ପ୍ରମୂଖ ଖବର
  • ଗୁଗୁଲ୍-ମେଟାକୁ ଇଡ଼ି ନୋଟିସ୍‌, ଅନ୍‌ଲାଇନ୍ ବେଟିଂ ଆପ୍‌ ମାମଲାରେ ସମନ୍‌
  • ||
  • ପୁରୀ: ବଳଙ୍ଗା ଥାନା ଅଞ୍ଚଳରେ ଅଭାବନୀୟ ଘଟଣା, ନାବାଳିକାଙ୍କୁ ନିଆଁ ଲଗାଇ ପୋଡ଼ି ଦେଲେ ୩ ଦୃର୍ବୃତ୍ତ
  • ||
  • ଢେଙ୍କାନାଳ ଗଉଡ଼କାଟେଣିରେ ଟ୍ରକ୍-‌ହାୱାଇ ମୁହାଁମୁହିଁ ଧକ୍କା, ହାୱାଇ ଡ୍ରାଇଭର ଗୁରୁତର
  • ||
  • ଶିକ୍ଷକ ଅଭାବରୁ ସ୍କୁଲରେ ତାଲା ପକାଇଲେ ଗ୍ରାମବାସୀ, ଧାରଣାରେ ଛାତ୍ରଛାତ୍ରୀ
  • ||
  • ମାଲକାନଗିରି: ଏନ୍‌କାଉଣ୍ଟରରେ ୬ ମାଓବାଦୀ ନିହତ, AK-47, SRL ରାଇଫଲ୍ ସମେତ ବିପୁଳ ବିସ୍ଫୋରକ ଜବତ
  • ||
  • କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ଚେତାବନୀ, ଏନ୍‌ଆଇଏ ମାମଲା ପାଇଁ ସ୍ୱତନ୍ତ୍ର କୋର୍ଟ ବନାଅ...
  • ||
  • ଜଳେଶ୍ବର: ଟ୍ରକ୍‌କୁ ଧକ୍କା ଦେଲା ବସ୍‌; ୩୦ ଜଣ ଯାତ୍ରୀ ଆହତ
  • ||
  • ଶନିବାରଠୁ ଚାଷୀ ପଞ୍ଜୀକରଣ, ଅଗଷ୍ଟ ୨୦ ଯାଏ ଚାଲିବ ପ୍ରକ୍ରିୟା: ନଭେମ୍ବର ପ୍ରଥମ ସପ୍ତାହରୁ ଧାନକିଣା
  • ||
  • ୨୩ରେ ଲଘୁଚାପ, ୨୫ରେ ନେଇପାରେ ଅବପାତ ରୂପ: ଆଜିଠୁ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷା ଆଶଙ୍କା
  • ||

ସପ୍ତାହକ ପରେ ବିଧାନସଭା ଶୀତ ଅଧିବେଶନ: ୫ ମାସ ବନାମ ୨୪ ବର୍ଷ ସରକାରର ହେବ ଗୋହି ଖୋଳାଖୋଳି

Published By : Prameya | November 19, 2024 12:26 PM

ଭୁବନେଶ୍ୱର୧୯/୧୧: ଆମ୍ବ  ଟାକୁଆ ମୃତ୍ୟୁର ଦୋଷ କାହା ମୁଣ୍ଡରେ  ଯିବ? ଆଇନଶୃଙ୍ଖଳାର ଗୋହି ଖୋଳା  କେଉଁ ଯାଏ ଲମ୍ବିବ? ଭତ୍ତା, ରାସନ କାର୍ଡ, ଦରଦାମ, ଦୁର୍ନୀତି ପ୍ରସଙ୍ଗରେ  କିଏ କାହାକୁ ଘେରିବ? ଗନ୍ଧମାର୍ଦ୍ଦନରୁ  ମେଘନାଦ ପାଚେରି ଭାୟା ଭରତପୁର  ଥାନା ଆଦି ସବୁ ପ୍ରସଙ୍ଗ ଉଠିବ  ବିଧାନସଭାରେ । ୫ ମାସିଆ ସରକାରଙ୍କୁ  ଘେରିବାକୁ ବିରୋଧୀ ଦଳ ପ୍ରସଙ୍ଗର  ଥାକ ପ୍ରସ୍ତୁତିରେ ଲାଗିଛନ୍ତି । ଅନ୍ୟପଟେ  ପାଲଟା ଜବାବ ଦେବାକୁ ଯାଇ ସରକାରୀ  ଦଳ ଓ ମନ୍ତ୍ରୀଗଣ ୨୪ ବର୍ଷର ପୁରୁଣା  ଦୋଷ ଦୁର୍ବଳତାର ଦସ୍ତାବିଜ ଥାକ କରୁଛନ୍ତି। 

