- ଓଡ଼ିଶାରେ ନୂଆ ରେଳ ଟ୍ରାକ୍ ନିର୍ମାଣ ସାଢ଼େ ୩ଗୁଣ ବଢ଼ିଛି
- ଓଡ଼ିଶାରେ ୧୨ଟି ଗତିଶକ୍ତି କାର୍ଗୋ ଟର୍ମିନାଲ କାର୍ଯ୍ୟକ୍ଷମ
- ଓଡିଶାରେ ଅମୃତ ଭାରତ ଷ୍ଟେସନ ଯୋଜନାରେ ୯ଟି ଷ୍ଟେସନ ପୁନର୍ବିକାଶ କାମ ସମ୍ପୂର୍ଣ୍ଣ
ଭୁବନେଶ୍ୱର, ୨୨।୭ : ଓଡ଼ିଶାକୁ ରେଳ ବଜେଟ୍ ଆବଣ୍ଟନ ଗତ ୧୨ ବର୍ଷ ମଧ୍ୟରେ ପ୍ରାୟ ୧୩ ଗୁଣ ବୃଦ୍ଧି ପାଇଛି । ଆଜି ଲୋକସଭାରେ ଏହି ସୂଚନା ଦେଇଛନ୍ତି କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ୨୦୦୯ରୁ ୨୦୧୪ ମଧ୍ୟରେ ରାଜ୍ୟକୁ ବାର୍ଷିକ ୮୩୮ କୋଟି ଟଙ୍କାର ରେଳ ବଜେଟ୍ ମିଳୁଥିଲା। ୨୦୨୬-୨୭ରେ ଏହା ୧୩ ଗୁଣ ବୃଦ୍ଧି ପାଇ ୧୦ ହଜାର ୯୨୮ କୋଟି ଟଙ୍କାରେ ପହଞ୍ଚିଛି । ସେହିପରି ଓଡ଼ିଶାରେ ନୂଆ ରେଳ ଟ୍ରାକ୍ ନିର୍ମାଣ ସାଢ଼େ ୩ଗୁଣ ବଢ଼ିଛି । ୨୦୦୯-୧୪ ମଧ୍ୟରେ ବାର୍ଷିକ ହାରାହାରୀ ନୂଆ ଟ୍ରାକ୍ ନିର୍ମାଣ ୫୩ କିମି ଥିବା ବେଳେ୨୦୧୪-୨୬ରେ ଏହା ୧୮୬ କିମିକୁ ବୃଦ୍ଧି ପାଇଛି ବୋଲି ରେଳ ମନ୍ତ୍ରୀ ସୂଚନା ଦେଇଛନ୍ତି ।
କେନ୍ଦ୍ର ମନ୍ତ୍ରୀ ଆହୁରି କହିଛନ୍ତି, ଏପ୍ରିଲ୍ ପହିଲା ୨୦୨୬ ସୁଦ୍ଧା ୧୯ଟି ନୂଆ ଲାଇନ୍ ଏବଂ ୩୬ଟି ରେଳ ଲାଇନର ଦୋହରୀକରଣ/ପ୍ରଶସ୍ତିକରଣ ସମେତ ମୋଟ୍ ୫୫ଟି ପ୍ରକଳ୍ପକୁ ମଞ୍ଜୁର କରାଯାଇଛି । ମୋଟ୍ ୪,୨୫୬ କିମି ରେଳ ଲାଇନ୍ ନିର୍ମାଣ ଲାଗି ୮୧,୭୩୯ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ନିକଟରେ ଦୈତାରୀ-ବାଂଶପାଣୀ ନୂଆ ଲାଇନ, ଝାରସୁଗୁଡ଼ା-ସରଡେଗା ନୂଆ ଲାଇନ, ହରିଦାସପୁର-ପାରାଦୀପ ନୂଆଲାଇନ, ସମ୍ବଲପୁର-ଟିଟିଲାଗଡ଼ ଲାଇନ ଦୋହରୀକରଣ ଆଦି ସମେତ ୩୨ଶହ କୋଟି ଟଙ୍କାର ୧୧ଟି ରେଳ ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇଛି । ବର୍ତ୍ତମାନ ୨୬ଟି ରେଳ ପ୍ରକଳ୍ପର ନିର୍ମାଣ କାର୍ୟ୍ୟ ଜାରି ରହିଛି ।
