ଭୁବନେଶ୍ୱର, ୧୨/୦୨ : ଓଡ଼ିଶାରେ ଭୋଟର ତାଲିକାର ହେବ ସ୍ୱତନ୍ତ୍ର ସଘନ ସଂଶୋଧନ (ଏସଆଇଆର୍‌) । ଏପ୍ରିଲରୁ ଏହି ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଛି । ଏହା ପୂର୍ବରୁ ରାଜ୍ୟରେ ୨୦୦୨ ଏସଆଇଆର୍‌ ସମୟର ଭୋଟର ତାଲିକା ଓ ୨୦୨୫ ଭୋଟର ତାଲିକାର ମେଳ (ମ୍ୟାପିଂ) ଜୋରସୋରରେ ଚାଲିଛି । ଏବେ ସୁଦ୍ଧା ୮୦% ମତଦାତାଙ୍କ ମ୍ୟାପିଂ ସରିଲାଣି । ଚଳିତ ମାସ ଶେଷ ସୁଦ୍ଧା ଭୋଟର ମ୍ୟାପିଂ କାମ ସାରିବାକୁ ଲକ୍ଷ୍ୟ ରଖାଯାଇଛି । ବର୍ତ୍ତମାନ ୧୨ ରାଜ୍ୟରେ ଏସଆଇଆର୍‌ ପ୍ରକ୍ରିୟା ଚାଲିଥିବାବେଳେ ଓଡ଼ିଶାରେ ଏ ଦିଗରେ ପ୍ରକ୍ରିୟା ଆଗେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ) । ସିଇଓ କାର୍ଯ୍ୟାଳୟ ପକ୍ଷରୁ ଭୋଟରଙ୍କ ମ୍ୟାପିଂ ନେଇ ବିଜ୍ଞାପନ ମାଧ୍ୟମରେ ବିସ୍ତୃତ ସୂଚନା ଜାରି କରାଯାଇଛି । 

୨୦୦୨ରେ ଶେଷ ଥର ପାଇଁ ଓଡ଼ିଶାରେ ଏସଆଇଆର୍‌ କରାଯାଇଥିଲା । ୨୦୦୨ (ଏସଆଇଆର୍‌ ସମୟର) ଭୋଟର ତାଲିକା ଓ ୨୦୨୫ ତାଲିକାକୁ ସମ୍ମିଳିତ କରି ଭୋଟରଙ୍କୁ ମ୍ୟାପିଂ କରାଯାଉଛି। ଏ ସମସ୍ତ ତଥ୍ୟ ଘରେ ବସି ଭୋଟର ଆରାମରେ ପାଇପାରିବେ। ଇସିଆଇ ୱେବସାଇଟରେ (voters.eci.gov.in) ଶେଷ ଏସଆଇଆର୍‌ ତଥ୍ୟକୁ କ୍ଲିକ କରି ୨୦୦୨ର ଭୋଟର ତାଲିକା ଯାଞ୍ଚ କରିପାରିବେ । ୨୦୦୨ ତାଲିକାରେ ନାମ ନଥିଲେ ତାଲିକାରୁ ନିଜ ବାପା, ମା’, ଜେଜେ ବାପା, ଜେଜେ ମା’ଙ୍କ ନାମ ଯାଞ୍ଚ କରି ବିଏଲଓ (ବୁଥସ୍ତରୀୟ ଅଧିକାରୀ)ଙ୍କୁ ତଥ୍ୟ ଜଣାଇବାକୁ ହେବ । ଇସିଆଇ ନେଟ ମୋବାଇଲ୍‌ ଆପ୍‌ରୁ ମଧ୍ୟ ଏ ତଥ୍ୟ ମିଳିପାରିବ । ଇସିଆଇ ନେଟରେ ବିଏଲଓଙ୍କୁ ଫୋନ କରିବାର ସୁବିଧା ଉପଲବ୍ଧ ରହିଛି । ଆବଶ୍ୟକ ସ୍ଥଳେ ଭୋଟର ହେଲ୍ପଲାଇନ ନମ୍ବର ୧୯୫୦ରେ ଫୋନ କରି ସହାୟତା ନେଇ ପାରିବେ। 

