ଭୁବନେଶ୍ୱର,୨୭/୦୫: ଖଣି ନିଲାମ  ବଢ଼ୁଛି । ରାଜକୋଷକୁ ସମ୍ବଳର ସୁଅ ଛୁଟିଛି ।  ଶହ ଶହ ଏକରର ଜଙ୍ଗଲ କିନ୍ତୁ ଗଛଶୂନ୍ୟ  ହୋଇଛି । କେବଳ ଖଣି ନୁହଁ, ରେଳପଥ,  ରାସ୍ତା, ଶିଳ୍ପ, ଜଳସେଚନ ଓ ତାପଜ ପ୍ରକଳ୍ପ  ପାଇଁ ଲକ୍ଷ ଲକ୍ଷ ସଂଖ୍ୟାରେ ଗଛ କଟିଛି । ମାତ୍ର  ଏହି କ୍ଷତି ଭରଣା କରିବାକୁ କାମ୍ପାରେ ଯେତିକି  ପରିପୂରକ ଚାରା ରୋପଣ ହେବା କଥା ତାହା  ହୋଇନି । ବିକାଶ ସହ ସମତୁଲ ଭାବେ କିଭଳି ଜଙ୍ଗଲ ସୁରକ୍ଷା କରିହେବ ତାକୁ ସରକାରୀ ଭାବେ  ଯଥେଷ୍ଟ ଧ୍ୟାନ ମିଳୁନି । ଜଙ୍ଗଲ ଜମି କିସମ ପରିବର୍ତ୍ତନରେ ଦେଶରେ ଶୀର୍ଷରେ ଅଛି ଓଡ଼ିଶା । ଖଣି ଖନନ ଉଦ୍ଦେଶ୍ୟରେ ସର୍ବାଧିକ ଜଙ୍ଗଲ  ଜମିର କିସମ ବଦଳାଯାଇଛି । କେନ୍ଦ୍ର ଜଙ୍ଗଲ  ଓ ଜଳବାୟୁ ମନ୍ତ୍ରାଳୟରୁ ଏହି ସୂଚନା ମିଳିଛି ।  

୨୦୧୪ରୁ ୨୦୨୪ ମଧ୍ୟରେ ରାଜ୍ୟରେ  ୨୫ହଜାର ୧୫୩ ହେକ୍ଟର ଜଙ୍ଗଲ ଜମିର କିସମ  ପରିବର୍ତ୍ତନ ହୋଇଛି । ଏତେ ପରିମାଣରେ ଜଙ୍ଗଲ ଜମି କିସମ ବଦଳାଇବାରେ ସାରା  ଦେଶରେ ଓଡ଼ିଶା ଶୀର୍ଷରେ ରହିଛି । ଏହି ଜମିରୁ  ସର୍ବାଧିକ ୪୮% ଖଣି ଖନନ ପାଇଁ ବିନିଯୋଗ  ହୋଇଥିଲାବେଳେ ଜଳସେଚନ ପ୍ରକଳ୍ପ ଓ  ଶିଳ୍ପ ପାଇଁ ୨୨% ବିନିଯୋଗ ହୋଇଛି । ରେଳ  ଲାଇନ, ରାଜପଥ ସହ ଉଚ୍ଚଶକ୍ତି ସଂପନ୍ନ  ବିଦ୍ୟୁତ୍‌ ଟାୱାର ପ୍ରତିଷ୍ଠା ପାଇଁ ମଧ୍ୟ ବହୁ  ପରିମାଣର ଜଙ୍ଗଲ ଜମିର କିସମ ବଦଳିଛି ।  ବିକାଶ ଆଳରେ ଜଙ୍ଗଲ ଧ୍ୱଂସ ହୋଇଛି ।  ମାତ୍ର ସର୍ବାଧିକ କାମ୍ପା ପାଣ୍ଠି ପାଇ ମଧ୍ୟ  ନୂଆ ଜଙ୍ଗଲ ସୃଷ୍ଟିରେ ରାଜ୍ୟ ଆଖିଦୃଶିଆ  ସଫଳତା ପାଇନି । ଗତ ୫ଟି ଆର୍ଥିକ ବର୍ଷରେ  ରାଜ୍ୟ ସରକାର କାମ୍ପାରେ ୧୭,୫୭୫ ହେକ୍ଟର  ଜମିରେ ଚାରା ଲଗାଇଛନ୍ତି । 

ମାତ୍ର ଏହା ସମୁଦ୍ରକୁ  ଶଙ୍ଖେ । କାମ୍ପା କେନ୍ଦ୍ରୀୟ ଅନୁଦାନରୁ ରାଜ୍ୟ ଜଙ୍ଗଲ  ବିଭାଗ ବହୁ ପରିମାଣର ପାଣ୍ଠି ‘ଆମ ଜଙ୍ଗଲ  ଯୋଜନା’, ‘ଗ୍ରୀନ୍‌ ମହାନଦୀ’ ଓ ମନରେଗାରେ  ଖର୍ଚ୍ଚ କରୁଛି । କାମ୍ପା ପାଣ୍ଠିକୁ ଅନ୍ୟ ଯୋଜନାରେ  ଖର୍ଚ୍ଚ କରିବା କାମ୍ପା ନିୟମର ଉଲ୍ଲଂଘନ ।  ଏହାଛଡ଼ା କାମ୍ପାରେ ପରିପୂରକ ବନୀକରଣକୁ  ବ୍ୟାପକ କରିବାକୁ ସରକାର ‘ଜମିବ୍ୟାଙ୍କ’  ପ୍ରତିଷ୍ଠା ନିଷ୍ପତ୍ତି ଶୀତଳଭଣ୍ଡାରରେ ପଡ଼ିଛି । 