ଶ୍ରୀ ବୈଷ୍ଣବ କହିଛନ୍ତି, ଅମୃତ ଭାରତ ଷ୍ଟେସନ ଯୋଜନାରେ ଓଡ଼ିଶାର ମୋଟ୍ ୫୯ଟି ଷ୍ଟେସନର ପୁନର୍ବିକାଶ କାମ ଚାଲୁ ରହିଛି । ବର୍ତ୍ତମାନ ସୁଦ୍ଧା ୯ଟି ଷ୍ଟେସନ - ବଲାଙ୍ଗୀର, ବାରିପଦା, ବରପାଲି, ବିମଳାଗଡ, କଟକ, କେସିଙ୍ଗା, ଖରିଆର ରୋଡ, ପାରଳାଖେମୁଣ୍ଡି, ତାଲଚେରର ପୁନର୍ବିକାଶ କାମ ଶେଷ ହୋଇଛି । ଭୁବନେଶ୍ୱରକୁ ବିଶ୍ୱସ୍ତରୀୟ ଷ୍ଟେସନରେ ପରିଣତ କରିବା ଲାଗି ବ୍ୟାପକ ବିକାଶ କାମ ଜାରି ରହିଛି । କଟକ, ପୁରୀ, ମଞ୍ଚେଶ୍ୱର, ଲିଙ୍ଗରାଜରୋଡ ଷ୍ଟେସନକୁ ମଧ୍ୟ ବିକଶିତ କରିବା ଲାଗି ପଦକ୍ଷେପ ଗ୍ରହଣ କରାଯାଉଛି । ଗୋପାଳପୁର-ରାଇରଖୋଲ ନୂଆ ଲାଇନ ନିର୍ମାଣ ଲାଗି ମଧ୍ୟ ପ୍ରୟାସ ଆରମ୍ଭ ହୋଇଛି ।
ଦେଶରେ ମୋଟ୍ ୧୪୨ଟି ଏବଂ ଓଡ଼ିଶାରେ ୧୨ଟି ଗତିଶକ୍ତି କାର୍ଗୋ ଟର୍ମିନାଲ କାର୍ଯ୍ୟକ୍ଷମ ହୋଇଛି । ଆହୁରି ୩୬ଟି ଗତିଶକ୍ତି ଟର୍ମିନାଲକୁ ନୀତିଗତ ମଞ୍ଜୁରି ମିଳିଛି । ଓଡ଼ିଶାରେ ସମ୍ପୂର୍ଣ୍ଣ ବ୍ରଡଗଜ୍ ନେଟୱର୍କର ବିଦ୍ୟୁତିକରଣ ଶେଷ ହୋଇଛି । ଦେଶରେ ୨୦୧୪ ପୂର୍ବରୁ ୨୧,୮୦୧ କିଲୋମିଟର ବ୍ରଡ୍ ଗଜ ନେଟୱର୍କର ବିଦ୍ୟୁତିକରଣ ହୋଇଥିବା ବେଳେ ୨୦୧୪ରୁ ୨୦୨୬ ମଧ୍ୟରେ ୪୮,୦୭୨ କିଲୋମିଟର ବ୍ରଡଗଜ୍ ନେଟୱର୍କର ବିଦ୍ୟୁତିକରଣ କରାଯାଇଛି । ଏହାଛଡ଼ା ଓଡ଼ିଶାରେ ଯେଉଁ ନୂଆ ଲାଇନ୍ ଏବଂ ରେଳ ଲାଇନର ଦୋହରୀକରଣ କରାଯାଉଛି, ସେଗୁଡ଼ିକର ବିଦ୍ୟୁତିକରଣ ସହିତ ନିର୍ମାଣ କରାଯାଉଛି । ଓଡ଼ିଶା ସମେତ ଦେଶରେ ରେଳ ପ୍ରକଳ୍ପଗୁଡ଼ିକୁ ଦ୍ରୁତ ଏବଂ ସମନ୍ୱିତ ଢଙ୍ଗରେ ଶେଷ କରିବା ଲାଗି ପ୍ରଧାନମନ୍ତ୍ରୀ ଗତି ଶକ୍ତି ଜାତୀୟ ମାଷ୍ଟର ପ୍ଲାନ୍ ଅଧୀନରେ ପ୍ରକଳ୍ପଗୁଡ଼ିକୁ ସାମିଲ କରାଯାଉଛି ବୋଲି ରେଳ ମନ୍ତ୍ରୀ କହିଛନ୍ତି ।
