ଭୁବନେଶ୍ୱର,୨୪/୦୨: ଓଡ଼ିଶା ୩୦,୨୩୧ କୋଟି ଟଙ୍କାର ସାମଗ୍ରୀ ଓ ସେବା ଟିକସ (ଜିଏସ୍‌ଟି) କ୍ଷତି ପୂରଣ ପାଇଛି । ୨୦୧୭ ଜୁନ ପରଠାରୁ ୨୦୨୨ ଜୁନ ମଧ୍ୟରେ ୫ ବର୍ଷରେ କେନ୍ଦ୍ର ସରକାର ରାଜ୍ୟକୁ ଏଭଳି କ୍ଷତିପୂରଣ ପ୍ରଦାନ କରିଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋମବାର ବିଧାନସଭାରେ ସୂଚନା ଦେଇଛନ୍ତି ।

ମୁଖ୍ୟମନ୍ତ୍ରୀ କହିଲେ, ରାଜ୍ୟ ଜିଏସ୍‌ଟି କ୍ଷତିପୂରଣ ବାବଦ ସମ୍ପୂର୍ଣ୍ଣ ଅର୍ଥ ପାଇଛି । ଏ କ୍ଷେତ୍ରରେ କୌଣସି ଅର୍ଥ ବକେୟା ନାହିଁ । ୫ ବର୍ଷ ଲାଗି ରାଜ୍ୟର ସୁରକ୍ଷିତ ରାଜସ୍ୱ ବାବଦକୁ କେନ୍ଦ୍ର ସରକାର ୯୮,୨୩୯ କୋଟି ଟଙ୍କା ଧାର୍ଯ୍ୟ ହୋଇଥିଲା । ମାତ୍ର ଏହା ତୁଳନାରେ ରାଜ୍ୟ ୬୮,୦୦୮ କୋଟି ଟଙ୍କା ରାଜସ୍ୱ ଆଦାୟ କରିବାକୁ ସକ୍ଷମ ହୋଇଥିଲା । କ୍ଷତି ରହିଥିଲା ୩୦,୨୩୧ କୋଟି । ଏହି ଅର୍ଥକୁ କେନ୍ଦ୍ର ସରକାର ରାଜସ୍ୱ କ୍ଷତି ଭାବେ ପ୍ରଦାନ କରିଛନ୍ତି ।

୨୦୧୭ ଜୁଲାଇ ପହିଲାରେ ସାରା ଦେଶରେ ଲାଗୁ ହୋଇଥିବା ଜିଏସ୍‌ ବ୍ୟବସ୍ଥା । ନୂଆ ପରୋକ୍ଷ ଟିକସ ବ୍ୟବସ୍ଥା ଲାଗୁ ହେବା ପରେ ରାଜ୍ୟ ଗୁଡ଼ିକ ସହୁଥିବା କ୍ଷତିକୁ ଭରଣା କରିବା ଲାଗି ଜିଏସ୍‌ଟି କ୍ଷତିପୂରଣ ସେସ୍ ବ୍ୟବସ୍ଥା କରାଯାଇଥିଲା । ରାଜ୍ୟ ଗୁଡ଼ିକୁ ୫ ବର୍ଷ ଲାଗି କ୍ଷତିପୂରଣ ପ୍ରଦାନ କରିବାକୁ କେନ୍ଦ୍ର ସରକାର ପ୍ରତିଶ୍ରୁତି ଦେଇଥିଲେ ।

କ୍ଷତିପୂରଣ ହିସାବର ମୂଳ ବର୍ଷ ଭାବେ ୨୦୧୫-୧୬ ରହିଥିଲା । ସେହିଭଳି ଏହି ଅବଧିରେ ଆଦାୟ ରାଜସ୍ୱକୁ ମୂଳବର୍ଷ ରାଜସ୍ୱ ବୋଲି ବିଚାର କରାଯାଇଥିଲା । ମୂଳ ରାଜସ୍ୱରେ ୧୪% ଅଭିବୃଦ୍ଧି ମାନକ ରଖାଯାଇଥିଲା । ଏହି ହାରରେ ରାଜସ୍ୱ ନ ବଢ଼ିଲେ ରାଜସ୍ୱ କ୍ଷତିପ୍ରଦାନ କରିବେ ବୋଲି କହିଥିଲେ କେନ୍ଦ୍ର ସରକାର । ନିର୍ଦ୍ଧାରିତ ରାଜସ୍ୱ ଏବଂ ସଂଗୃହୀତ ପ୍ରକୃତ ରାଜସ୍ୱ ବ୍ୟବଧାନକୁ ରାଜସ୍ୱ କ୍ଷତି ବୋଲି ବିବେଚନା କରାଯାଇଥିଲା ।

୨୦୧୭-୧୮ରେ ରାଜ୍ୟ ରାଜସ୍ୱ ଆଦାୟ ୧୦,୭୬୯ କୋଟି ହେବ ବୋଲି ଆକଳନ କରାଯାଇଥିଲା । ମାତ୍ର ଏହି ଅବଧିରେ ୮,୪୨୧ କୋଟି ପରୋକ୍ଷ ଟିକସ ଆଦାୟ ହେଲା । ଫଳରେ ରାଜ୍ୟକୁ କ୍ଷତିପୂରଣ ଭାବେ ୨,୩୪୮ କୋଟି ଟଙ୍କା ମିଳିଛି । ସେହିଭଳି ୨୦୧୮-୧୯ରୁ ୨୦୨୨- ୨୩ ଅବଧିରେ ନିର୍ଦ୍ଧାରିତ ରାଜସ୍ୱ ଯଥାକ୍ରମେ ୧୬,୩୭୦ କୋଟି, ୧୮,୬୬୧ କୋଟି, ୨୧,୨୭୪ କୋଟି, ୨୪,୨୫୨ କୋଟି ଏବଂ ୬,୯୧୦ କୋଟି ଥିଲା । ଏହି ୫ ବର୍ଷ ଅବଧିରେ ୯୮,୨୩୯ କୋଟି ପରୋକ୍ଷ ଟିକସ ରାଜ୍ୟ ପାଇବା ନେଇ ଆକଳନ ହୋଇଥିଲା ।

ମାତ୍ର ଏହି ଅବଧି ଗୁଡ଼ିକରେ ରାଜ୍ୟର ଜିଏସ୍ଟି ଆଦାୟ ଯଥାକ୍ରମେ ୧୨,୧୧୯ କୋଟି, ୧୩,୩୨୯ କୋଟି, ୧୩,୨୦୯ କୋଟି, ୧୬,୫୩୬ କୋଟି ଏବଂ ୪୩୮୨ କୋଟି ଥିଲା । ଅର୍ଥାତ ମୋଟ ଜିଏସ୍ଟି ଆଦାୟ ୬୮,୦୦୮ କୋଟି ଟଙ୍କା ଥିଲା । ଏହି ବର୍ଷ ଗୁଡ଼ିକରେ ଜିଏସ୍ଟି ରାଜସ୍ୱ କ୍ଷତି ପୂରଣ ଭାବେ ରାଜ୍ୟ ଯଥାକ୍ରମେ ୪୨୪୧ କୋଟି, ୫,୩୩୧ କୋଟି, ୮୦୫୬ କୋଟି, ୭୭୧୬ କୋଟି, ୨୫୨୮ କୋଟି ଟଙ୍କା ପାଇଛି ।