ଆସନ୍ତା ୨୬ରୁ ବିଧାନସଭାର ଶୀତ  ଅଧିବେଶନ । ଚାଲିବ ଡିସେମ୍ବର ଶେଷ  ପର୍ଯ୍ୟନ୍ତ । ଆକ୍ରମଣ-ପ୍ରତି ଆକ୍ରମଣରେ  ବେଶ୍‌ କମ୍ପିଥିଲା ସପ୍ତଦଶ ବିଧାନସଭାର  ପ୍ରଥମ ଅଧିବେଶନ । ଯେତିକି ଆକ୍ରମଣ  ବିରୋଧୀ କରିଥିଲେ, ତା’ଠାରୁ ଢେର  ଅଧିକ ପାଲଟା ଆକ୍ରମଣ କରିଥିଲେ  ସରକାରୀ ଦଳ । ଶିଶୁ ସରକାର  ବନାମ ୨୪ ବର୍ଷ ଶାସନକୁ ନେଇ  ବେଶ୍‌ ରୋଚକ ଥିଲା ଗଲା ବଜେଟ  ଅଧିବେଶନ ।  

ଏବେ ପୁଣି ବିଧାନସଭା  ଅଧିବେଶନ ଆରମ୍ଭ ହେଉଛି ସପ୍ତାହକ  ପରେ । ଏହାକୁ ନେଇ ଅଣ୍ଟା ଭିଡ଼ିଲେଣି  ତିନି ଦଳ । ଗଲା ଅଧିବେଶନରେ  ବିଜେଡି ଆରମ୍ଭରୁ ଯେମିତି ଦମ୍ଭ  ଦେଖାଇଥିଲା, ଶେଷ ଯାଏ ବଳବତ୍ତର  ରଖିପାରି ନଥିଲା । ପ୍ରଥମ କରି  ବିରୋଧୀ ଦଳ ନେତା ଆସନରେ  ବସିଥିବା ନବୀନ ପଟ୍ଟନାୟକଙ୍କ ଉପସ୍ଥିତି  କମ୍‌ ଥିଲା ବିଧାନସଭାରେ । ଅସୁସ୍ଥତା  ଯୋଗୁ ଉପନେତା ପ୍ରସନ୍ନ ଆଚାର୍ଯ୍ୟ ପ୍ରାୟତଃ ଅନୁପସ୍ଥିତ ଥିଲେ । ବିରୋଧୀ  ଦଳର ମଙ୍ଗ ଥିଲା ମୁଖ୍ୟ ସଚେତକ  ଭେଟେରାନ ପ୍ରମିଳା ମଲ୍ଲିକଙ୍କ ହାତରେ ।  

ମାତ୍ର ଅନ୍ୟ ସାଥୀମାନଙ୍କଠାରୁ ସେଭଳି  ସମର୍ଥନ ପ୍ରମିଳାଙ୍କ ପଛରେ ଥିଲା ଭଳି  ମନେ ହେଉନଥିଲା । କିଛି ହାତଗଣତି  ନେତାଙ୍କୁ ଛାଡ଼ିଦେଲେ ସରକାରଙ୍କୁ  ବିଜେଡିରୁ ସେଭଳି ତଗଡ଼ା ଆକ୍ରମଣ  କେହି କରିପାରି ନଥିଲେ । ଦଳର  ବରିଷ୍ଠ ବିଧାୟକ ଗଣେଶ୍ୱର ବେହେରା  କହିଛନ୍ତି, ପ୍ରସଙ୍ଗ ଅନେକ ରହିଛି ।  ସବୁଠୁ ବଡ଼ ପ୍ରସଙ୍ଗ ହେବ ଆମ୍ବ ଟାକୁଆ  ଜାଉ ଖାଇ ମୃତ୍ୟୁ ଘଟଣା । ଆଳୁ,  ପିଆଜ ଭଳି ଖାଦ୍ୟ ସାମଗ୍ରୀର ଦର  ବୃଦ୍ଧି ଅନ୍ୟତମ ପ୍ରମୁଖ ପ୍ରସଙ୍ଗ ହେବ ।  ଏହାକୁ ବିଧାନସଭାରେ ଉଠାଇବୁ ।  ଆଇନଶୃଙ୍ଖଳା ନେଇ ସରକାରଙ୍କୁ  ଘେରିବୁ । ଭରତପୁର ଥାନା କଥା ବି  ଉଠିବ । ଶ୍ରୀମନ୍ଦିର ମେଘନାଦ ପାଚେରି  ପ୍ରସଙ୍ଗ ବି ବିଧାନସଭାରେ ଗମ୍ଭୀରତାର  ସହ ଆଲୋଚନା କରାଯିବ । 

