ନୂଆଦିଲ୍ଲୀ/ଭୁବନେଶ୍ୱର, ୧୧।୪ : ବିଶ୍ବକର୍ମା ପୁରସ୍କାର ବିତରଣ ଉତ୍ସବରେ ଓଡିଶାକୁ ମିଳିଛି ସର୍ବାଧିକ ବିଶ୍ବକର୍ମା ପୁରସ୍କାର। ଓଡିଶାର ୧୭ଟି ପ୍ରକଳ୍ପ ପୁରସ୍କୃତ ହୋଇଛି। ଓଡ଼ିଶା ସରକାରଙ୍କ ଦ୍ୱାରା ଆବେଦନ କରାଯାଇଥିବା ୧୦ଟି ପ୍ରକଳ୍ପକୁ ମିଶାଇ ସର୍ବମୋଟ ୧୭ଟି ପ୍ରକଳ୍ପକୁ ବିଭିନ୍ନ ବିଭାଗରେ ପୁରସ୍କୃତ କରାଯାଇଛି । ପୂର୍ତ୍ତ ବିଭାଗର ୩, ଜଳସମ୍ପଦ ବିଭାଗର ୫ ଓ କ୍ରୀଡ଼ା ବିଭାଗର ୨ ପ୍ରକଳ୍ପ ପୁରସ୍କୃତ ହୋଇଛି। ନୂଆଦିଲ୍ଲୀସ୍ଥିତ ବି.ଆର୍. ଆମ୍ବେଦକର ଅନ୍ତର୍ଜାତୀୟ କେନ୍ଦ୍ରଠାରେ ସି.ଆଇ.ଡି.ସି. ଦ୍ୱାରା ଆୟୋଜିତ ବିଶ୍ୱକର୍ମା ପୁରସ୍କାର ବିତରଣ ଉତ୍ସବରେ ଏହି ପୁରସ୍କାର ପ୍ରଦାନ କରାଯାଇଛି।

ଉତ୍ସବରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ର ମନ୍ତ୍ରୀ ନିତୀନ ଗଡ଼କରୀ ଯୋଗ ଦେଇ ନିର୍ମାଣ କ୍ଷେତ୍ରରେ ନୂତନତ୍ୱ ଉପରେ ଗୁରୁତ୍ୱ ଦେଇଥିଲେ। ରାସ୍ତା ଓ କୋଠାବାଡ଼ି ନିର୍ମାଣ କ୍ଷେତ୍ରରେ ନୂତନ ପାରଦର୍ଶିତା ସହିତ ଡି.ପି.ଆର୍ ବନାଇବା ପାଇଁ ସୁଯୋଗ ସୃଷ୍ଟି କରାଯିବା ଉପରେ ଗୁରୁତ୍ବ ଦେଇଥିଲେ ।