ଶ୍ରୀ ବୈଷ୍ଣବଙ୍କ ସୂଚନା ଅନୁଯାୟୀ, ଭାରତୀୟ ରେଳବାଇ ସୁରକ୍ଷା ସଂକ୍ରାନ୍ତ ବଜେଟ୍ ୨୦୧୩-୧୪ରେ ୩୯,୨୦୦ କୋଟି ଟଙ୍କା ଥିବା ବେଳେ ୨୦୨୬ -୨୭ରେ ଏହା ୧ ଲକ୍ଷ ୨୦ ହଜାର ୩୮୯ କୋଟି ଟଙ୍କାକୁ ବୃଦ୍ଧି ପାଇଛି । ସରକାର ଉଚ୍ଚ ମାନର ରେଳ ଭିତ୍ତିଭୂମି ନିର୍ମାଣ କରିବା ସହିତ କବଚ୍ ଭଳି ସୁରକ୍ଷା ପ୍ରଣାଳୀ କାର୍ଯ୍ୟକାରୀ କରିଥିବା ରେଳ ମନ୍ତ୍ରୀ ଶ୍ରୀ ବୈଷ୍ଣବ ସୂଚନା ଦେଇଛନ୍ତି । ରେଳ ଯାତ୍ରାକୁ ଅଧିକ ସୁରକ୍ଷିତ କରିବା ଲାଗି ପ୍ରଯୁକ୍ତିଗତ ଉନ୍ନତିକରଣ ସହିତ ରକ୍ଷଣାବେକ୍ଷଣ ପ୍ରତି ମଧ୍ୟ ବିଶେଷ ଧ୍ୟାନ ଦିଆଯାଉଛି । ୩,୬୯୧ଟି ଷ୍ଟେସନରେ ଇଲେକ୍ଟ୍ରୋନିକ ଇଣ୍ଟରଲକିଂ ସୁବିଧା ରହିଛି ଯାହା ୨୦୧୩-୧୪ ତୁଳନାରେ ୪ ଗୁଣ ବୃଦ୍ଧି ପାଇଛି । ସେହିପରି ଫଗ୍ ପାସ୍ ସୁରକ୍ଷା ଉପକରଣ ସଂଖ୍ୟା ୩୫୨ ଗୁଣ ବୃଦ୍ଧି ପାଇଛି । ନୂତନ ଟ୍ରାକ୍ ନିର୍ମାଣ ଅଢ଼େଇ ଗୁଣ ବଢ଼ିଥିବା ବେଳେ ରେଳବାଇ ଫ୍ଲାଇଓଭର ଏବଂ ଅଣ୍ଡରପାସ୍ ସଂଖ୍ୟା ୩ ଗୁଣ ବୃଦ୍ଧି ପାଇଛି । ଏଲଏଚବି କୋଚ୍ ସଂଖ୍ୟା ୨୧ ଗୁଣ ବଢ଼ିଛି ଅର୍ଥାତ୍ ୪୯ ହଜାର ୩୬୬କୁ ବୃଦ୍ଧି ପାଇଛି ।
ଉଚ୍ଚ ସ୍ତରର ସୁରକ୍ଷା ପାଇଁ ସ୍ୱଦେଶୀ ଜ୍ଞାନକୌଶଳର ସ୍ୱୟଂକ୍ରିୟ ଟ୍ରେନ୍ ସୁରକ୍ଷା ପ୍ରଣାଳୀ କବଚ କାର୍ଯ୍ୟକାରୀ କରାଯାଇଛି । ୧୪୬୫ ରୁଟ୍ କିଲୋମିଟରରେ କବଚ୍ ୩.୨ କାର୍ଯ୍ୟକ୍ଷମ କରାଯାଇଛି। ୨,୪୯୦ ରୁଟ୍ କିଲୋମିଟରରେ ସେହିପରି କବଚ ୪.୦ କାର୍ଯ୍ୟକ୍ଷମ ହୋଇଛି । କବଚ କାମ ବାବଦରେ ଏବେ ସୁଦ୍ଧା ୩୮୭୪.୯ କୋଟି ଟଙ୍କା ବିନିଯୋଗ ହୋଇଥିବା ବେଳେ ୨୦୬୬.୨୪ କୋଟି ଟଙ୍କାର ପାଣ୍ଠି ଉପଲବ୍ଧ ରହିଛି ।
ଆହୁରି ପଢନ୍ତୁ : ଏସି, ଏସ୍ଟି ନିର୍ଯାତନା ମାମଲାର ବିଚାର ପାଇଁ ଗଠନ ହେବ ୬ ସ୍ବତନ୍ତ୍ର କୋର୍ଟ