ଭୁବନେଶ୍ବର, ୨୭/୦୫: ଜଗତସିଂହପୁର ଜିଲ୍ଲାରେ ଶିଳ୍ପ ପ୍ରକଳ୍ପ ଆଶା ପୁଣି ଉଜ୍ଜିବୀତ । ଜିଲ୍ଲାରେ ନିର୍ମାଣ ହେବ ବଡ଼ ଷ୍ଟିଲ୍ ପ୍ଲାଣ୍ଟ । ପାରାଦୀପ ଢିକିଆ ଠାରେ ଜେଏସଡବ୍ଲ୍ୟୁ ଉତ୍କଳ ଷ୍ଟିଲ୍ ଲିମିଟେଡ୍ ଏହି ବୃହତ୍ତ ଷ୍ଟିଲ୍ ପାଣ୍ଟ ନିର୍ମାଣ କରିବ । ପ୍ରସ୍ତାବିତ ଇଣ୍ଟିଗ୍ରେଟେଡ୍ ଷ୍ଟିଲ୍ ପ୍ଲାଣ୍ଟ ପ୍ରକଳ୍ପର ନୂତନ ୟୁନିଟର ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ବୁଧବାର ମଧ୍ୟାହ୍ନ ୧୨ଟାରେ ସିଏମ୍ ନୂଆ ପ୍ରକଳ୍ପର ନିଅଁ ପକାଇଛନ୍ତି । ଏହି ଅବସରରେ ମୋହନ ମାଝୀ କହିଛନ୍ତି, ଦିଲ୍ଲୀରେ ବହୁ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ ଥିଲେ ମଧ୍ୟ ଓଡ଼ିଶାରେ ଶିଳ୍ପ ବିକାଶ ପାଇଁ ତାକୁ ପଛରେ ପକାଇ ଏଠାକୁ ଆସିଛି । ଜେଏସଡବ୍ଲ୍ୟୁ ଇଣ୍ଟିଗ୍ରେଟେଡ୍ ଷ୍ଟିଲ ପ୍ଲାଣ୍ଟ ପାଇଁ ଓଡ଼ିଶାକୁ ବାଛିଥିବାରୁ କମ୍ପାନୀର ଅଧ୍ୟକ୍ଷ ସଜନ ଜିନ୍ଦଲଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ମୁଖ୍ୟମନ୍ତ୍ରୀ ।
ଦୀର୍ଘ ଦୁଇ ଦଶନ୍ଧି ଧରି ସ୍ଥାନୀୟ ଲୋକମାନେ ଯେଉଁ ସ୍ୱପ୍ନ ଦେଖିଥିଲେ ତାକୁ ରାଜ୍ୟ ସରକାର ପୂରଣ କରିଛି ବୋଲି କହିବା ସହ ନିର୍ଦ୍ଧାରିତ ସମୟର ଦୁଇ ବର୍ଷ ପୂର୍ବରୁ ଆମେ ଏହି ପ୍ରକଳ୍ପର ଶିଳାନ୍ୟାସ କରିଛୁ । ଏହି ଶିଳ୍ପର ତ୍ବରିତ ବିକାଶ ସହ ସ୍ଥାନୀୟ ଅଞ୍ଚଳର ଯୁବକ-ଯୁବତୀ ମାନଙ୍କୁ ଅଗ୍ରାଧିକାର ଭିତ୍ତିରେ ନିଯୁକ୍ତି ଦେବାକୁ ଜେଏସଡବ୍ଲୁ ଅଧ୍ୟକ୍ଷଙ୍କୁ କହିଥିଲେ । JSW ଗ୍ରୁପ୍ ପୂର୍ବରୁ ଘୋଷଣା କରିଥିବା ତଥ୍ୟ ଅନୁଯାୟୀ, ପାରାଦୀପରେ ପ୍ରାୟ ୧୩.୨ ମିଲିୟନ ଟନ୍ କ୍ଷମତା ବିଶିଷ୍ଟ ଏକ ଇଣ୍ଟିଗ୍ରେଟେଡ୍ ଷ୍ଟିଲ୍ ପ୍ଲାଣ୍ଟ ସ୍ଥାପନ ହେବ । ଏଥିରେ ପ୍ରାୟ ୬୫ ହଜାର କୋଟି ଟଙ୍କାରୁ ଅଧିକ ପୁଞ୍ଜି ନିବେଶ ପ୍ରସ୍ତାବ ରହିଛି । ୨୯୫୮ ଏକର ଜମିରେ ପ୍ରକଳ୍ପଟି ପର୍ଯ୍ୟାୟ କ୍ରମେ କାର୍ଯ୍ୟକାରୀ ହେବାକୁ ଥିବାବେଳେ ଏଥିରେ ଷ୍ଟିଲ୍ ଉତ୍ପାଦନ ସହିତ ସିମେଣ୍ଟ, ପାୱାର ଏବଂ ପୋର୍ଟ ଆଧାରିତ ଅନ୍ୟାନ୍ୟ ଶିଳ୍ପ ସୁବିଧା ମଧ୍ୟ ବିକଶିତ ହେବାର ଯୋଜନା ରହିଛି ।
