ଭୁବନେଶ୍ୱର,୧୭/୦୨: ଆଜିଠୁ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍ଇ) ପରିଚାଳିତ ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଆରମ୍ଭ ହେବ । ସକାଳ ସାଢ଼େ ୧୦ରୁ ସାଢ଼େ ୧ଟା ଯାଏ ପରୀକ୍ଷା ରହିଛି । ଦେଶରେ ମୋଟ ୪୬ ଲକ୍ଷରୁ ଅଧିକ ଶିକ୍ଷାର୍ଥୀ ପରୀକ୍ଷା ଦେବେ । ଅନ୍ୟପଟେ ସିବିଏସ୍ଇ ପକ୍ଷରୁ ଦଶମ ଶ୍ରେଣୀରେ ଦୁଇଟି ବୋର୍ଡ ପରୀକ୍ଷାକୁ ନେଇ ସ୍ପଷ୍ଟୀକରଣରେ କୁହାଯାଇଛି, ପ୍ରଥମ ବୋର୍ଡ ପରୀକ୍ଷା ବାଧ୍ୟତାମୂଳକ । ଯଦି କୌଣସି ପିଲା ଏହି ପରୀକ୍ଷା ନଦିଏ ତେବେ ତାକୁ ଦ୍ୱିତୀୟ ବୋର୍ଡ ପରୀକ୍ଷାରେ ଅନୁମତି ମିଳିବ ନାହିଁ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସମସ୍ତ ପରୀକ୍ଷାର୍ଥୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
ସିବିଏସ୍ଇ ପରୀକ୍ଷା ବିଜ୍ଞପ୍ତି ଅନୁଯାୟୀ, ପ୍ରଥମ ଦିନରେ ଦଶମ ଶ୍ରେଣୀର ଗଣିତ (ଉଭୟ ଷ୍ଟାଣ୍ଡାର୍ଡ ଓ ବେସିକ୍) ପରୀକ୍ଷା ହେବ । ଦ୍ୱାଦଶ ଶ୍ରେଣୀର ବାୟୋଟେକ୍ନୋଲୋଜି ଓ ଇଣ୍ଟରପ୍ରେନରସିପ୍ ପାଇଁ ପରୀକ୍ଷା ହେବ । ଦଶମ ଶ୍ରେଣୀର ଦୁଇଟି ବୋର୍ଡ ପରୀକ୍ଷା ନେଇ ସିବିଏସ୍ଇ ଦେଇଥିବା ସ୍ପଷ୍ଟୀକରଣ ଅନୁଯାୟୀ, ସମସ୍ତ ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀଙ୍କୁ ମାର୍କରେ ଉନ୍ନତି ଆଣିବା ପାଇଁ ଦ୍ୱିତୀୟ ବୋର୍ଡ ପରୀକ୍ଷା ଦେବାକୁ ଅନୁମତି ମିଳିବ । ବିଜ୍ଞାନ, ଗଣିତ, ସାମାଜିକ ବିଜ୍ଞାନ ଓ ଭାଷା ବିଷୟ ମଧ୍ୟରୁ ଯେକୌଣସି ୩ଟି ବିଷୟରେ ଉନ୍ନତି ଆଣିବା ଲାଗି ଦ୍ୱିତୀୟ ବୋର୍ଡ ପରୀକ୍ଷାର ଅନୁମତି ଦିଆଯିବ । ଯଦି କୌଣସି ଶିକ୍ଷାର୍ଥୀ ପ୍ରଥମ ବୋର୍ଡ ପରୀକ୍ଷାରେ ଉପସ୍ଥିତ ନଥିଲେ ତାଙ୍କୁ ଦ୍ୱିତୀୟ ବୋର୍ଡ ପରୀକ୍ଷାରେ ଅନୁମତି ଦିଆଯିବ ନାହିଁ । ଯଦି କୌଣସି ଶିକ୍ଷାର୍ଥୀର ପ୍ରଥମ ପରୀକ୍ଷାରେ ଫଳ କମ୍ପାର୍ଟମେଣ୍ଟ ହୁଏ ତେବେ ତାକୁ ଦ୍ୱିତୀୟ ପରୀକ୍ଷାରେ କମ୍ପାର୍ଟମେଣ୍ଟ ବର୍ଗରେ ପରୀକ୍ଷା ପାଇଁ ଅନୁମତି ମିଳିବ। ଏନେଇ ଏକ ବିଜ୍ଞପ୍ତି ସହ ନିର୍ଦ୍ଦେଶାବଳୀ ଜାରି କରିଛି ସିବିଏସ୍ଇ।