ଭୁବନେଶ୍ୱର,୧୩/୦୬:  ସଭିଙ୍କୁ ସରପ୍ରାଇଜ୍‌ କରିଦେଇଛି  ମୌସୁମୀ । ପାଣିପାଗ ବିଭାଗ କାଲିଯାଏଁ କହୁଥିଲା-ମୌସୁମୀ ପାଇଁ  ଆହୁରି ୨/୩ ଦିନ ଅପେକ୍ଷା କର ।  ପାଗରେ ବି ସେମିତି ପରିବର୍ତ୍ତନ  ଦେଖା ଯାଉନଥିଲା । ଆଜି ଆସିଗଲା ମୌସୁମୀ । ଚିରାଚରିତ ଦକ୍ଷିଣ ଓଡ଼ିଶା ବାଟ ଛାଡ଼ି ଉତ୍ତର ପଟୁ ପ୍ରବେଶ କରିଛି । ଏପଟେ ମୌସୁମୀ ଆଗମନ ନେଇ ପାଣିପାଗ ବିଭାଗର ବିଧିବଦ୍ଧ ଘୋଷଣା ସଭିଙ୍କୁ ଚକିତ କରିଦେଲା । ଅବଶ୍ୟ ପାଗ ବି ବଦଳିଛି । କେତେକ ଜିଲ୍ଲାରେ ଭଲ ବର୍ଷା ହୋଇଛି । ଆକଳନ କରାଯାଉଛି, ସକାଳ ସୁଦ୍ଧା ଆଉ କିଛି ଜିଲ୍ଲାକୁ ଛୁଇଁଯିବ ମୌସୁମୀ ।

ପାଣିପାଗ ବିଭାଗ ମାନଚିତ୍ର ଜାରି କରି ଦେଖାଇଛି, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ାର କିଛି ଅଂଶରେ  ମୌସୁମୀ ପ୍ରବେଶ କରିଛି । ତେବେ ଜଗତସିଂହପୁରକୁ ସାମାନ୍ୟ  ସ୍ପର୍ଶ କରିଛି । ବିହାର, ପଶ୍ଚିମବଙ୍ଗ ଏବଂ ଝାଡ଼ଖଣ୍ଡର କିଛି  ଅଂଶ ମଧ୍ୟ ଛୁଇଁଛି । ଆକଳନ କରାଯାଉଛି, ମୌସୁମୀ ଆଗକୁ  ବଢ଼ିବାକୁ ପାଗ ଅନୁକୂଳ ଅଛି । ୨-୩ ଦିନ ଭିତରେ ଓଡ଼ିଶାର ଆଉ କିଛି ଅଞ୍ଚଳକୁ ଖେଳିଯିବ ମୌସୁମୀ ବର୍ଷା ।

ମିଳିଥିବା  ସୂଚନା ଅନୁସାରେ ଆଜି ଭଦ୍ରକ, ଗଞ୍ଜାମ, ଗଜପତି, କୋରାପୁଟ,  ମାଲକାନଗିରି, ଜଗତସିଂହପୁର, ଖୋର୍ଦ୍ଧା ଓ ନୟାଗଡ଼ର କିଛି  ସ୍ଥାନରେ ବର୍ଷା ହୋଇଛି । ଶନିବାର ରାଜ୍ୟର ଅନେକ ସ୍ଥାନରେ  ବର୍ଷା ସମ୍ଭାବନା ଅଛି । ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା,  କଟକ, ଜଗତସିଂହପୁର, କେନ୍ଦୁଝର, ମୟୂରଭଞ୍ଜ, ନବରଙ୍ଗପୁର,  ରାୟଗଡ଼ା, କୋରାପୁଟ, ମାଲକାନଗିରି, ଗଜପତିରେ ଘଡ଼ଘଡ଼ି  ସହ ବର୍ଷା ଏବଂ ୫୦-୬୦ କିମି ବେଗରେ ପବନ ହୋଇପାରେ । ଦକ୍ଷିଣର ନବରଙ୍ଗପୁର, ରାୟଗଡ଼ା, କୋରାପୁଟ, ମାଲକାନଗିରି, ଗଜପତିର ଗୋଟିଏ ଦୁଇଟି ଜାଗାରେ ପ୍ରବଳ ବର୍ଷା ସମ୍ଭାବନା  ଅଛି । ପଶ୍ଚିିମ ଏବଂ ଆଭ୍ୟନ୍ତରୀଣ ଜିଲ୍ଲାର କେତେକ ସ୍ଥାନରେ  କାଳବୈଶାଖୀ ହୋଇପାରେ । ଏଭଳି ବର୍ଷା ପାଗ କିଛିଦିନ  ରହିପାରେ । ୪ ଦିନ ଭିତରେ ତାପମାତ୍ରା ୨ରୁ ୩ ଡିଗ୍ରୀ କମିପାରେ ।  

 

ପାଣିପାଗ ବୈଜ୍ଞାନିକଙ୍କ ମତରେ ବର୍ତ୍ତମାନ ରାଜ୍ୟରେ ମୌସୁମୀ ପ୍ରବଳ ବର୍ଷା ନ କଲେ ମଧ୍ୟ କିଛି କିଛି ବର୍ଷା କରାଇବ ।  ଆସନ୍ତା ୧୫-୧୬ ଯାଏଁ ଏଭଳି ପାଗ ରହିପାରେ । ତା’ପରେ  ବର୍ଷା ସାମାନ୍ୟ କମିପାରେ । ପାଣିପାଗ ବୈଜ୍ଞାନିକ ବିଶ୍ୱଜିତ  ସାହୁ କହିଛନ୍ତି, ଶନିବାର ରାଜ୍ୟର ବିସ୍ତାରିତ ଅଞ୍ଚଳରେ ବର୍ଷା  ହୋଇପାରେ । ତେଣୁ ମୌସୁମୀ ଆସନ୍ତା ୨୪ ଘଣ୍ଟା ଭିତରେ ଆଉ  କିଛି ସ୍ଥାନରେ ପ୍ରବେଶ କରିବା ସମ୍ଭାବନା ଅଛି ।