ଭୁବନେଶ୍ୱର,୧୬/୧୧: ଓଲିଉଡ୍ କଣ୍ଠଶିଳ୍ପୀ ହ୍ୟୁମାନ୍ ସାଗରଙ୍କ ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ହୋଇପଡିଛି । ତାଙ୍କୁ ଶନିବାର କ୍ରିଟିକାଲ କେୟାର ଭେଣ୍ଟିଲେଟରରେ ଭର୍ତ୍ତି କରାଯାଇଛି। ଆଗାମୀ ୭୨ଘଣ୍ଟା ପର୍ଯ୍ୟନ୍ତ ନିରୀକ୍ଷଣରେ ରଖାଯାଇଥିବା ବେଳେ ଡାଏଲିସିସ୍ ଆରମ୍ଭ ହୋଇଥିବା ଭୁବନେଶ୍ୱର ଏମ୍ସ ପକ୍ଷରୁ ସୂଚନା ମିଳିଛି ।

ଏମ୍ସ ପକ୍ଷରୁ ଜାରି ବୁଲେଟିନ୍‌ରେ କୁହାଯାଇଛି, ହ୍ୟୁମାନଙ୍କ ଏକାଧିକ ଅଙ୍ଗ ପ୍ରଭାବିତ ହେବା ସହ ନିମୋନିଆ, କ୍ରୋନିକ୍ ଲିଭର, କିଡ୍‌ନି ନଷ୍ଟ ହୋଇଯାଇଛି । ତେଣୁ ତାଙ୍କୁ ଆଇସିୟୁକୁ ସ୍ଥାନାନ୍ତର କରାଯାଇଥିଲା । ଗତକାଲିଠୁ ୨୪ଘଣ୍ଟା ପର୍ଯ୍ୟନ୍ତ ତାଙ୍କୁ ଡାକ୍ତରୀ ନିରୀକ୍ଷଣରେ ରଖାଯାଇଥିଲା । ଏବେ ଏମ୍ସ ଏକ୍‌ମୋ ବିଶେଷଜ୍ଞ ଡା. ଶ୍ରୀକାନ୍ତ ବେହେରାଙ୍କ ନେତୃତ୍ୱରେ ଗଠନ ହୋଇଥିବା ସ୍ୱତନ୍ତ୍ର ମେଡିକାଲ ଇଣ୍ଟେନସିଭ୍ କେୟାର ୟୁନିଟ୍ (ଏମଆଇସିୟୁ) ଟିମ୍ ହ୍ୟୁମାନଙ୍କ ଚିକିତ୍ସା କରୁଛନ୍ତି ।

ଅପରପକ୍ଷେ, ଶନିବାର ପୂର୍ବାହ୍ନରେ ହ୍ୟୁମାନଙ୍କ ମା’ ଓ ତାଙ୍କ ସମ୍ପର୍କୀୟ ଏମ୍ସରେ ପହଞ୍ଚି ପୁଅକୁ ଦେଖିଥିଲେ । ହ୍ୟୁମାନଙ୍କ ଜୀବନ ବଞ୍ଚାଇବାକୁ ସରକାର ଓ ବଦାନ୍ୟ ବ୍ୟକ୍ତିମାନଙ୍କ ସହାୟତା ଲୋଡ଼ିଥିଲେ ପରିବାର । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ହ୍ୟୁମାନ୍‌ଙ୍କ ଚିକିତ୍ସା କରୁଥିବା ଡାକ୍ତର ସହ କଥା ହୋଇ ତାଙ୍କୁ ସର୍ବୋତ୍ତମ ଚିକିତ୍ସା ଯୋଗାଇଦେବାକୁ କହିଛନ୍ତି । ଆବଶ୍ୟକ ହେଲେ ତାଙ୍କୁ ଦିଲ୍ଲୀ ଏମ୍ସକୁ ସ୍ଥାନାନ୍ତର କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହ୍ୟୁମାନଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି । ସେହିପରି ଅଭିନେତା ତଥା ରାଜନେତା ଅନୁଭବ ମହାନ୍ତି ମଧ୍ୟ ହ୍ୟୁମାନଙ୍କ ସ୍ୱାସ୍ଥ୍ୟାବସ୍ଥା ବୁଝିଥିଲେ ।