ଏହି ପ୍ରକଳ୍ପ ମାଧ୍ୟମରେ ହଜାର ହଜାର ସ୍ଥାନୀୟ ଯୁବକଙ୍କ ପାଇଁ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ନିଯୁକ୍ତି ମିଳିବ । ଏଥିସହ ସଡ଼କ, ପାଣି, ବିଦ୍ୟୁତ ଓ ବନ୍ଦର ସଂଯୋଗ ଭଳି ମଧ୍ୟ ବ୍ୟାପକ ଉନ୍ନତି ଆସିବ ବୋଲି କମ୍ପାନୀର ଅଧ୍ୟକ୍ଷ ସଜନ ଜିନ୍ଦଲ କହିଛନ୍ତି । ଏହି ସ୍ଥାନରେ ଅନେକ ଶିଳ୍ପ ସଂସ୍ଥାର ନଜର ଥିବା ସହ ଅତୀତରେ ଅନେକ ଶିଳ୍ପ ସଂସ୍ଥା ଏଠାକୁ ଆସି ଫେରି ଯାଇଛନ୍ତି । କିନ୍ତୁ ମହାପ୍ରଭୁ ଜଗନ୍ନାଥଙ୍କ କୃପାରୁ ଏହା ଜେଏସଡବ୍ଲୁ ଭାଗ୍ୟରେ ଥିଲା ବୋଲି ସଜନ ଜିନ୍ଦଲ କହିବା ସହ ଦେଶରେ ମୋଟ୍ ୩ଶହ ବିଲିୟନ ଟନ୍ ମଧ୍ୟରୁ ପାରାଦୀପରେ ୫୦ ପ୍ରତିଶତ ଷ୍ଟିଲ ଉତ୍ପାଦନ ହେବ ବୋଲି ସେ କହିଥିଲେ । ସେହିପରି ସ୍ଥାନୀୟ ଅଞ୍ଚଳରେ ଶିକ୍ଷା, ସ୍ୱାସ୍ଥ୍ୟ ଓ ଟ୍ରେନିଂ ସେଣ୍ଟର କରିବା ସହ ଓଡ଼ିଶାର ବିକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ସହଯୋଗ କରିବୁ ବୋଲି କହିଥିଲେ । ଏହି ଅବସରରେ ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ, ସାଂସଦ ବିଭୁପ୍ରସାଦ ତରାଇ, ବିଧାୟକ ସାରଦା ଜେନା, ବିଧାୟକ ଅମରେନ୍ଦ୍ର ଦାସଙ୍କ ସହ ବିଭିନ୍ନ ପ୍ରଶାସନିକ ଅଧିକାରୀ ଓ କମ୍ପାନୀ କର୍ମକର୍ତ୍ତା ମାନେ ଯୋଗଦେଇ ଆଗାମୀ ଦିନରେ ଏହି ପ୍ରକଳ୍ପ ଏକ ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି କହିଥିଲେ ।
ଅଧିକ ପଢ଼ନ୍ତୁ- Odisha sports news : ୨୦୨୭ ଏସିଆନ୍ ଇନଡୋର ଆଥଲେଟିକ୍ସ ଚାମ୍ପିଅନସିପ୍ ଆୟୋଜନ କରିବ ଓଡ଼ିଶା, ସ୍ଵାଗତ କଲେ ମୁଖ୍ୟମନ୍ତ୍ରୀ