ଭୁବନେଶ୍ଵର, ୨୦/୦୩ : ପଖାଳ ପର୍ବ ଉପଲକ୍ଷେ ପାନ୍ଥ ନିବାସରେ କରାଯାଇଛି ଭବ୍ୟ ଆୟୋଜନ । ପ୍ରଥମ ଥର ପାଇଁ ଗୋଟିଏ ପାତ୍ରରେ ୮୦୦-୮୫୦ କିଲୋର ପଖାଳ ପ୍ରସ୍ତୁତ କରି ବିଶ୍ୱ ରେକର୍ଡ ପାଇଁ ଚେଷ୍ଟା କରାଯିବ । ଏଥିସହ ଆମିଷ ଓ ନିରାମିଷର ୩୬୫ ପ୍ରକାର ବ୍ୟଞ୍ଜନ ମଧ୍ୟ ପ୍ରସ୍ତୁତ ହେବ । ପର୍ଯ୍ୟଟନ ବିଭାଗ ପକ୍ଷରୁ ସାଂସ୍କୃତିକ ଐତିହ୍ୟକୁ ବିଶ୍ୱ ଦରବାରରେ ପହଞ୍ଚାଇବା ପାଇଁ ଏହି ପ୍ରୟାସ କରାଯାଉଛି । ଶେଫ୍‌ ଅବିନାଶ ଏହାର ନେତୃତ୍ୱ ନେବେ।

ଏହାବ୍ୟତୀତ ହାଣ୍ଡି ଚାଉଳ, କଳା ଚାଉଳ, ନାଲି ଚାଉଳ, ପୁସା ଚାଉଳ ଭଳି ୧୫ ପ୍ରକାର ଚାଉଳରୁ ପ୍ରସ୍ତୁତ ପ୍ରାୟ ୩୦ ପ୍ରକାର ପଖାଳ ମଧ୍ୟ ଉପଲବ୍ଧ ରହିବ । ଦହି ପଖାଳ, ଚିପୁଡ଼ା ପଖାଳ, ଲେମ୍ବୁ ପଖାଳ, ଛୁଙ୍କ ପଖାଳ, ବାସି ପଖାଳ ସବୁ ମିଳିବ ଗୋଟିଏ ଜାଗାରେ । କେବଳ ଏତିକି ନୁହେଁ, ଓଡ଼ିଆ ପଖାଳରେ ବିଦେଶୀ ଛୁଙ୍କ ଦେଇ ଏକ ଅନ୍ତର୍ଜାତୀୟ ସ୍ତରର ପଖାଳ ମଧ୍ୟ ପରସାଯିବ । ଲେମନ୍‌ଟ୍ରି ପଖାଳ, ଆସାମଓଡ଼ିଶା ପଖାଳ, ମିଣ୍ଟୋ ଫ୍ରେସ୍‌ ପଖାଳ, ଅରେଞ୍ଜ-ମାଣ୍ଡାରିନ୍‌ ପଖାଳ ଭଳି କି ଭଳି ଫ୍ୟୁଜନ୍‌ ଷ୍ଟାଇଲ୍‌ ପଖାଳ ଉପଲବ୍ଧ ହେବ । ୪ଟି ହୋଟେଲ ଲାଇଭ୍‌ କାଉଣ୍ଟର୍‌ରେ ଖାଦ୍ୟ ପରସିବେ । ବିଦେଶରେ ଥିବା ଓଡ଼ିଆ ସମାଜ ଆଭାସୀ ମାଧ୍ୟମରେ ଯୋଡ଼ିହେବେ । ସମସ୍ତେ ମିଶି ପାଳିବେ ପଖାଳ ଦିବସ । ‘ରବିନ୍‌ ହୁଡ୍‌ ଆର୍ମି' ସହ ମିଳିତ ସହଯୋଗରେ ଆୟାଜିତ ଏହି କାର୍ଯ୍ୟକ୍ରମରେ ଖାଦ୍ୟ ନଷ୍ଟ ନ କରିବାର କଠୋର ନୀତି ଅବଲମ୍ବନ କରାଯିବ ବୋଲି ବିଭାଗ ପକ୍ଷରୁ ସୂଚନା ମିଳିଛି ।

ଏହି ଖବରଟିକୁ ପଢନ୍ତୁ- ଆଜି ବିଶ୍ୱ ପଖାଳ ଦିବସ: ପାନ୍ଥନିବାସରେ ଜମିବ ପଖାଳ ପରବ, ଯୋଗଦେବେ ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