ଭୁବନେଶ୍ୱର,୦୭/୦୨: ଫ୍ରାଇଡେ ରିଲିଜ୍‌ ଅବସରରେ ଶୁକ୍ରବାର ଶୁଭମୁକ୍ତି କରୁଛି ୨ଟି ନୂଆ ଓଡ଼ିଆ ସିନେମା । ଗୋଟିଏ  ହେଲା, ବହୁ ପ୍ରତିକ୍ଷୀତ ‘ସନାତନୀ’ ଓ ଅନ୍ୟଟି  ‘ମିଶିରି’ । ଉଭୟ ସିନେମା ମୌଳିକ କାହାଣୀ  ଉପରେ ଆଧାରିତ ବୋଲି ପ୍ରଯୋଜନା ସଂସ୍ଥା ଦ୍ୱୟ  ଦାବି କରିଛନ୍ତି । ତେବେ ‘ସନାତନୀ’ ରାଜ୍ୟର  ୨୨ଟି ପ୍ରେକ୍ଷାଳୟରେ ମୁକ୍ତିଲାଭ କରୁଥିବା ବେଳେ ‘ମିଶିରି’ ପ୍ରଥମେ ୭ଟି ହଲ୍‌ରେ ରିଲିଜ୍‌ ହେବ । ପରେ ପର୍ଯ୍ୟାୟକ୍ରମେ ବିଭିନ୍ନ ପ୍ରେକ୍ଷାଳୟରେ ରିଲିଜ୍‌ ହେବ । ଭୁବନେଶ୍ୱରର ମଲ୍ଟିପ୍ଲେକ୍ସ  ଓ କମ୍ପେ୍ଲକ୍ସରେ ସିନେମା ଦ୍ୱୟର କଳାକାରଙ୍କ  ସହ ପ୍ରିମିୟର୍‌ ସୋ’ ଅନୁଷ୍ଠିତ ହେବ ।  

ପ୍ରତିଷ୍ଠିତ ପ୍ରଯୋଜନା ସଂସ୍ଥା ବିଦିଶା  କ୍ରାଫ୍ଟ ବ୍ୟାନର୍‌ରେ ବରିଷ୍ଠ ପ୍ରଯୋଜକ ବିଜୟ  କାଣ୍ଡୋଇଙ୍କ ପ୍ରଯୋଜନାରେ ସିନେମାଟି ନିର୍ମାଣ ହୋଇଛି। ଏହାର କାହାଣୀ, ଚିତ୍ରନାଟ୍ୟ ସାଙ୍ଗକୁ  ନିର୍ଦ୍ଦେଶନା ଦେଇଛନ୍ତି ବାସୁଦେବ ବରାଡ଼ । ଫିଲ୍ମର ସଂଳାପ ମାନସ ରଞ୍ଜନ ସାମଲ ଏବଂ ଦୀପ୍ତି ପଟ୍ଟନାୟକ ଲେଖିଛନ୍ତି । ଗୀତ  ରଚନା ଡା. ନିର୍ମଳ ନାୟକ କରିଥିବା ବେଳେସଙ୍ଗୀତ ଦେଇଛନ୍ତି ଅଭିଜିତ୍‌ ମଜୁମ୍‌ଦାର୍‌ । ଏହାର କାହାଣୀ ମୁଖ୍ୟତଃ ଧର୍ମାନ୍ତୀକରଣ ଉପରେ ପର୍ଯ୍ୟବେସିତ । ଏଥିରେ ଓଲିଉଡ୍‌ର ପରିଚିତ ନାୟକ ସମ୍ବିତଙ୍କୁ ଏକ ଭିନ୍ନ ଚରିତ୍ର  ଓ ଗେଟ୍‌ଅପ୍‌ରେ ଦର୍ଶକ ଦେଖିବାକୁ ପାଇବେ । ତାଙ୍କ ନାୟିକା ରହିଛନ୍ତି ଆର୍ଲିନ୍‌ ଅଙ୍କିତା । ଏମାନଙ୍କ ବ୍ୟତୀତ ଅନ୍ୟାନ୍ୟ ମୁଖ୍ୟ ଚରିତ୍ରରେ ପପି ସନ୍ତୁକା, ଗୁଡ଼ୁ, ଜଗନ୍ନାଥ ସେଠ୍‌, ଗୋପାଳ  ପ୍ରକାଶ ମହାନ୍ତି ଓ ବବ୍‌ଲୁ ପ୍ରମୁଖ ଅଭିନୟ  କରିଛନ୍ତି । ବହୁ ବାଦ-ବିବାଦ ପରେ ଶେଷରେ ସିନେମାଟି ମୁକ୍ତିପ୍ରାପ୍ତ କରୁଛି । ଆଶା, ଏହି  ସିନେମା ଧର୍ମ ନାଁରେ ବେପାର ଓ ଧର୍ମାନ୍ତୀକରଣ  ଉପରେ ପ୍ରଭାବ ପକାଇବ । ଅନେକଙ୍କ ଆଖି ଓ ମୁଖା ଖୋଲିବ । ତେଣୁ ହଲ୍‌ ଆସି ସିନେମା  ଦେଖିବା ସହ ମତାମତ ରଖିବାକୁ ପ୍ରଯୋଜନା  ସଂସ୍ଥା ପକ୍ଷରୁ ଦର୍ଶକଙ୍କୁ ନିବେଦନ କରାଯାଇଛି ।  

