ଭୁବନେଶ୍ୱର ୨୦/୦୩: ଆରମ୍ଭ ହେଲା ‘ପଖାଳ ପର୍ବ-୨୦୨୬' । ସ୍ଥାନୀୟ ପାନ୍ଥନିବାସଠାରେ ଆୟୋଜିତ ଓଡ଼ିଶା ରୋଷେଇ ପରମ୍ପରାର ଏହି ଦୁଇ ଦିନିଆ ପର୍ବ ଗୁରୁବାର ଉଦ୍‌ଘାଟିତ ହୋଇଯାଇଛି । ପ୍ରଥମ ଦିନରେ ଆନ୍ତର୍ଜାତୀୟ ସ୍ତରର ଆଲୋଚନା ଚକ୍ର ତଥା କର୍ମଶାଳା ଆୟୋଜିତ ହୋଇଛି । ଆଜି ପଖାଳ ପର୍ବ ଅବସରରେ ବିଶ୍ୱ ରେକର୍ଡ ପାଇଁ ପ୍ରଚେଷ୍ଟା କରାଯିବ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ଉପ- ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି କାର୍ଯ୍ୟକ୍ରମରେ ଯୋଗଦେବେ।

ପର୍ଯ୍ୟଟନ ବିଭାଗ ନିର୍ଦ୍ଦେଶକ ଦୀପଙ୍କର ମହାପାତ୍ର ଆଜିର ଉଦ୍‌ଘାଟନୀ ଅଧିବେଶନକୁ ସମ୍ବୋଧିତ କରିଥିଲେ । ପଦ୍ମଶ୍ରୀ ଡା. ଅଶୋକ କୁମାର ମହାପାତ୍ର ଯୋଗଦେଇ ପଖାଳର ଔଷଧୀୟ ଗୁଣ ସମ୍ପର୍କରେ ଆଲୋକପାତ କରିବା ସହିତ ଜଗନ୍ନାଥ ସଂସ୍କୃତିରେ ଏହାର ଅନନ୍ୟ ମହତ୍ତ୍ୱକୁ ସୁନ୍ଦର ଭାବେ ଉପସ୍ଥାପନ କରିଥିଲେ । ପ୍ରଫେସର ଡ. ସିତିକଣ୍ଠ ମିଶ୍ର ଏବଂ ସନ୍ଦୀପ ମୁଖାର୍ଜୀ ପ୍ରମୁଖ ସ୍ଥାୟୀ ଖାଦ୍ୟର ଦର୍ଶନ, ଧାନର ବିବିଧତା ଏବଂ ଆଧୁନିକ ହୋଟେଲ ଶିଳ୍ପରେ ପାରମ୍ପରିକ ଖାଦ୍ୟର ପ୍ରାସଙ୍ଗିକତା ଉପରେ ଆଲୋଚନା କରିଥିଲେ।

‘ମନ୍ଦିର ରୋଷେଇ ଶାଳରୁ ଘରୋଇ ଚୁଲି ପର୍ଯ୍ୟନ୍ତ: ଓଡ଼ିଆ ରୋଷେଇର ସାଂସ୍କୃତିକ ମୂଳ' ଏବଂ ‘ସ୍ଥାନୀୟ ପରମ୍ପରାରୁ ବିଶ୍ୱସ୍ତରୀୟ ବ୍ରାଣ୍ଡ: ଓଡ଼ିଆ ରୋଷେଇ ପାଇଁ ମାର୍କେଟିଂ ରଣନୀତି' ଶୀର୍ଷକ ଆଲୋଚନାଚକ୍ର କାର୍ଯ୍ୟକ୍ରମର ଅନ୍ୟତମ ଆକର୍ଷଣ ଥିଲା । ଡ. ସୁଧାଂଶୁ ଶେଖର ପଟ୍ଟନାୟକ, ଦେବାଶିଷ ପଟ୍ଟନାୟକ, ବିଶ୍ୱନାଥ ସାମନ୍ତରାୟ, ବି. ପି. ତ୍ରିପାଠୀ, ପ୍ରଫେସର ତପନ କୁମାର ପଣ୍ଡା, ପ୍ରଫେସର ପ୍ରୀତି ରଞ୍ଜନ ସାହୁ, ରିତୁ ପଟ୍ଟନାୟକ ଏବଂ ଶେଫ୍ ଅବିନାଶ ନାୟକ ପ୍ରମୁଖ ନିଜ ନିଜ ମତ ରଖିଥିଲେ ।

ଅଧିକ ପଢ଼ନ୍ତୁ :-  ଆସୁଛି କାଳବୈଶାଖୀ, ଉତ୍ତର ଓ ଉପକୂଳ ଓଡ଼ିଶାରେ ବର୍ଷିବ, ଝଡ଼ବର୍ଷା ପାଇଁ ୬ ଜିଲ୍ଲାକୁ ଅରେଞ୍ଜ ଓ୍ବାର୍ଣ୍ଣିଂ

 

​​​​​​​