ଭୁବନେଶ୍ୱର,୧୩/୦୧: ଆସନ୍ତା ଫେବ୍ରୁଆରୀ ମାସରେ ଓଡ଼ିଶାରେ ଆୟୁଷ୍ମାନ୍‌ ଭାରତ ପିଏମ୍‌ ଜୟ ଯୋଜନା କାର୍ଯ୍ୟକାରୀ କରାଯିବ । ଏଥିପାଇଁ ସୋମବାର ନୂଆଦିଲ୍ଲୀରେ ରାଜ୍ୟ ସରକାର ଓ କେନ୍ଦ୍ର ସ୍ୱାସ୍ଥ୍ୟ  ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଅଧୀନ ନ୍ୟାସନାଲ୍‌ ହେଲ୍‌ଥ ଅଥରିଟି  ମଧ୍ୟରେ ବୁଝାମଣାପତ୍ର (ଏମ୍‌ଓୟୁ) ସ୍ୱାକ୍ଷର ହେବ । ନୂଆଦିଲ୍ଲୀର  ବିଜ୍ଞାନ ଭବନରେ ହେବାକୁ ଥିବା କାର୍ଯ୍ୟକ୍ରମରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ  ଜେ.ପି. ନଡ୍ଡା, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ  ଡ.ମୁକେଶ ମହାଲିଙ୍ଗ ଉପସ୍ଥିତ ରହିବେ । ତାଙ୍କ ସହ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ମଧ୍ୟ ଯୋଗଦେବେ । 

ଆୟୁଷ୍ମାନ ଭାରତ ଯୋଜନାରେ ପ୍ରତିବର୍ଷ ହିତାଧିକାରୀଙ୍କୁ ୫ଲକ୍ଷ ଟଙ୍କା  ପର୍ଯ୍ୟନ୍ତ ସରକାରୀ ଓ ବେସରକାରୀ ହସ୍ପିଟାଲ୍‌ରେ ଚିକିତ୍ସା ମିଳିପାରିବ ।  ଏଥିରେ କ୍ୟାସ୍‌ଲେସ୍‌ ବ୍ୟବସ୍ଥା ରହିଛି । ଯୋଜନା ଜରିଆରେ ଦେଶର ୫୫  କୋଟି ଗରିବ ହିତାଧିକାରୀ ଉପକୃତ ହେବେ । ଯୋଜନା ଲାଗୁ ପରେ  ରାଜ୍ୟର ସାଢେ ୩ କୋଟି ଲୋକଙ୍କୁ ମିଳିବ ସ୍ୱାସ୍ଥ୍ୟ କାର୍ଡ । ଆୟୁଷ୍ମାନ ଭାରତ  ଓ ଗୋପବନ୍ଧୁ ଆରୋଗ୍ୟ ଯୋଜନା କାର୍ଡ ମଧ୍ୟ ମିଳିବ । ଏହି ଯୋଜନା  ଦ୍ୱାରା ୨୭ ଶହ ହସ୍ପିଟାଲରେ ହିତାଧିକାରୀ ଚିକିତ୍ସା ସୁବିଧା ପାଇପାରିବେ ।  ଇନ୍‌ସ୍ୟୁରାନ୍ସ ନୁହେଁ ଲୋକଙ୍କୁ ଆସ୍ୟୁରାନ୍ସ ମୋଡ୍‌ରେ ଚିକିତ୍ସା ମିଳିବ ।