କଂଗ୍ରେସ ବିଧାୟକ ଦଳ ଉପନେତା  ଅଶୋକ ଦାସ କହିଛନ୍ତି, ଲୋକଙ୍କ  ସ୍ୱରକୁ କଂଗ୍ରେସ ବିଧାନସଭାରେ  ଉଠାଇବ । ସରକାରଙ୍କ ବିଫଳତାର  ଲମ୍ବା ଚିଠା ପ୍ରସ୍ତୁତ ହୋଇଛି । ଅନାହାର  ମୃତ୍ୟୁ ପୁଣି ଫେରିଛି । ଲୋକେ  ଭୋକରେ ଆମ୍ବ ଟାକୁଆ ଜାଉ ଖାଇ  ଜୀବନ ହରାଇଛନ୍ତି । ଏ ପ୍ରସଙ୍ଗ ଉଠିବ ।  ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇଛି ।  ପ୍ରତିଦିନ ୩/୪ଟି ବଳାତ୍କାର ଘଟଣା  ସାମ୍ନାକୁ ଆସୁଛି । ୩ ହଜାର ଟଙ୍କା ଭତ୍ତା  କୁଆଡ଼େ ଗଲା? ରାସନ କାର୍ଡ କୁଆଡ଼େ  ଗଲା? ଏସବୁ ମିଥ୍ୟା ପ୍ରତିଶ୍ରୁତିକୁ ନେଇ  ସରକାରଙ୍କୁ ଘେରିବୁ । 

ବିଜେପି ବିଧାୟକ ବାବୁ ସିଂ  କହିଛନ୍ତି, ଆମେ ସବୁ ପ୍ରସଙ୍ଗର  ସାମ୍ନା କରିବାକୁ ପ୍ରସ୍ତୁତ । ସରକାର  ସବୁ ଆଲୋଚନା କରିବେ । ୨୪  ବର୍ଷର ଶାସନରେ ଯେଉଁମାନେ କିଛି  କରିଲେ ନାହିଁ, ସେମାନେ ଏବେ ଲମ୍ବା  ଭାଷଣ ଦେଉଛନ୍ତି । ଆମ ସରକାର  ସାଧାରଣ ଲୋକଙ୍କ ସରକାର ।  ଲୋକଙ୍କର ସମସ୍ୟାର ସମାଧାନ ପାଇଁ  ୫ ମାସର ସରକାର ସବୁ ପ୍ରୟାସ  ଚଳାଇଛନ୍ତି । ଆମ୍ବ ଟାକୁଆ କଥା ଏବେ  ଯେଉଁମାନେ ଉଠାଇଛନ୍ତି, ସେମାନେ  ନିଜ ଶାସନକାଳକୁ ମନେ ପକାଇବା  ଉଚିତ । ସେତେବେଳେ ଅନାହାର ପାଇଁ  ଲୋକେ ଆମ୍ବ ଟାକୁଆ ଖାଉଥିଲେ ।  ବର୍ତ୍ତମାନ ସଭିଙ୍କୁ ଚାଉଳ ମିଳୁଛି ।  

ଏଥର ସମସ୍ତଙ୍କ ନଜର ରହିବ  ନବୀନଙ୍କ ଉପରେ । ନବୀନ ସକ୍ରିୟ  ହୋଇ ଦଳର ଆତ୍ମବିଶ୍ୱାସ ବଢ଼ାଇବେ  ନା ପୂର୍ବଭଳି କାଁ ଭାଁ ଆସିବେ । ଗୃହ  ଭିତରେ ହଙ୍ଗାମା କରିବା ସହ ଗୃହ  ବାହାରେ ବିରୋଧୀ ଦଳ କେତେ  ପ୍ରସଙ୍ଗ ତେଜିବେ, ତାହା ଉପରେ ବି  ନଜର ରହିବ ସଭିଙ୍କର । ବିଧାନସଭା  ଅଧିବେଶନ ଭିତରେ କଂଗ୍ରେସ ଦଳର  ନୂଆ ରାଜ୍ୟ ମୁଖିଆ ଚୟନ ହେବେ କି  ନାହିଁ, ତାହା ଆଉ ଏକ ବଡ଼ ପ୍ରଶ୍ନ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.