ରାଜ୍ୟ ପୂର୍ତ୍ତ ବିଭାଗର ତିନିଗୋଟି ପ୍ରକଳ୍ପ ଲୋକାୟୁକ୍ତ ଭବନ, ଯାଜପୁରସ୍ଥିତ ମାତୃଶିଶୁ ହସ୍ପିଟାଲ୍, ବଲାଙ୍ଗିରସ୍ଥିତ ସଦ୍ୟ ସମାପ୍ତ ହୋଇଥିବା କ୍ୟାନସର୍ ହସ୍ପିଟାଲକୁ ପୂରସ୍କୃତ କରାଯାଇଥିଲା । ମୁଖ୍ୟ ନିର୍ମାଣ ଯନ୍ତ୍ରୀ ମନୋଜ ମହାନନ୍ଦ ପୁରସ୍କାର ଗ୍ରହଣ କରିଥିଲେ । ସେହିପରି ରାଜ୍ୟ ଜଳସମ୍ପଦ ବିଭାଗର ୫ ଗୋଟି ପ୍ରକଳ୍ପ ଯଥା ଗଙ୍ଗାଧର ମେହେର ପ୍ରକଳ୍ପ, ପୁରୁଣାଗଡ଼ ମେଗା ଲିଫ୍ଟ, ଭଞ୍ଜନଗର ଡ୍ୟାମ୍, ମହାବରିଡା ଆନିକଟ, ଲୋୟର ସୁକତେଲକୁ ପୁରସ୍କୃତ କରାଯାଇଥିଲା । ସର୍ବୋଚ୍ଚ ଯନ୍ତ୍ରୀ ଶ୍ରୀ ଲିଙ୍ଗରାଜ ଗୌଡ଼ ପୁରସ୍କାର ଗ୍ରହଣ କରିଥିଲେ । ରାଜ୍ୟ କ୍ରୀଡ଼ା ବିଭାଗର ଅଧିକାରୀ ଧିରେଦ କୁମାର ପଟ୍ଟନାୟକ କଳିଙ୍ଗ ଷ୍ଟାଡିୟମ୍ସ୍ଥିତ ଦୁଇଟି ଭବନ ଯଥା ସଟଲ୍ ଏବଂ ଆକ୍ୱାଟିକ୍ ଭବନ ପାଇଁ ପୁରସ୍କାର ଗ୍ରହଣ କରିଥିଲେ । ରାଜ୍ୟ ପୁଲିସ୍ ଗୃହ ନିର୍ମାଣ ନିଗମର ମୁଖ୍ୟଯନ୍ତ୍ରୀ ଇଂ ନର୍ମଦା ବେହେରା, ମୁଖ୍ୟ ନିର୍ମାଣ ଯନ୍ତ୍ରୀ ଶ୍ରୀକାନ୍ତ ସାମଲ ଗୋପବନ୍ଧୁ ପ୍ରଶାସନିକ ଏକାଡେମୀସ୍ଥିତ ଅତ୍ୟାଧୁନିକ ହଷ୍ଟେଲ ଭବନ ପାଇଁ ପୁରସ୍କାର ଗ୍ରହଣ କରିଥିଲେ ।

ଏତଦ୍ବ୍ୟତୀତ ସମ୍ବଲପୁରସ୍ଥିତ ଆଇ.ଆଇ.ଏମ୍ କ୍ୟାମ୍ପସ ପାଇଁ ଏନ୍ବିସିସିର ଉଚ୍ଚାଧିକାରୀ ଚିନ୍ମୟ ଘୋଷ, ଏମସ୍ ଭୁବନେଶ୍ୱର ପାଇଁ ନିର୍ଦ୍ଦେଶକ ଡା. ବିଶ୍ୱାସଙ୍କୁ ପୁରସ୍କୃତ କରାଯାଇଥିଲା । ରିଜର୍ଭ ବ୍ୟାଙ୍କର ଭୁବନେଶ୍ୱରସ୍ଥିତ ନୂତନ ଡାଟା ସେଣ୍ଟର, କୋରାପୁଟସ୍ଥିତ ଜାତୀୟ ରାଜପଥ ପ୍ରକଳ୍ପ ପାଇଁ ପୁରସ୍କାର ଦିଆଯାଇଥିଲା ଏହି ଅବସରରେ ପୂର୍ତ୍ତ ବିଭାଗର ପୂର୍ବତନ ସର୍ବୋଚ୍ଚ ଯନ୍ତ୍ରୀ ମନୋରଞ୍ଜନ ମିଶ୍ରଙ୍କ ଦ୍ୱାରା ଲିନ୍ ନିର୍ମାଣ କୌଶଳ ଉପରେ ଲିଖିତ ପୁସ୍ତକକୁ ଜୁରୀ ମଣ୍ଡଳୀ ଉନ୍ମୋଚନ କରିଥିଲେ । ନିର୍ମାଣ କ୍ଷେତ୍ର ପାଇଁ ଅବଦାନ ସକାଶେ ଖ୍ୟାତିସମ୍ପନ୍ନ ଇଂଜିନିୟର ଅଶୋକ ବାସା ଏବଂ ସ୍ଥପତି ତାରାପ୍ରସାଦ ଧଳଙ୍କୁ ପୁରସ୍କୃତ କରାଯାଇଥିଲା । ଏହି ଅବସରରେ ଓଡ଼ିଶାର ପୁରସ୍କୃତ ପ୍ରକଳ୍ପମାନଙ୍କୁ ପ୍ରଦର୍ଶିତ କରାଯାଇଥିଲା।