ଭୁବନେଶ୍ୱର,୦୪/୦୪; ରାୟପୁରରେ ଆୟୋଜିତ ଖେଲୋ ଇଣ୍ଡିଆ ପ୍ରଥମ ଜନଜାତି କ୍ରୀଡ଼ାରେ ଓଡ଼ିଶା ଚମତ୍କାର ପ୍ରଦର୍ଶନ କରି ଦଳଗତ ରନର୍ସଅପ୍‌ ହୋଇଛି । ୨୧ ସ୍ୱର୍ଣ୍ଣ, ୧୫ ରୌପ୍ୟ ଓ ୨୧ଟି ବ୍ରୋଞ୍ଜ ପଦକ ସହ ଦଳ ମୋଟ୍‌ ୫୭ଟି ପଦକ ଜିତିଛି । ଚାମ୍ପିଅନ କର୍ଣ୍ଣାଟକ ୨୩ଟି ସ୍ୱର୍ଣ୍ଣ ଜିତି ପ୍ରଥମ ସ୍ଥାନ ହାସଲ କରିଛି । କିନ୍ତୁ ମୋଟ୍‌ ପଦକ ହାସଲରେ ଓଡ଼ିଶା ଆଗୁଆ ରହିଛି । ଆୟୋଜକ ଛତିଶଗଡ଼ ନବମ ସ୍ଥାନରେ ରହି ଅଭିଯାନ ଶେଷ କରିଛି ।

କର୍ଣ୍ଣାଟକ ମୋଟ୍‌ ୩୮ଟି (୨୩ ସ୍ୱର୍ଣ୍ଣ, ୮ଟି ରୌପ୍ୟ ଓ ୭ଟି ବ୍ରୋଞ୍ଜ) ଏବଂ ଓଡ଼ିଶା ୫୭ଟି ପଦକ ପାଇଛି । ରାୟପୁରରେ ଗତ ମାସ ୨୫ରୁ କ୍ରୀଡ଼ା ଆରମ୍ଭ ହୋଇ ଆଜି ଉଦ୍‌ଯାପିତ ହୋଇଥିଲା । ଅନ୍ତିମ ଦିବସରେ ଆଜି ତୀରନ୍ଦାଜୀ ଓ ଫୁଟବଲ ପ୍ରତିଯୋଗିତା ରହିଥିଲା । ପୁରୁଷ ରିକର୍ଭ ବ୍ୟକ୍ତିଗତ ବର୍ଗରେ ଓଡ଼ିଶାର ଅର୍ଜୁନ ଖାରା ସ୍ୱର୍ଣ୍ଣ, ସୋମନାଥ ହେମ୍ବ୍ରମ ରୌପ୍ୟ ଓ ମଧ୍ୟପ୍ରଦେଶର ପବନ ପରମାର ବ୍ରୋଞ୍ଜ ଜିତିଥିଲେ । ରିକର୍ଭ ଦଳଗତରେ ଝାଡ଼ଖଣ୍ଡ ସ୍ୱର୍ଣ୍ଣ, ଓଡ଼ିଶା ରୌପ୍ୟ ଏବଂ ମେଘାଳୟ ବ୍ରୋଞ୍ଜ ପଦକ ପାଇଥିଲା ।

ଏହା ବି ପଢନ୍ତୁ...IPL 2026; ଆଜି ଇଣ୍ଡିଆନ୍ସ-କ୍ୟାପିଟାଲ୍ସ ମୁକାବିଲା, ମୁମ୍ବାଇ ବୋଲରଙ୍କ ସାମ୍ନାରେ ଦିଲ୍ଲୀ ବ୍ୟାଟରଙ୍କ ଅଗ୍ନୀପରୀକ୍ଷା


ସନ୍ତରଣ, ଭାରୋତ୍ତୋଳନ, ଆଥଲେଟିକ୍ସ, କୁସ୍ତି, ହକି ଓ ତୀରନ୍ଦାଜୀରେ ଓଡ଼ିଶାକୁ ପଦକ ମିଳିଛି । ଆଥଲେଟିକ୍ସରେ ସର୍ବାଧିକ ୨୪ ପଦକ ଓ ସନ୍ତରଣରେ ୧୬ଟି ପଦକ ମିଳିଛି । ଅବଶିଷ୍ଟ ଭାରୋତ୍ତୋଳନରେ ୭, କୁସ୍ତିରେ ୧, ହକିରେ ୨ ଓ ତୀରନ୍ଦାଜୀରେ ୭ଟି ପଦକ ପ୍ରାପ୍ତ ହୋଇଛି । ଚାମ୍ପିଅନ କର୍ଣ୍ଣାଟକ ଓ ରନର୍ସଅପ୍‌ ଓଡ଼ିଶା ଦଳକୁ ଛାଡ଼ି ଛାଡ଼ଖଣ୍ଡ (୧୬ ସ୍ୱର୍ଣ୍ଣ) ତୃତୀୟ, ମହାରାଷ୍ଟ୍ର (୬ ସ୍ୱର୍ଣ୍ଣ) ଚତୁର୍ଥ, ଅରୁଣାଚଳ ପ୍ରଦେଶ (୬ ସ୍ୱର୍ଣ୍ଣ) ପଞ୍ଚମ, ଆସାମ (୫ ସ୍ୱର୍ଣ୍ଣ) ଷଷ୍ଠ, ମିଜୋରାମ (୪ ସ୍ୱର୍ଣ୍ଣ) ସପ୍ତମ, ହିମାଚଳ ପ୍ରଦେଶ (୪ ସ୍ୱର୍ଣ୍ଣ) ଅଷ୍ଟମ, ଛତିଶଗଡ଼ (୩ ସ୍ୱର୍ଣ୍ଣ) ନବମ ଓ ଗୁଜରାଟ (୩ ସ୍ୱର୍ଣ୍ଣ) ପଦକ ତାଲିକାରେ ଦଶମ ସ୍ଥାନରେ ରହିଛି ।