ବର୍ତ୍ତମାନ ସୁଦ୍ଧା ସହରାଞ୍ଚଳ ତୁଳନାରେ ଗ୍ରାମାଞ୍ଚଳରେ ଭୋଟର ତାଲିକା ମ୍ୟାପିଂ ହାର ଅଧିକ ରହିଛି। ଏସଆଇଆର୍‌ ପାଇଁ ପ୍ରାକ୍‌ ପ୍ରସ୍ତୁତି ସ୍ୱରୂପ ରାଜ୍ୟରେ ଭୋଟର ତାଲିକା ମ୍ୟାପିଂ କରାଯାଉଛି । ଖୁବଶୀଘ୍ର ଏ ପ୍ରକ୍ରିୟା ଶେଷ ହେବ । ଏସଆଇଆର୍‌ ପ୍ରକ୍ରିୟା ଆରମ୍ଭ ହେବା ମାତ୍ରେ ବିଏଲଓମାନେ ଘରକୁ ଘର ଯିବେ । ପ୍ରତି ଭୋଟରଙ୍କୁ ନେଇ ଦୁଇଟି ଫର୍ମ ପୂରଣ କରାଯିବ । ଗୋଟିଏ ଫର୍ମ ଭୋଟର ରଖିବେ, ଅନ୍ୟଟି ବିଏଲଓ ନେବେ। ଏହି ଫର୍ମରେ ଭୋଟରଙ୍କ ନୂଆ ରଙ୍ଗୀନ ଫଟୋ ଲଗାଯିବ। ଫର୍ମରେ ଭୋଟରଙ୍କ ଏପିକ୍‌ ନମ୍ବର, ବାପାଙ୍କ ନାମ, ବୁଥ୍‌, ନିର୍ବାଚନମଣ୍ଡଳୀ ତଥ୍ୟ ରହିବ । ଏହି ପ୍ରକ୍ରିୟା ମାସେ ବ୍ୟାପୀ ଚାଲିବ । ଏହା ପରେ ବୁଥ୍‌ ୱାରି ଚିଠା ଭୋଟର ତାଲିକା ପ୍ରକାଶ ପାଇବ । ଏହି ତାଲିକା ବୁଥ୍‌ରୁ ନେଇ ୱେବସାଇଟ ପର୍ଯ୍ୟନ୍ତ ଉପଲବ୍ଧ ହେବ । ଏହା ଉପରେ ଆପତ୍ତି, ଅଭିଯୋଗ ଆହ୍ୱାନ କରାଯିବ । ମାସେ ବ୍ୟାପୀ ଏ ନେଇ ଶୁଣାଣି ଚାଲିବ । ଯିଏ ପ୍ରତ୍ୟକ୍ଷ ଭାବେ ନ ଆସିପାରିବେ, ତାଙ୍କ ପାଇଁ ଭର୍ଚୁଆଲ ଶୁଣାଣି ସୁବିଧା ରହିବ । ଏହାପରେ ଚୂଡ଼ାନ୍ତ ଭୋଟର ତାଲିକା ଜାରି ହେବ । ୩ ମାସରେ ପୂରା ଏସ୍‌ଆଇଆର ପ୍ରକ୍ରିୟା ସରିବ । 

