ଭୁବନେଶ୍ବର, ୨୭/୦୫: ପଶ୍ଚିମବଙ୍ଗରୁ ତଡିପାର୍ ହେବେ ବାଂଲାଦେଶୀ ଅନୁପ୍ରବେଶକାରୀ । ଏନେଇ ଶୁଭେନ୍ଦୁ ସରକାର ଗଡ଼ା ଚେତାବନୀ ଦେଇଛନ୍ତି । ଯାହାକୁ ନେଇ ଓଡ଼ିଶା ସରକାରଙ୍କ ଚିନ୍ତା ବଢ଼ିଛି । ପଶ୍ଚିମବଙ୍ଗରୁ ଅନୁପ୍ରବେଶକାରୀଙ୍କୁ ବିତାଡ଼ିତ କରାଗଲେ ସେମାନେ ଓଡ଼ିଶାରେ ପ୍ରବେଶ କରିବା ନେଇ ଆଶଙ୍କା କରାଯାଉଛି ।

ସୂଚନା ଅନୁଯାୟୀ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ମଙ୍ଗଳବାର ବାଂଲାଦେଶୀମାନଙ୍କୁ ରାଜ୍ୟ ଛାଡ଼ି ଯିବାକୁ ଚେତାବନୀ ଦେଇଛନ୍ତି । ସେ କହିଛନ୍ତି, ରାଜ୍ୟରେ ବେଆଇନ ଭାବେ ରହୁ ଥିବା ବାଂଲାଦେଶୀମାନେ ଯେତେଶୀଘ୍ର ପାରିବେ ସ୍ୱେଚ୍ଛାକୃତ ଭାବେ ରାଜ୍ୟ ଛାଡ଼ିବା ଦରକାର । ଅନୁପ୍ରବେଶକାରୀଙ୍କୁ ପଶ୍ଚିମବଙ୍ଗ ସରକାର ଆଉ ଜେଲ୍ ପଠାଇ ରୁଟି ଖୁଆଇବୁ ନାହିଁ । ସେମାନେ ଆମର କ୍ୱାଇଁ ନୁହନ୍ତି । ସେମାନଙ୍କ ପଛରେ ଦେଶବାସୀ ଦେଉଥିବା ଟିକସ ଅର୍ଥକୁ ବ୍ୟବହାର କରାଯିବ ନାହିଁ । ତେବେ ଏହି ଚେତାବନୀ ପରେ ପଶ୍ଚିମବଙ୍ଗରେ ରହି ଆସୁଥିବା ବାଂଲାଦେଶୀ ଏବେ ଓଡିଶା ମୁହାଁ ହୋଇପାରନ୍ତି ବୋଲି ଆଶଙ୍କା କରାଯାଉଛି । କାରଣ ପଶ୍ଚିମବଙ୍ଗ ସରକାର ଜଣେ ହେଲେ ବାଂଲାଦେଶୀଙ୍କୁ ରାଜ୍ୟରେ ପୁରାଇବାକୁ ଦିଆଯିବ ନାହିଁ ବୋଲି କହିଛନ୍ତି । ଯାହା ଫଳରେ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ନୂଆ ଠିକଣା ଓଡ଼ିଶା ହୋଇପାରେ ବୋଲି କୁହାଯାଉଛି ।

ଓଡିଶା କେନ୍ଦ୍ରାପଡ଼ା, ବାଲେଶ୍ୱର, ଜଗତସିଂହପୁର ଜିଲ୍ଲା ଦେଇ ସେମାନେ ଅନୁପ୍ରବେଶ କରିବାର ଅଧିକ ସମ୍ଭାବନା ରହିଛି । ସେଥିଲାଗି ରାଜ୍ୟ ସରକାର ପାଟ୍ରୋଲିଂ ଏବଂ ଟ୍ରାକିଂକୁ ଆହୁରି କଡାକଡି କରିବାର ଆବଶ୍ୟକତା ରହିଛି ବୋଲି ବିଶେଷଜ୍ଞ ମତାମତ ଦେଇଛନ୍ତି । ସେପଟେ ବିଧାନସଭାର ତଥ୍ୟ ଅନୁଯାୟୀ, ରାଜ୍ୟରେ ୭୭ଜଣ ବାଂଲାଦେଶୀଙ୍କୁ ଚିହ୍ନଟ କରାଯାଇଛି । ଅନୁପ୍ରବେଶକାରୀଙ୍କ ଚିହ୍ନଟ ଏବଂ ସେମାନଙ୍କୁ ଦେଶାନ୍ତର କରିବା ପାଇଁ ସ୍ୱତନ୍ତ୍ର କାର୍ଯ୍ୟ ବାହିନୀ ଗଠନ କରାଯାଇଥିବା ଜଣାପଡ଼ିଛି ।

ଅଧିକ ପଢନ୍ତୁ- illegal infiltrators : ଗୃହମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ଆକ୍ସନ୍ ମୁଡ୍‌ରେ ଓଡ଼ିଶା ସରକାର, ତଡିପାର ହେବେ ଅନୁପ୍ରବେଶକାରୀ