ଭୁବନେଶ୍ୱର,୧୭/୦୨: ଯୁଗ୍ମ ପ୍ରବେଶିକା ପରୀକ୍ଷା (ଜେଇଇ) ମେନ୍ ସେସନ୍-୧ ଫଳ ପ୍ରକାଶ ପାଇଛି । ସୋମବାର ପେପର-୧ (ବିଇ/ ବିଟେକ୍) ପରୀକ୍ଷା ଫଳ ପ୍ରକାଶ ପାଇଛି। ନ୍ୟାସନାଲ୍ ଟେଷ୍ଟିଂ ଏଜେନ୍ସି (ଏନ୍‌ଟିଏ) ପରିଚାଳିତ ଏହି ପରୀକ୍ଷାରେ ୧୨ ଜଣ ଛାତ୍ରଛାତ୍ରୀ ଶତ ପ୍ରତିଶତ ରେଜଲ୍ଟ କରିଛନ୍ତି । ରାଜସ୍ଥାନର ସର୍ବାଧିକ ୩ଜଣ ଶତପ୍ରତିଶତ ରେଜଲ୍ଟ କରିଛନ୍ତି । ଏଥିସହ ଆନ୍ଧ୍ରପ୍ରଦେଶର ୨ଜଣ, ଦିଲ୍ଲୀ, ବିହାର, ଓଡ଼ିଶା, ହରିୟାଣା, ମହାରାଷ୍ଟ୍ର, ଗୁଜୁରାଟ, ତେଲେଙ୍ଗାନାରୁ ଜଣେ ଲେଖାଏଁ ଶିକ୍ଷାର୍ଥୀ ୧୦୦ ପ୍ରତିଶତ (ପର୍ସେଣ୍ଟାଇଲ୍) ରେଜଲ୍ଟ ରଖିଛନ୍ତି । ୪୩ଜଣ ରାଜ୍ୟ ଟପର ହୋଇଛନ୍ତି । ଏଥିରେ ଭବେଶ ପାତ୍ର ଓଡ଼ିଶା ଟପର ହୋଇଛନ୍ତି । ଭବେଶ ଶତ ପ୍ରତିଶତ ଏନ୍‌ଟିଏ ସ୍କୋର କରିଛନ୍ତି । ଏନ୍‌ଟିଏ ୱେବ୍‌ସାଇଟ୍‌ରେ ଏହି ପରୀକ୍ଷା ଫଳ ପ୍ରକାଶ ପାଇଛି ।

ସୂଚନାଯୋଗ୍ୟ, ଜାନୁଆରୀ ୨୧ରୁ ୨୮ ତାରିଖ ଯାଏ ଜେଇଇ ମେନ୍ ସେସନ୍-୧ ପରୀକ୍ଷା ହୋଇଥିଲା । ଏଥିପାଇଁ ୧୩ ଲକ୍ଷ ୫୫ ହଜାର ୨୯୩ ଜଣ ପରୀକ୍ଷା ପାଇଁ ପଞ୍ଜିକରଣ କରିଥିଲେ । ଏଥିରୁ ୧୩ ଲକ୍ଷ ୪ ହଜାର ୬୫୩ ଜଣ ପରୀକ୍ଷା ଦେଇଥିଲେ । ଆବେଦନର ମୋଟ ୯୬.୨୬% ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ଏଥିରୁ ୮ ଲକ୍ଷ ୫୫ ହଜାର ୫୮ ଜଣ ଛାତ୍ର ପରୀକ୍ଷା ଦେଇଥିବା ବେଳେ ୪ ଲକ୍ଷ ୪୯ ହଜାର ୫୬୮ ଜଣ ଛାତ୍ରୀ ପରୀକ୍ଷା ଦେଇଥିଲେ । ୬୮ଜଣଙ୍କ ରେଜଲ୍ଟ ପ୍ରକାଶ କରାଯାଇନାହିଁ । ଏନ୍‌ଟିଏ ପକ୍ଷରୁ ପ୍ରକାଶ ତାଲିକା ଅନୁଯାୟୀ ଦିଲ୍ଲୀର ଶେୟାସ୍ ମିଶ୍ର ୧୦୦ ସ୍କୋର ରଖିଛନ୍ତି । ସାଧାରଣ ବର୍ଗରେ ୧୧ଜଣ ଛାତ୍ର ଶହେ ପର୍ସେଣ୍ଟାଇଲ୍ ଏନ୍ଟିଏ ସ୍କୋର ହାସଲ କରିଛନ୍ତି । ଆର୍ଥିକ ଅନଗ୍ରସର ସାଧାରଣ ବର୍ଗରେ ରାଜସ୍ଥାନର ଶ୍ରେଷ୍ଠ ଜସୋରିଆ ୯୯.୯୯ ଏନ୍‌ଟିଏ ସ୍କୋର ହାସଲ ସହ ଟପର୍ ହୋଇଛନ୍ତି । ଓବିସି ବର୍ଗରେ ଆନ୍ଧ୍ରପ୍ରଦେଶର ନରେନ୍ଦ୍ରବାବୁ ଗରି ମାହିତ୍ ୧୦୦ ଏନ୍‌ଟିଏ ସ୍କୋର ହାସଲ କରି ଏହି ବର୍ଗରେ ଟପର ହୋଇଛନ୍ତି । ଏସ୍‌ସି ବର୍ଗରେ ଆନ୍ଧ୍ରପ୍ରଦେଶର ଦେବ ଶ୍ରିବେଦ ୯୯.୯୯, ଏସ୍‌ଟି ବର୍ଗରେ ରାଜସ୍ଥାନର ଡାକେଶ ସେହରା ୯୯.୯୯ ଓ ଭିନ୍ନକ୍ଷମ ବର୍ଗରେ ମଧ୍ୟପ୍ରଦେଶ ଅରେଶ୍ ଜୈନ୍ ୯୯.୯୧ ପର୍ସେଣ୍ଟାଇଲ୍ ଏନ୍‌ଟିଏ ସ୍କୋର ରଖି ଟପର ହୋଇଛନ୍ତି । ମହିଳା ବର୍ଗରେ ହରିୟାଣାର ଆଶି ଗ୍ରେୱାଲ ୯୯.୯୯ ଏନ୍‌ଟିଏ ସ୍କୋର ରଖି ଦେଶରେ ଟପ୍ପପ ହୋଇଛନ୍ତି ।

