୍ଯ୍ୟଟନ ବିକାଶ ସାଙ୍ଗକୁ ସାମାଜିକ ଜୀବନରେ  ମୂଳ ତତ୍ତ୍ୱ ସହ ନିଜକୁ ଯୋଡ଼ି ରଖିବା ଏବଂ ବାପ- ପୁଅର ସମ୍ପର୍କ ଉପରେ ଆଧାରିତ ରହିଛି ଏହାର  କାହାଣୀ । ବିଭିନ୍ନ ଭୂମିକାରେ ଚୌଧୁରୀ ଜୟପ୍ରକାଶ  ଦାସ, ଚୌଧୁରୀ ବିକାଶ ଦାସ, ଦୀପନ୍ୱିତ ଦାଶ  ମହାପାତ୍ର, ସୁଶାନ୍ତ ମିଶ୍ର, ପ୍ରସନ୍ନଜିତ୍‌, ସ୍ୱସ୍ତିକ  ଚୌଧୁରୀ, ଜେଇନବ ଡୋଇୟର, ସନ୍ଦୀପ ବଳ,  ଅଭିନେତ୍ରୀ ଅଙ୍କିତା, ସ୍ମୃତି ମହଲା ପ୍ରମୁଖ ଅଭିନୟ  କରିଛନ୍ତି । ପରିଚିତ ତାରକା ଦେବଶିଷ ପାତ୍ର,  ହର ରଥ, ଝିଲିକ୍‌ ପ୍ରମୁଖ ଅତିଥି କଳାକାର  ଭୂମିକାରେ ଥିବା ବେଳେ ଲୋକପ୍ରିୟ ଅଭିନେତା  ବାବୁସାନ୍‌ ମହାନ୍ତି ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ  ଦେଖା ଦେଇଛନ୍ତି । ସିନେମାରେ ସଙ୍ଗୀତ ଦେଇଛନ୍ତି  କିଶଳୟ ରୟ । କଣ୍ଠଦାନ କରିଛନ୍ତି ଗୌରବ  ଆନନ୍ଦ ଓ ନବ୍ୟା ଜାଇତି । ‘ଝିଅର ସ୍କ୍ରୁଟା ଢ଼ିଲା..'  ଗୀତଟି ଟ୍ରେଣ୍ଡିଂରେ ରହିଛି । ସିନେମାଟି ଉଭୟ  କଳାତ୍ମକ ଏବଂ ବ୍ୟବସାୟିକ ଦୃଷ୍ଟିକୋଣରୁ  ଉଚ୍ଚକୋଟୀର ହୋଇଥିବା ଦର୍ଶକମାନେ କହିଛନ୍ତି