କେନ୍ଦ୍ରପଡ଼ା, ୦୨/୦୨: ୨୦୧୪ ମସିହାରେ ଅବକାରୀ ବିଭାଗ କନଷ୍ଟେବଳ ପଦବି ପାଇଁ ଯେଉଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା ଓ ତତଦନୁଯାୟୀ ଯେଉଁ ନିଯୁକ୍ତି ପ୍ରକ୍ରିୟା ଅନୁଷ୍ଠିତ ହୋଇଥିଲା ତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ନିଯୁକ୍ତିରୁ ବଞ୍ଚିତ ଆଶାୟୀ । ନିଯୁକ୍ତି ପ୍ରକ୍ରିୟାରେ ବ୍ୟାପକ ଦୁର୍ନୀତି ହୋଇଥିବା ସୂଚନା ଅଧିକାର ତଥ୍ୟରୁ ସ୍ପଷ୍ଟ ହୋଇଥିବା ଦର୍ଶାଇଛନ୍ତି ।

ବାଦ୍ ପଡ଼ିଥିବା ପ୍ରାର୍ଥୀମାନେ ଭିଜିଲାନ୍ସ ଡିଜିଙ୍କ ନିକଟରେ ଏନେଇ ଅଭିଯୋଗ କରିଛନ୍ତି । ସମଗ୍ର ନିଯୁକ୍ତି ପ୍ରକ୍ରିୟାର ପୁଙ୍ଖାନୁପୁଙ୍ଖ ତଦନ୍ତ କରି ସେମାନଙ୍କୁ ନ୍ୟାୟ ପ୍ରଦାନ କରିବା ପାଇଁ ଦାବି କରିଛନ୍ତି । ନିଯୁକ୍ତି ପ୍ରକ୍ରିୟାରେ ସେମାନେ ଦୁର୍ନୀତିର ଗନ୍ଧ ବାରିଛନ୍ତି । ଏଥିରେ ସ୍ୱଚ୍ଛତା ରକ୍ଷା କରାଯାଇନଥିଲା ଓ ଯୋଗ୍ୟଙ୍କୁ ବାଦ୍ ଦିଆଯାଇଥିବାବେଳେ ଅଯୋଗ୍ୟଙ୍କୁ ଚାକିରି ମିଳିଥିବା ସୂଚନା ଅଧିକାର ଆଇନ ବଳରେ ପ୍ରଦତ୍ତ ତଥ୍ୟ ବଳରେ ଅଭିଯୋଗ କରିଛନ୍ତି ।

କେନ୍ଦ୍ରାପଡ଼ା ଜିଲ୍ଲାର ୩ ଜଣ ପ୍ରାର୍ଥୀ ଦୀନବନ୍ଧୁ ମଲିକ, ଶେଷଦେବ ନାୟକ, ମଳୟ ମଲ୍ଲିକ ଓ କନ୍ଧମାଳ ଜିଲାର ମଧୁସ୍ମିତା ବିଶିମାଝୀ ଅଭିଯୋଗ କରିଛନ୍ତି ଯେ ୨୦୧୪ ମସିହାରେ ଅବକାରୀ ବିଭାଗରେ ୨୫୬ ପଦବିରେ କନଷ୍ଟେବଳ୍ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ବିଜ୍ଞପ୍ତିରେ ଦର୍ଶାଯାଇଥିଲା ଯେ, ଯେଉଁ ପ୍ରାର୍ଥୀ ଭଲ ନମ୍ବର ରଖିବେ ସେମାନଙ୍କୁ ସଂରକ୍ଷଣ ବ୍ୟବସ୍ଥା ଅନୁଯାୟୀ ନିଯୁକ୍ତି ମିଳିବ । ତଦନୁଯାୟୀ ସେମାନେ ପରୀକ୍ଷା ଦେଇଥିଲେ । ଉଭୟ ଶାରୀରିକ ଓ ଲିଖିତ ପରୀକ୍ଷାରେ ସେମାନେ ଅଂଶଗ୍ରହଣ କରିଥିଲେ । ସେମାନେ ଉଭୟ ପରୀକ୍ଷାରେ ଉତ୍ତମ ପ୍ରଦର୍ଶନ କରିଥିଲେ । ହେଲେ ସେମାନଙ୍କୁ ଏହି ନିଯୁକ୍ତି ପ୍ରକ୍ରିୟାରୁ ବାଦ୍ ଦିଆଯାଇଥିଲା । ଫଳରେ ସେମାନେ ମାନସିକ ସ୍ତରରେ ଭାଙ୍ଗି ପଡିଥିଲେ । ସୂଚନା ଅଧିକାର ଆଇନ୍ ବଳରେ ସେମାନେ ଓଡ଼ିଶା ଅଧସ୍ତନ କର୍ମଚାରୀ ଚୟନ ଆୟୋଗ(ଓଏସ୍ଏସ୍ଏସ୍‌ସି )ଙ୍କୁ ତଥ୍ୟ ମାଗିଥିଲେ । କିନ୍ତୁ ସେମାନଙ୍କୁ ତଥ୍ୟ ପ୍ରଦାନରେ ବହୁ ବିଳମ୍ବ କରାଯାଇଥିଲା । ସରକାର ବଦଳିବା ପରେ ତାଙ୍କୁ ତଥ୍ୟ ମିଳିଛି । ଏହି ତଥ୍ୟ ମିଳିବା ପରେ ସେମାନେ ଜାଣିବାକୁ ପାଇଛନ୍ତି ଯେ ଯେଉଁ ନିଯୁକ୍ତି ହୋଇଥିଲା ସେଥିରେ ବହୁ ଦୁର୍ନୀତି କରାଯାଇଥିଲା । ଯାହା ଫଳରେ ସେମାନଙ୍କ ଭଳି ଯୋଗ୍ୟ ପ୍ରାର୍ଥୀମାନେ ଚାକିରି ପାଇପାରିନଥିଲେ ।

ଅପରପକ୍ଷରେ ସେମାନଙ୍କଠାରୁ ଅପେକ୍ଷାକୃତ କମ୍ ନମ୍ବର ରଖିଥିବା କେତେକ ପ୍ରାର୍ଥୀ ଚାକିରି ପାଇଥିଲେ । ଅସଂରକ୍ଷିତ ସ୍ଥାନରେ ଅନୁସୂଚିତ ଜାତି ଓ ଉପଜାତି ବର୍ଗର ପ୍ରାର୍ଥୀମାନେ ଭଲ ନମ୍ବର ରଖିଥିଲେ ମଧ୍ୟ ସେମାନଙ୍କ ବଦଳରେ ଅନ୍ୟ ବର୍ଗର ପ୍ରାର୍ଥୀଙ୍କୁ ଅଧିକ ନିଯୁକ୍ତି ଦିଆଯାଇଛି । ସେହିପରି କିଛି ପ୍ରାର୍ଥୀ ଶାରରୀକ ପରୀକ୍ଷାରେ ଅସଫଳ ହୋଇଥିଲେ ମଧ୍ୟ ଲିଖିତ ପରୀକ୍ଷାରେ ବସାଇ ଯୋଗ୍ୟ ପ୍ରାର୍ଥୀଙ୍କ ନାଁ ତାଲିକାରେ ସ୍ଥାନ ଦିଆଯାଇଛି । ସୂଚନା ଅଧିକାର ଆଇନ ବଳରେ ମିଳିଥିବା ତଥ୍ୟ ସମଗ୍ର ଘଟଣା ଉପରୁ ପରାଦା ହଟାଇଛି । ନିଯୁକ୍ତିରେ ଦୁର୍ନୀତି ଓ ଅନିୟମିତତା ହୋଇଥିବା ଅଭିଯୋଗକାରୀମାନେ ଦର୍ଶାଇଛନ୍ତି । ତେଣୁ ଭିଜିଲାନ୍ସ ଏହାର ତଦନ୍ତ କରି ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ବୋଲି ସେମାନେ ଦାବି କରିଛନ୍ତି ।

ଅଧିକ ପଢ଼ନ୍ତୁ- ଏଏସ୍‌ଓ ପ୍ରଶ୍ନପତ୍ର ପ୍ରଘଟ ମାମଲା; ଖୁବ୍‌ଶୀଘ୍ର ରିମାଣ୍ଡ୍‌ରେ ଆସିବ ସିଲିକନ୍‌ ଟେକ୍‌ଲାବ୍‌ର ମାଲିକ, ଖୋଲିବ ରହସ୍ୟ​​​​​​​