ଭୁବନେଶ୍ୱର,୨୭/୧୨: ଆସନ୍ତା ଜାନୁଆରୀ ୬ ତାରିଖରୁ ୨୦୨୬-୨୭ ଶିକ୍ଷା ବର୍ଷ ପାଇଁ ରାଜ୍ୟର ଘରୋଇ ସ୍କୁଲରେ ଆର୍ଥିକ ଦୁର୍ବଳ ବର୍ଗ (ଇଡବ୍ଲ୍ୟୁଏସ୍) ଛାତ୍ରଛାତ୍ରୀଙ୍କ ନାମଲେଖା ପ୍ରକ୍ରିୟା ଆରମ୍ଭ ହେବ । ଆସନ୍ତା ଫେବ୍ରୁଆରୀ ୧୦ ତାରିଖରୁ ମାର୍ଚ୍ଚ ୧୦ ତାରିଖ ଯାଏ ଅନ୍‌ଲାଇନ୍ ଆବେଦନ ଆରମ୍ଭ ହେବ । ମାର୍ଚ୍ଚ ୧୬ ତାରିଖରେ ପ୍ରଥମ ରାଉଣ୍ଡ ଅନ୍‌ଲାଇନ ଲଟେରୀ ସହ ସ୍କୁଲ ଆବଣ୍ଟନ ହେବ । ମାର୍ଚ୍ଚ ୧୭ରୁ ୩୧ ତାରିଖ ମଧ୍ୟ ନାମଲେଖା ସରିବ । ଏନେଇ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀ (ଡିଇଓ) ଓ ବ୍ଲକ ଶିକ୍ଷା ଅଧିକାରୀ (ବିଇଓ)ଙ୍କୁ ଚିଠି କରିଛି ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶାଳୟ ।

ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକଙ୍କୁ ଏହି ନାମଲେଖା ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ହୋଇଥିଲା । ଆର୍‌ସିଏଫ୍‌ସିଇ ଆକ୍ଟ ୨୦୦୯ ସେକ୍ସନ୍ ୨୧.୧ ସି ଅନୁଯାୟୀ ଅଣ ଅନୁଦାନପ୍ରାପ୍ତ ଘରୋଇ ସ୍କୁଲରେ ନାମଲେଖା ହେବ । ଏଥିରେ ଇଡବ୍ଲ୍ୟୁଏସ୍ ଶ୍ରେଣୀର ଛାତ୍ରଛାତ୍ରୀମାନଙ୍କୁ ନାମଲେଖାଇବାର ସୁଯୋଗ ମିଳିବ ।

ମାର୍ଚ୍ଚ ୧୬ରେ ସିଟ୍ ଆବଣ୍ଟନ, ୩୧ ଯାଏ ନାମଲେଖା

ଦିଆଯାଇଥିବା ସମୟସୀମା ଅନୁଯାୟୀ, ଜାନୁଆରୀ ୬ରୁ ଫେବ୍ରୁଆରୀ ୮ ତାରିଖ ଯାଏ ନୂଆ ସ୍କୁଲ ପଞ୍ଜୀକରଣ ପାଇଁ ନିଜର ତଥ୍ୟ ପ୍ରଦାନ କରିବେ କର୍ତ୍ତୃପକ୍ଷ । ଜାନୁଆରୀ ୬ରୁ ଫେବ୍ରୁଆରୀ ୯ ତାରିଖ ମଧ୍ୟରେ ବିଇଓ ଓ ଡିଇଓ ଯାଞ୍ଚ କରିବେ । ଫେବ୍ରୁଆରୀ ୧୦ରୁ ମାର୍ଚ୍ଚ ଯାଏ ପ୍ରଥମ ରାଉଣ୍ଡ ନାମଲେଖା ପାଇଁ ଇଚ୍ଛୁକ ଛାତ୍ରଛାତ୍ରୀମାନେ ଅନ୍ଲାଇନ୍ରେ ପଞ୍ଜିକରଣ କରିବେ । ବିଇଓଙ୍କ ଦ୍ୱାରା ୧୫ ତାରିଖ ମଧ୍ୟରେ ଆବେଦନ ପତ୍ର ଯାଞ୍ଚ ହେବ । ଏହି ରାଉଣ୍ଡ ପାଇଁ ୧୬ରେ ଲଟେରୀ ହୋଇ ମାର୍ଚ୍ଚ ୧୭ରୁ ୩୧ ତାରିଖ ମଧ୍ୟରେ ନାମଲେଖା ଶେଷ ହେବ ।

ଜୁଲାଇ ୧୫ ସୁଦ୍ଧା ସରିବ ସମସ୍ତ ପର୍ଯ୍ୟାୟ ନାମଲେଖ

ଦ୍ୱିତୀୟ ରାଉଣ୍ଡ ନାମଲେଖା ପାଇଁ ଏପ୍ରିଲ ୪ରୁ ୨୪ ତାରିଖ ଯାଏ ପଞ୍ଜୀକରଣ ହେବ । ୨୭ ତାରିଖ ମଧ୍ୟରେ ବିଇଓ ଆବେଦନପତ୍ର ଯାଞ୍ଚ କରିବେ । ୨୮ ତାରିଖରେ ଲଟେରୀ ହୋଇ ସ୍କୁଲ ଆବଣ୍ଟନ ହେବ । ୨୯ରୁ ମେ ୧୮ ତାରିଖ ମଧ୍ୟରେ ନାମଲେଖା ହେବ । ଜୁଲାଇ ୧୫ ସୁଦ୍ଧା ସମସ୍ତ ନାମଲେଖା ପ୍ରକ୍ରିୟା ଶେଷ ହେବ।