ଭୁବନେଶ୍ୱର, ୦୨/୦୨: ରାଜ୍ୟରେ ସରକାରୀ, ଅର୍ଦ୍ଧ-ସରକାରୀ ଓ ପିଏସୟୁ ନିଯୁକ୍ତିରେ କମ୍ପ୍ୟୁଟର ଯୋଗ୍ୟତା ସମ୍ପର୍କିତ ନିୟମକୁ ସଠିକ୍ ଭାବେ ପାଳନ କରିବା ପାଇଁ ରାଜ୍ୟ ସରକାର କଡ଼ା ନିର୍ଦ୍ଦେଶ ଜାରି କରିଛନ୍ତି । ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଭାଗ ପକ୍ଷରୁ ଗତ ୨୭ ତାରିଖରେ ଜାରି ହୋଇଥିବା ସରକାରୀ ପତ୍ରରେ ସମସ୍ତ ବିଭାଗ, ବିଭାଗୀୟ ମୁଖ୍ୟ, ରେଭେନ୍ୟୁ ଡିଭିଜନାଲ୍ କମିଶନର ଓ ଜିଲ୍ଲାପାଳମାନଙ୍କୁ ଏହି ନିୟମ କଢ଼ାକଡ଼ି ଭାବେ ପାଳନ କରିବାକୁ ସ୍ପଷ୍ଟ ଭାବେ କୁହାଯାଇଛି ।

ଆହୁରି ପଢ଼ନ୍ତୁ :- ଅବକାରୀ କନଷ୍ଟେବଳ ନିଯୁକ୍ତିରେ ଦୁର୍ନୀତି ! RTIରୁ ଚାଞ୍ଚଲ୍ୟକର ତଥ୍ୟ, ଅଯୋଗ୍ୟ ପାଇଛନ୍ତି ଚାକିରି, ଯୋଗ୍ୟଙ୍କୁ ବାଦ୍

ସରକାରୀ ପତ୍ରରେ ୮ ଫେବ୍ରୁଆରୀ ୨୦୨୧ ତାରିଖରେ ଜାରି ହୋଇଥିବା ନୋଟିଫିକେସନ୍‌କୁ  ଉଦ୍ଧୃତ କରାଯାଇଛି । ସେହି ନୋଟିଫିକେସନ୍ ଅନୁଯାୟୀ, ଓଡ଼ିଶା ନଲେଜ୍ କର୍ପୋରେସନ୍ ଲିମିଟେଡ୍(ଏକେସିଏଲ) ଦ୍ୱାରା ପରିଚାଳିତ ରାଜ୍ୟସ୍ତରୀୟ କମ୍ପ୍ୟୁଟର ପାଠ୍ୟକ୍ରମ (ଓଏସ୍‌ସିଆଇଟି)କୁ ସରକାରୀ ନିଯୁକ୍ତି ପାଇଁ ମୌଳିକ କମ୍ପ୍ୟୁଟର ଦକ୍ଷତାର ଏକ ମାନ୍ୟତାପ୍ରାପ୍ତ ଓ ଭରସାଯୋଗ୍ୟ ପ୍ରମାଣ ଭାବେ ସ୍ୱୀକୃତି ଦିଆଯାଇଛି । ପତ୍ରରେ ସ୍ପଷ୍ଟ ଭାବେ କୁହାଯାଇଛି ଯେ, ୟୁଜିସି କିମ୍ବା ଏଆଇସିଟିଇ ସ୍ୱୀକୃତ ସଂସ୍ଥାରୁ ପ୍ରଦତ୍ତ ପିଜିଡିସିଏ ଓ ଡିସିଏ ସାର୍ଟିଫିକେଟ୍, ଏବଂ ଏନ୍ଆଇଇଏଲଆଇଟି "ଓ ଲେଭେଲ୍ ଯେଉଁଠାରେ କମ୍ପ୍ୟୁଟର ଯୋଗ୍ୟତା ନିର୍ଦ୍ଦିଷ୍ଟ ରହିଛି, ସେଠାରେ ଓଏସ୍ସିଆଇଟି ପାଠ୍ୟକ୍ରମକୁ ସମତୁଲ୍ୟ ଯୋଗ୍ୟତା ଭାବେ ଗ୍ରହଣ କରାଯିବ । ସରକାରଙ୍କ ଏହି ସ୍ପଷ୍ଟୀକରଣ ଦ୍ୱାରା ସରକାରୀ ଚାକିରୀ ଆକାଂକ୍ଷୀମାନଙ୍କ ମଧ୍ୟରେ ଥିବା ଦ୍ୱନ୍ଦ୍ୱ ଦୂର ହେବ । ରାଜ୍ୟସ୍ତରୀୟ କମ୍ପ୍ୟୁଟର ପାଠ୍ୟକ୍ରମ ସମ୍ପୂର୍ଣ୍ଣ କରିଥିବା ପ୍ରାର୍ଥୀମାନେ ନିଯୁକ୍ତି ପ୍ରକ୍ରିୟାରେ ସମାନ ସୁଯୋଗ ପାଇପାରିବେ ବୋଲି ଆଶା କରାଯାଉଛି।