ଆହୁରି ପଢ଼ନ୍ତୁ:- ଆଜିଠୁ ସିବିଏସ୍ଇ ଦଶମ ଓ ଦ୍ୱାଦଶ ପରୀକ୍ଷା, ଦେଶରେ ପରୀକ୍ଷା ଦେବେ ୪୬ ଲକ୍ଷ ଶିକ୍ଷାର୍ଥୀ

ସୂଚନାଯୋଗ୍ୟ, ଜେଇଇ ମେନ୍ ସେସନ୍-୨ ପାଇଁ ପଞ୍ଜୀକରଣ ଆରମ୍ଭ ହୋଇଛି । ଆସନ୍ତା ୨୫ ତାରିଖ ଯାଏ ପରୀକ୍ଷାର୍ଥୀମାନେ ଆବେଦନ କରିପାରିବେ । ଯେଉଁ ପରୀକ୍ଷାର୍ଥୀ ସେସନ୍-୧ ପରୀକ୍ଷା ଦେଇଥିବେ ସେମାନେ ଚାହିଁଲେ ନିଜ ଇଚ୍ଛା ଅନୁସାରେ ସେସନ୍-୨ ପରୀକ୍ଷା ଦେଇପାରିବେ । ଏହି ଦୁଇଟି ପରୀକ୍ଷାର ସ୍କୋର ମଧ୍ୟରୁ ଯାହାର ସ୍କୋର ଭଲ ହୋଇଥିବ ତାକୁ ଜେଇଇ ଆଡଭାନ୍ସ ପାଇଁ ଧରାଯିବ । ଜେଇଇ ମେନ୍ ସେସନ୍ ପରୀକ୍ଷା ଏପ୍ରିଲ୍ ୨ ଓ ୯ ତାରିଖରେ ରହିଛି । ସେହିପରି ଜେଇଇ ଆଡଭାନ୍ସ ପରୀକ୍ଷା ମେ ୧୭ରେ ରହିଛି । କିନ୍ତୁ ସେସନ୍-୨ ପରୀକ୍ଷାର ରେଜଲ୍ଟ ପରେ କେଉଁମାନେ ଜେଇଇ ଆଡଭାନ୍ସ ପାଇଁ ଯୋଗ୍ୟ ତାର ଏକ ତାଲିକା ପ୍ରକାଶ ପାଇବ । ସେହି ଅନୁସାରେ ଛାତ୍ରଛାତ୍ରୀମାନେ ଆବେଦନ କରିପାରିବେ ।