କାରକେଡ୍ ସଂଖ୍ୟା କମ୍ କଲେ ମୁଖ୍ୟମନ୍ତ୍ରୀ, ଏବେ ସରକାରୀ ବାବୁଙ୍କ ପାଇଁ ଜାରି ହେବ କଡ଼ା ନିର୍ଦ୍ଦେଶଭୁବନେଶ୍ୱର, ୧୪।୫: ରାଜ୍ୟରେ ପେଟ୍ରୋଲ ଓ ଡିଜେଲର ବ୍ୟବହାର କମାଇବା ପାଇଁ ସରକାର ଏକ ବଡ଼ ପଦକ୍ଷେପ ନେବାକୁ ଯାଉଛନ୍ତି । ବିଶେଷ କରି ସରକାରୀ ସ୍ତରରେ ଇନ୍ଧନ ଖର୍ଚ୍ଚ କାଟ କରିବା ପାଇଁ ମୁଖ୍ୟମନ୍ତ୍ରୀ ଆଜି କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇପାରନ୍ତି । ଏନେଇ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ସ୍ପଷ୍ଟ ସଂକେତ ଦେଇଛନ୍ତି । ସୂଚନା ଅନୁଯାୟୀ, ପ୍ରଶାସନିକ ସ୍ତରରେ ଇନ୍ଧନ ବ୍ୟବହାରକୁ ନିୟନ୍ତ୍ରଣ କରିବା ପାଇଁ ଅନେକ ଯୋଜନା ପ୍ରସ୍ତୁତ କରାଯାଇଛି । ମୁଖ୍ୟମନ୍ତ୍ରୀ ନିଜେ ଏହାର ଉଦାହରଣ ସାଜି ନିଜ କାରକେଡ଼କୁ ଅଧା କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏହାପରେ ବର୍ତ୍ତମାନ ଅନ୍ୟ ସରକାରୀ ଅଧିକାରୀ ଓ କର୍ମଚାରୀଙ୍କ ପାଇଁ ମଧ୍ୟ କଡ଼ା ନିର୍ଦ୍ଦେଶନାମା ଜାରି ହେବାର ସମ୍ଭାବନା ରହିଛି ।

"ସରକାରୀ ସ୍ତରରେ ଅନେକ ପଦକ୍ଷେପ ନିଆଯାଉଛି । ଇନ୍ଧନ ସଞ୍ଚୟ ଏବଂ ପରିବେଶ ସୁରକ୍ଷାକୁ ଦୃଷ୍ଟିରେ ରଖି ସରକାରୀ ଗାଡ଼ି ବ୍ୟବହାର ଉପରେ କିଛି ନିର୍ଦ୍ଦିଷ୍ଟ କଟକଣା ଆସିପାରେ ।" ବୋଲି ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ କହିଛନ୍ତି ।

ଆସିପାରେ ଏହିସବୁ ବଡ଼ ପରିବର୍ତ୍ତନ:

ସରକାରୀ ଗାଡ଼ି ଉପରେ କଟକଣା: ଅଧିକାରୀମାନଙ୍କ ପାଇଁ ବ୍ୟକ୍ତିଗତ ଗାଡ଼ି ବ୍ୟବହାର କମାଇବାକୁ ନିର୍ଦ୍ଦେଶ ଦିଆଯାଇପାରେ ।

ପବ୍ଲିକ ଟ୍ରାନ୍ସପୋର୍ଟ ବାଧ୍ୟତାମୂଳକ: କର୍ମଚାରୀମାନେ ଅଫିସ୍ ଆସିବା ପାଇଁ ସର୍ବସାଧାରଣ ପରିବହନ ବା 'ପବ୍ଲିକ ଟ୍ରାନ୍ସପୋର୍ଟ' ବ୍ୟବହାର କରିବାକୁ ପ୍ରୋତ୍ସାହିତ କରାଯାଇପାରେ ।

ଇନ୍ଧନ ବଜେଟ୍ କାଟ: ବିଭିନ୍ନ ବିଭାଗକୁ ମିଳୁଥିବା ମାସିକ ଇନ୍ଧନ କୋଟାରେ ହ୍ରାସ କରାଯାଇପାରେ ।

ଜିଲ୍ଲାପାଳମାନଙ୍କ 'ଷ୍ଟ୍ରାଟେଜିକ୍ ପ୍ଲାନ୍' ଓ ୨୫ ଟପ୍ ପ୍ରୋଜେକ୍ଟ:

ରାଜ୍ୟର ବିକାଶ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ସବୁ ଜିଲ୍ଲାର ଜିଲ୍ଲାପାଳମାନେ ନିଜ ନିଜ ଜିଲ୍ଲାର ଏକ ଷ୍ଟ୍ରାଟେଡଜିକ୍ ପ୍ଲାନ ପ୍ରସ୍ତୁତ କରିଛନ୍ତି । ମୁଖ୍ୟ ଶାସନ ସଚିବଙ୍କ ସୂଚନା ଅନୁଯାୟୀ, ଏହି ପ୍ରକଳ୍ପଗୁଡ଼ିକର କାର୍ଯ୍ୟକାରିତା ଏବଂ ଭବିଷ୍ୟତର ରୋଡମ୍ୟାପ୍ ବିଷୟରେ ବିଭିନ୍ନ ବିଭାଗର ସଚିବମାନଙ୍କ ସହ ଆଲୋଚନା କରାଯାଇଛି । ଏହି ପ୍ରକଳ୍ପଗୁଡ଼ିକ ମଧ୍ୟରେ ମୁଖ୍ୟତଃ ଭିତ୍ତିଭୂମି ବିକାଶ, ପରିବେଶ ସୁରକ୍ଷା ଏବଂ ନିଯୁକ୍ତି ସୁଯୋଗ ସୃଷ୍ଟି ଉପରେ ଗୁରୁତ୍ୱ ଦିଆଯାଇଛି । ରାଜ୍ୟ ସରକାରଙ୍କ ଏହି ପଦକ୍ଷେପ କେବଳ ଆର୍ଥିକ ବୋଝ କମାଇବ ନାହିଁ, ବରଂ ଜଳବାୟୁ ପରିବର୍ତ୍ତନ ରୋକିବା ଦିଗରେ ମଧ୍ୟ ଏକ ପ୍ରଭାବଶାଳୀ ପଦକ୍ଷେପ ହେବ ବୋଲି ଆଶା କରାଯାଉଛି । ସନ୍ଧ୍ୟା ସୁଦ୍ଧା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଏନେଇ ଆନୁଷ୍ଠାନିକ ଗାଇଡଲାଇନ୍ ଜାରି ହୋଇପାରେ ।

ଆହୁରି ପଢ଼ନ୍ତୁ... ଓଡ଼ଗାଁ ହତ୍ୟା ମାମଲାରେ ଧରା ପଡ଼ିଲା ମିଛ : ନିର୍ଦ୍ଦୋଷର ମୁହଁ ଘୋଡାଇ ଅଭିଯୁକ୍ତ ଦର୍ଶାଇଥିଲା ପୁଲିସ, ତ୍ରୁଟି ଜାଣିପାରି ରାତି ଅଧିଆ ଛାଡ଼ିଦେଲା