ସିଇଓ କାର୍ଯ୍ୟାଳୟର ବରିଷ୍ଠ ଅଧିକାରୀ କହିଛନ୍ତି, ୨୦୦୨ରେ ଯେଉଁମାନେ ଭୋଟର ଥିଲେ, ବର୍ତ୍ତମାନ ସେମାନଙ୍କର ସ୍ୱତଃ ମ୍ୟାପିଂ ହୋଇଯିବ । ଯେଉଁମାନଙ୍କର ନାମ ୨୦୦୨ ଭୋଟର ତାଲିକାରେ ନଥିଲା, ସେମାନେ ନିଜ ବାପା, ମା’, ଜେଜେଙ୍କ ତଥ୍ୟ ପ୍ରଦାନ କରିବେ । ଭୋଟର ତାଲିକା ମ୍ୟାପିଂରୁ ଏକାଧିକ ସ୍ଥାନରେ ଭୋଟର ଥିଲେ ଜଣାପଡ଼ିଯିବ । କେବଳ ଗୋଟିଏ ସ୍ଥାନରେ ହିଁ ଭୋଟର ହୋଇପାରିବେ । ଏକାଧିକ ବୁଥରେ ଭୋଟର ଥିବା ଏଭଳି ୪ ଲକ୍ଷ ଭୋଟର ବର୍ତ୍ତମାନ ସୁଦ୍ଧା ଚିହ୍ନଟ ହେଲେଣି । ସେମାନେ ଏବେ କେବଳ ଗୋଟିଏ ସ୍ଥାନର ଭୋଟର ହୋଇ ରହିବେ । ସମାନ ନାମ ଥିବା ଏଭଳି ମତଦାତାଙ୍କୁ ସ୍ୱତନ୍ତ୍ର ସଫ୍ଟୱେୟାର ଯୋଗୁ ସହଜରେ ଚିହ୍ନଟ କରି ହେଉଛି । ଯେଉଁ ଭୋଟରଙ୍କର ମ୍ୟାପିଂ ହୋଇପାରୁନି, ସେମାନେ ଆବାସିକ ପ୍ରମାଣପତ୍ର (ରେସିଡେଣ୍ଟ ପ୍ରମାଣପତ୍ର) ଓ ଜନ୍ମ ପ୍ରମାଣପତ୍ର ଦେବାକୁ ହେବ । କୌଣସି ଭାରତୀୟ ଏସଆଇଆର୍‌ ପ୍ରକ୍ରିୟାରେ ଭୋଟର ତାଲିକାରୁ ବାଦ୍‌ ପଡ଼ିବେ ନାହିଁ ।   ଏସଆଇଆର ଓ ମ୍ୟାପିଂ ପ୍ରକ୍ରିୟା ପାଇଁ ୫ ଥାକିଆ ବ୍ୟବସ୍ଥା ରହିଛି । ତୃଣମୂଳ ସ୍ତରରେ କାର୍ଯ୍ୟ କରିବେ ବିଏଲ୍‌ଓ । ତାଙ୍କୁ ତଦାରଖ କରିବେ ଏଇଆରଓ(ବିଡିଓ, ତହସିଲଦାର) । ଏହାର ଉପର ପର୍ଯ୍ୟାୟରେ ଇଆରଓ (ଉପଜିଲ୍ଲପାଳ, ଅତିରିକ୍ତ ଜିଲ୍ଲାପାଳ) ରହିଛନ୍ତି । ଏହି ସ୍ତରରେ ଏସଆଇଆରକୁ ନେଇ ବଡ଼ ନିଷ୍ପତ୍ତି ନେବାର କ୍ଷମତା ରହିଛି । ଏହାର ଉଚ୍ଚତମ ପର୍ଯ୍ୟାୟରେ ଜିଲ୍ଲାପାଳ (ଜିଲ୍ଲା ନିର୍ବାଚନ ଅଧିକାରୀ) ରହିବେ । ସର୍ବୋଚ୍ଚ ସ୍ତରରେ ସିଇଓ ରହିଛନ୍ତି ।

ଏହି ଖବରଟିକୁ ପଢନ୍ତୁ- ୧୨ ଘଣ୍ଟିଆ ଭାରତ ବନ୍ଦ, ୧୪ଟି ଶ୍ରମିକ ସଂଗଠନ ଓ ୫ଟି ବାମପନ୍ଥୀ ଦଳ ପକ୍ଷରୁ ଦେଶବ୍ୟାପୀ ଧର୍ମଘଟ