ଭୁବନେଶ୍ୱର, ୦୨/୧୨: ଜଙ୍ଗଲ ରକ୍ଷା, ଆଦିବାସୀଙ୍କ ମର୍ଯ୍ୟାଦାର ପୁନଃସ୍ଥାପନ ଓ ଦୁଷ୍ଟ ଶକ୍ତି ଏବଂ ବ୍ୟବସ୍ଥା ବିରୁଦ୍ଧରେ ଲଢ଼େଇର କାହାଣୀକୁ ନେଇ ନିର୍ମାଣ ହୋଇଛି ନୂଆ ସିନେମା ‘ମହାକାଳ’ । ଦେବ୍ସ ଏଣ୍ଟରଟେନ୍ମେଣ୍ଟ ବ୍ୟାନରର ଦ୍ୱିତୀୟ ଅବଦାନରେ ପ୍ରସ୍ତୁତ ଏହି ଓଡ଼ିଆ ସିନେମାଟି ଆସନ୍ତା ଡିସେମ୍ବର ୧୯ ତାରିଖରେ ପ୍ରେକ୍ଷାଳୟ ମୁକ୍ତିଲାଭ କରିବାକୁ ଯାଉଛି । ଏନେଇ ଟ୍ରେଲର୍ ଏବଂ ମ୍ୟୁଜିକ୍ ରିଲିଜ୍ ଅବସରରେ ପ୍ରଯୋଜନା ସଂସ୍ଥା ପକ୍ଷରୁ ଘୋଷଣା ହୋଇଛି । ଦେବ୍ସ ଏଣ୍ଟରଟେନ୍ମେଣ୍ଟ ନିବେଦିତ ଓ ପ୍ରଯୋଜିତକ ଏହି ଫିଲ୍ମର କାହାଣୀ, ଚିତ୍ରନାଟ୍ୟ ଏବଂ ସଂଳାପ ଲେଖିଛନ୍ତି ଭରଦ୍ୱାଜ ପଣ୍ଡା । ନିର୍ଦ୍ଦେଶନା ଦେଇଛନ୍ତି ଡି.ପି. ।

ସଙ୍ଗୀତ ଦେଇଛନ୍ତି ଗୁଡ୍‌ଲି ରଥ, ସୁବାଶିଷ କୁମାର, ବିଭୂତି ଭୂଷଣ ଗଡ଼ନାୟକ । ଗୀତ ଗୁଡ଼ିକୁ ଗାଇଛନ୍ତି ସ୍ୱର୍ଗତ ହ୍ୟୁମାନ୍ ସାଗରଙ୍କ ସହ ଶୀତଲ କବି, ଏସ୍. ଜିତୁ ଓ ଲିପ୍ସା ମହାପାତ୍ର । ଡିଓପିରେ ଚିତ୍ତରଞ୍ଜନ ବିଶ୍ୱାଳ ଦକ୍ଷତାର ପ୍ରତିପାଦନ କରିଛନ୍ତି । ବିଭିନ୍ନ ଭୂମିକାରେ ନାୟକ ଦେବ, ନାୟିକା ମୋନାଲି, ମୁଖ୍ୟ ଖଳନାୟକ ଅସିତ ପତି, ଖଳନାୟକ ବ୍ରଜ ସିଂ, ଡିସ୍କୋ ରେଡ୍ଡୀ ଓ ମନ୍ମଥ ମିଶ୍ର, ହାସ୍ୟାଭିନେତା ବବୁଲ ଓ ଅନ୍ୟ କଳାକାରମାନେ ଅଭିନୟ କରିଛନ୍ତି । ଫିଲ୍ମର ପ୍ରଚାର, ପ୍ରସାର ଦାୟିତ୍ୱ ନେଇଛନ୍ତି ଅମରେଶ । ଆଜି ଟ୍ରେଲର୍ ଏବଂ ମ୍ୟୁଜିକ୍ ରିଲିଜ୍ କାର୍ଯ୍ୟକ୍ରମରେ ପୂରା ସିନେମା ଟିମ୍ ସହ ଓଲିଉଡ ଜଗତର ପ୍ରତିଷ୍ଠିତ ବ୍ୟକ୍ତି ବିଶେଷ ଯୋଗ ଦେଇଥିଲେ ।