ଆଜି ୮୮ତମ ଉତ୍କଳ ଦିବସ, ଭାଷା ଭିତ୍ତିକ ରାଜ୍ୟଗଠନରେ ଓଡ଼ିଶା ଭାରତର ପ୍ରଥମ ରାଜ୍ୟ

ଭୁବନେଶ୍ୱର ୦୧/୪: ଆଜି ୮୮ତମ ଉତ୍କଳ ଦିବସ ବା ଓଡ଼ିଶା ଦିବସ। ୧୯୩୬ ମସିହା, ଏପ୍ରିଲ ୧ ତାରିଖରେ ଓଡ଼ିଶା ଏକ ସ୍ୱତନ୍ତ୍ର ରାଜ୍ୟ ଭାବେ ନବଗଠିତ ହୋଇଥିଲା । ଏହି ସ୍ମୃତିରେ ପ୍ରତି ବର୍ଷ ଆଜିର ଦିନକୁ ଉତ୍କଳ ଦିବସ ବା ଓଡ଼ିଶା ଦିବସ ଭାବେ ପାଳନ କରାଯାଏ । ଭାଷା ଭିତ୍ତିରେ ରାଜ୍ୟଗଠନ ହେବାରେ ଓଡ଼ିଶା ଭାରତର ପ୍ରଥମ ରାଜ୍ୟ ।
ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ନିମନ୍ତେ ମଧୁସୂଦନ ଦାସ, ଫକୀର ମୋହନ ସେନାପତି, ଗୋପବନ୍ଧୁ ଦାସ, ନୀଳକଣ୍ଠ ଦାସ, ଗଙ୍ଗାଧର ମେହେର, ରାଧାନାଥ ରାୟ, ବାସୁଦେବ ସୁଢଳ ଦେବ ଓ କୃଷ୍ଣଚନ୍ଦ୍ର ଗଜପତିଙ୍କ ପ୍ରଚେଷ୍ଟାରେ ଆନ୍ଦୋଳନ ତେଜିଥିଲା । ପ୍ରଥମେ ୬ଟି ଜିଲ୍ଲା କଟକ, ପୁରୀ, ବାଲେଶ୍ୱର, ସମ୍ବଲପୁର, କୋରାପୁଟ ଓ ଗଞ୍ଜାମକୁ ନେଇ ଓଡ଼ିଶା ଗଠନ କରାଯାଇଥିଲା । ୧୯୯୨ ମସିହାରେ ଓଡ଼ିଶାର ୧୩ଟି ଜିଲ୍ଲାକୁ ପୁନର୍ବିଭାଜନ କରି ୩୦ଟି ଜିଲ୍ଲାରେ ଭାଗ କରାଗଲା । ପ୍ରତି ବର୍ଷ ଉତ୍କଳ ଦିବସ ପାଳନ ଅବସରରେ ସ୍ୱତନ୍ତ୍ର ପ୍ରଦେଶ ଗଠନର କର୍ଣ୍ଣଧାରମାନଙ୍କୁ ସମ୍ମାନ ଓ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଏ ।