ଭୁବନେଶ୍ୱର ୨୮/୦୭: ଗଭୀର ଅବପାତ ପ୍ରଭାବରେ ଓଡ଼ିଶାରେ ପ୍ରବଳ ବର୍ଷା ଜାରି ରହିଛି । ରାଜ୍ୟର ବିଭିନ୍ନ ନଦୀରେ ଜଳସ୍ତର ବୃଦ୍ଧି ପାଇଛି। ତଳିଆ ଅଞ୍ଚଳରେ ପାଣି ପଶିଯିବାରୁ ବନ୍ୟାସ୍ଥିତି ଉପୁଜିଛି । ତେବେ ଏହାର ମୁକାବିଲା ପାଇଁ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି। ଯାହାକୁ ନେଇ ବଡ଼ ସୂଚନା ଦେଲେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ। ସେ ପ୍ରେସ୍ ମିଟ୍ରେ କହିଛନ୍ତି ଏବେ ରାଜ୍ୟରେ ବନ୍ୟା ସ୍ଥିତି ନିୟନ୍ତ୍ରଣାଧୀନ ରହିଛି। ବିଭିନ୍ନ ସ୍ଥାନରେ ଲୋକଙ୍କୁ ସ୍ଥାନାନ୍ତର ପ୍ରକ୍ରିୟା ଆରମ୍ଭ ହୋଇଛି।
ଅଧିକ ପଢ଼ନ୍ତୁ :- Flood: ଜଳକା, ଶାଳନ୍ଦୀ ଓ ବୈତରଣୀରେ ବନ୍ୟା ଆଶଙ୍କା, ସନ୍ଧ୍ୟା ସୁଦ୍ଧା ଟପିପାରେ ବିପଦ ସଙ୍କେତ
ମନ୍ତ୍ରୀ କହିଛନ୍ତି ଯେ, ରାଜ୍ୟରେ ଗତ ୨୪ ଘଣ୍ଟାରେ ହାରାହାରି ୪୭.୨ ମିମି ବର୍ଷା ହୋଇଛି । ଯାହାକି ସ୍ବାଭାବିକ ଠାରୁ ଅଧିକ , ୮ଟି ବ୍ଲକରେ ୨୦୦ ମିମିରୁ ଅଧିକ ବର୍ଷା । ହୀରାକୁଦ ଡ୍ୟାମ ମାତ୍ର ୨ଟି ଗେଟ୍ ଖୋଲା ଅଛି । ନରାଜରେ ୭ ଲକ୍ଷ କ୍ୟୁସେକ ଜଳ ପ୍ରବାହିତ ହେବ। ଯାହା ଚିନ୍ତାର କାରଣ ନାହିଁ । ଜଳକା ଛାଡ଼ିଦେଲେ ମହାନଦୀ, ବୈତରଣୀ, ସାଳନ୍ଦୀ ବିପଦ ସଙ୍କେତ ତଳେ ରହିଛି । ସୁନ୍ଦରଗଡ଼, ବାଲେଶ୍ବର ଓ ଭଦ୍ରକରେ ଓଡ୍ରାଫ୍ ଓ ଅଗ୍ନିଶମ ଟିମ୍ ମୁତୟନ ହୋଇଛନ୍ତି । ତଳିଆ ଅଞ୍ଚଳ ଓ ବନ୍ୟା ପ୍ରଭାବିତ ଅଞ୍ଚଳରେ ସ୍ଥାନାନ୍ତର ଆରମ୍ଭ ହୋଇଗଲାଣି। ଏଥିସହିତ ବନ୍ୟା ପ୍ରଭାବିତ ଲୋକଙ୍କୁ ରନ୍ଧା ଖାଦ୍ୟ ବଣ୍ଟନ ହେଉଛି ।