୨୦୧୯ରୁ ୨୦୨୪ ମଧ୍ୟରେ ଓଡ଼ିଶାରେ  ୧୫,୮୨୫ ହେକ୍ଟର ଜଙ୍ଗଲ ଜମିର କିସମ  ବଦଳିଛି । ଏହି ଜଙ୍ଗଲ ଜମିର କିସମ ପରିବର୍ତ୍ତନ  ପାଇଁ ଓଡ଼ିଶା ୪୮ଟି ପ୍ରସ୍ତାବ କେନ୍ଦ୍ରକୁ ପଠାଇଥିଲା ।  ଏହି ଜଙ୍ଗଲ ଜମିରେ ଖଣି ଖନନ କରାଯାଉଛି ।  ଏହାଛଡ଼ା ଶିଳ୍ପ, ରାସ୍ତାଘାଟ ଓ ରେଳ ଲାଇନରେ  ମଧ୍ୟ ବହୁ ଜମି ବ୍ୟବହୃତ ହୋଇଛି । ୩୦  ବର୍ଷ ତଳର ପ୍ରସ୍ତାବିତ ବୃତ୍ତଙ୍ଗ ଜଳସେଚନ  ପ୍ରକଳ୍ପ ପାଇଁ ପ୍ରାୟ ବର୍ଷକ ତଳେ ୧୫୨୪.୧୭  ହେକ୍ଟର ଜଙ୍ଗଲ ଜମିର କିସମ ପରିବର୍ତ୍ତନକୁ  କେନ୍ଦ୍ର ମଂଜୁର ଦେଇଛନ୍ତି । ୨୦୧୪ରୁ ୨୦୧୮  ମଧ୍ୟରେ ୯, ୩୨୮ ହେକ୍ଟର ଜଙ୍ଗଲ ଜମିର  କିସମ ବିକାଶମୂଳକ କାମ ସହ ଖଣି ଖନନ  ପାଇଁ ବଦଳିଛି । ମାତ୍ର ଏତେ ପରିମାଣର  ଜଙ୍ଗଲ ଜମି ବିକାଶମୂଳକ କାମରେ ଲାଗିଥିଲେ  ମଧ୍ୟ କାମ୍ପାରେ ବ୍ୟାପକ ଚାରା ରୋପଣ ପାଇଁ  ସରକାର ଆନ୍ତରିକତା ଦେଖାଉ ନାହାନ୍ତି । 

ରାଜ୍ୟରେ ଜଳସେଚନ, ଶିଳ୍ପ, ରାସ୍ତାଘାଟ,  ରେଳଲାଇନ ଆଦି ପ୍ରକଳ୍ପ ପାଇଁ ବନ ସଂରକ୍ଷଣ  ଅଧିନିୟମ ୧୯୮୦ ଆଧାରରେ ଜଙ୍ଗଲ ଜମିର  କିସମ ପରିବର୍ତ୍ତନ କରାଯାଉଛି । ଭାରତୀୟ  ବନ ସର୍ବେକ୍ଷଣ ସଂସ୍ଥାର ରାଜ୍ୟ ଜଙ୍ଗଲ  ବିବରଣୀ-୨୦୨୩ ଅନୁଯାୟୀ ରାଜ୍ୟର ସମୁଦାୟ  ଜଙ୍ଗଲ ପରିମାଣ ୫୨୪୩୩.୫୬ ବର୍ଗ  କିଲୋମିଟର ରହିଛି । ରାଜ୍ୟରେ ୫୫୮.୫୭ ବର୍ଗ  କିଲୋମିଟର ଅଞ୍ଚଳରେ ଜଙ୍ଗଲ ଅଭିବୃଦ୍ଧି ହୋଇଛି ।  

କାମ୍ପା ଯୋଜନାରେ ଚଳିତ ଆର୍ଥିକ  ବର୍ଷରେ ୧୦୨୦.୬୧ କୋଟି ବ୍ୟୟ ଅଟକଳ  ପ୍ରସ୍ତାବ ରହିଛି । ଏଥିରେ ୬୯୨୨.୨୫  ହେକ୍ଟର ଜଙ୍ଗଲରେ କ୍ଷତିପୂରକ ବନୀକରଣ,  ୨୮୯୨୪.୬୫ ହେକ୍ଟରରେ ରକ୍ଷଣାବେକ୍ଷଣ ଓ  ୫୦ ହଜାର ହେକ୍ଟର ଉଜୁଡ଼ା ବାଉଁଶ ଜଙ୍ଗଲର  ପୁନରୁଦ୍ଧାର କରାଯିବ । ମାତ୍ର ସରକାର  ଜଙ୍ଗଲ ଜମିର କିସମ ବଦଳାଇବାକୁ ଯେତିକି  ତତ୍ପରତା ଦେଖାଉଛନ୍ତି, କାମ୍ପାରେ ପରିପୂରଣ  ବନୀକରଣ ପାଇଁ ସେତିକି ନିଷ୍ଠା ଦେଖାଉନାହାନ୍ତି