ସେହିପରି ନିର୍ମଲ୍‌ ଜୈସୱାଲ୍‌ ପ୍ରଡକ୍ସନ୍ସ,  ରିଲ୍ସ ଏନ୍‌ ରିଲ୍ସ ଏବଂ ଏଏ ଏଣ୍ଟର୍‌ଟେନ୍‌ମେଣ୍ଟ  ଦ୍ୱାରା ପ୍ରଯୋଜିତ ଓଡ଼ିଆ ଚଳଚ୍ଚିତ୍ର "ମିଶିରି' ମଧ୍ୟ ମୁକ୍ତିଲାଭ କରୁଛି । ଏହା ଏକ ରୋମାଣ୍ଟିକ ଫିଲ୍ମ  ହୋଇଥିବାବେଳେ ନିଜର ହୃଦୟସ୍ପର୍ଶୀ କାହାଣୀ  ଦ୍ୱାରା ଏହା ଦର୍ଶକଙ୍କୁ ଖୁବ୍‌ ପସନ୍ଦ ଆସିବ।  ଫିଲ୍ମରେ ରୋମାଣ୍ଟିକ ରଙ୍ଗର ଛିଟା ସହିତ  କାହାଣୀରେ ବିଭିନ୍ନ ମୋଡ଼ରେ ଭରି ରହିଥବା ଟ୍ୱିଷ୍ଟ ଦର୍ଶକଙ୍କୁ ପ୍ରେକ୍ଷାଳୟରେ ବାନ୍ଧି ରଖିବ  ଏବଂ ଯୁବପିଢ଼ିଙ୍କୁ ବେଶି ପସନ୍ଦ ଆସିବ ବୋଲି  ସହ ପ୍ରଯୋଜକ ସ୍ଥିତ ପଟ୍ଟନାୟକ କହିଛନ୍ତି ।  

ପ୍ରଯୋଜକ ନିର୍ମଲ୍‌ ଜୈସୱାଲ୍‌ଙ୍କ ସହ ଆକାଂକ୍ଷା  ପାଢ଼ୀ, ଲେଖକ ଶିବା, ଦୁଇ ଜଣ ନିର୍ଦ୍ଦେଶକ  ଶିଶିର ଏବଂ ପିନାକୀ, ସଙ୍ଗୀତ ନିର୍ଦ୍ଦେଶକ  ଅଭିଷେକ, ଈଶାନ, କୌଶିକ, କଣ୍ଠଶିଳ୍ପୀ  କୁଲଦୀପ ପଟ୍ଟନାୟକ, ଅର୍ପିତା ଚୌଧୁରୀ, ସ୍ୱୟମ୍‌ ପାଢ଼ୀ, ପ୍ରଭାସ ଜେନା, ଅଭିନେତା  ଭିଭାସ, ପ୍ରସନ୍ନଜିତ୍‌, ଅଭିନେତ୍ରୀ ରୂପଶ୍ରୀ ଓ  ଅନ୍ୟମାନେ ହଲ୍‌ ଆସି ସିନେମା ଦେଖିବା ସହ  କଳାକାରଙ୍କୁ ଉତ୍ସାହିତ କରିବେ ଏବଂ ନିଜର  ଭଲପାଇବା ମାଧ୍ୟମରେ ଓଡ଼ିଆ ସିନେମାକୁ  ଆଗେଇ ନେବାକୁ ଅନୁରୋଧ କରିଛନ୍ତି ।