ବାଲେଶ୍ୱର ଜିଲ୍ଲା ରେମୁଣା ବ୍ଲକ ଅନ୍ତର୍ଗତ କରଞ୍ଜିଆର  ଶୋଭନା ମହାନ୍ତି । ଜିଲ୍ଲା ତଥା ରାଜ୍ୟ ବିଜେପିର  ପରିଚିତ ମୁହଁ । ଦିବଂଗତ ସଦର ବିଧାୟକ  ମଦନମୋହନ ଦତ୍ତଙ୍କ ନେତୃତ୍ୱରେ ୨୦୦୦  ମସିହାରେ ସେ ବିଜେପିରେ ସାମିଲ ହୋଇଥିଲେ ।  ପରବର୍ତ୍ତୀ ସମୟରେ ଶୃଙ୍ଖଳିତ କର୍ମୀ ଭାବେ  ତୃଣମୂଳସ୍ତରରେ ଦଳ ପାଇଁ କାମ କରିଛନ୍ତି । ଶ୍ରୀମତୀ  ମହାନ୍ତିଙ୍କ ନେତୃତ୍ୱକୁ ଦୃଷ୍ଟିରେ ରଖି ଦଳ ତାଙ୍କୁ  ଏସ୍‌ଏଚ୍‌ଜି ସଭାପତିଠାରୁ ଆରମ୍ଭ କରି ମହିଳା ମୋର୍ଚ୍ଚାର ସାଧାରଣ ସମ୍ପାଦିକା, ଜିଲ୍ଲା  ସମ୍ପାଦିକା, ରାଜ୍ୟ ସମ୍ପାଦିକା, ‘ବେଟି ବଚାଓ, ବେଟି ପଢ଼ାଅ’ର ରାଜ୍ୟ ସଂଯୋଜିକା  ଭଳି ବହୁ ପଦବିରେ ଅବସ୍ଥାପିତ କରିଛି । ଏବେ ରାଜ୍ୟ ସରକାର ତାଙ୍କୁ ମହିଳା  କମିସନର ଅଧ୍ୟକ୍ଷ ନିଯୁକ୍ତି ଦେଇଛନ୍ତି । ଆଗାମୀ ୩ ବର୍ଷ ପାଇଁ ସେ ଏହି ଦାୟିତ୍ୱରେ  ରହିବେ । ଉତ୍ତର ଓଡ଼ିଶାର ପ୍ରଥମ ବ୍ୟକ୍ତି ଭାବେ ତାଙ୍କୁ ଏହି ସୁଯୋଗ ମିଳିଛି ।  ଏହି ଖବର ପ୍ରକାଶ ପରେ ଦଳମତ ନିର୍ବିଶେଷରେ ଜିଲ୍ଲାବାସୀଙ୍କ ମଧ୍ୟରେ ଖୁସିର  ଲହରି ଖେଳିଯାଇଛି । ନୂଆ ଦାୟିତ୍ୱ ମିଳିବା ପରେ ଆଗାମୀ କାର୍ଯ୍ୟକ୍ରମ କ’ଣ  ରହିବ³ ସେନେଇ ଶ୍ରୀମତୀ ମହାନ୍ତିଙ୍କ ସହ ‘ପ୍ରମେୟ’ର ସ୍ୱତନ୍ତ୍ର ସାକ୍ଷାତକାର...

ଏଫ୍‌ଏମ୍‌ ସ୍ୱୟଂଶାସିତ କଲେଜ, ବଳଙ୍ଗା, ଗୋପାଳପୁର ଘଟଣାକୁ ନେଇ ରାଜ୍ୟ  ସରକାର ଏବେ ବିରୋଧୀଙ୍କ ଟାର୍ଗେଟ୍‌ରେ ଅଛନ୍ତି । ଦାୟିତ୍ୱ ନେବା ପରେ ଏହା  ବି ଆପଣଙ୍କ ପାଇଁ ଚାଲେଞ୍ଜ ପାଲଟିବ । ଏହାକୁ କେମିତି ସମ୍ମୁଖୀନ କରିବେ?

ରାଜ୍ୟ ସରକାର ମୋତେ ଯେଉଁ ଦାୟିତ୍ୱ ଦେଇଛନ୍ତି, ତା’କୁ ଠିକ୍‌ ଭାବେ ତୁଲାଇବି ।  ଦଳମତ ନିର୍ବିଶେଷରେ ମହିଳାଙ୍କୁ ନ୍ୟାୟ ଦେବାକୁ ଗୁରୁତ୍ୱ ଦେବି । ଅତୀତରେ  ରାଜ୍ୟରେ ଯେଉଁ ତିନୋଟି ବଡ଼ ଘଟଣା ଘଟିଛି³ ଦାୟିତ୍ୱ ନେବା ପରେ ଏନେଇ  ଅଧିକାରୀଙ୍କ ସହ ପୁଙ୍ଖାନୁପୁଙ୍ଖ ଆଲୋଚନା କରିବି । ଦୋଷୀଙ୍କ ବିରୋଧରେ ନିଶ୍ଚିତ  ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ । 

ରାଜ୍ୟରେ ମହିଳା, ନାବାଳିକାଙ୍କ ଉପରେ ନିର୍ଯାତନା ବୃଦ୍ଧି ପାଉଛି । ଏହାକୁ ନିୟନ୍ତ୍ରଣ  କରିବା ଦିଗରେ କି ପଦକ୍ଷେପ ନେବେ?

ଏହି ଘଟଣା ପଛରେ ବିଭିନ୍ନ କାରଣ ଅଛି । ମହିଳା ଓ ନାବାଳିକାମାନେ ପାରିବାରିକ  ସଂସ୍କାରକୁ ଭୁଲିବା ଅନୁଚିତ । ସେହିଭଳି ପୁରୁଷଙ୍କ ନିମ୍ନ ମାନସିକତାରେ ପରିବର୍ତ୍ତନ  ଆସିବା ଉଚିତ୍‌ । ସେମାନେ ମହିଳାଙ୍କୁ କୌଣସି କଥାରେ ହେୟ ମଣିବା ଅନୁଚିତ୍‌ ।  ଏସବୁଠୁ ଊଦ୍ଧ୍ୱର୍ରେ ରହି ଆଗାମୀ ଦିନରେ ମହିଳା, ନାବାଳିକାମାନେ କେମିତି ବିଭିନ୍ନ  ନିର୍ଯାତନାରୁ ଦୂରେଇ ରହିବେ³ ତାକୁ ଗୁରୁତ୍ୱ ଦେବି । ନାବାଳିକା ବିବାହ, ଯୌତୁକ  ନିର୍ଯାତନାର ମୂଳୋତ୍ପାଟନ ହେବ³ ତାହା ଉପରେ ମୋର ନଜର ରହିବ ।  

ସ୍କୁଲ, କଲେଜ ଛାତ୍ରୀଙ୍କ ସୁରକ୍ଷା ପାଇଁ ଆପଣଙ୍କ ଆଭିମୁଖ୍ୟ କ’ଣ ରହିବ? 

ସରକାରଙ୍କ ପକ୍ଷରୁ ଉଭୟ ସ୍କୁଲ ଓ କଲେଜରେ ଛାତ୍ରୀଙ୍କୁ ଦିଆଯାଉଥିବା ଆତ୍ମରକ୍ଷା  କାର୍ଯ୍ୟକ୍ରମକୁ ଆହୁରି ଅଧିକ କ୍ରିୟାଶୀଳ କରାଇବାକୁ ଗୁରୁତ୍ୱ ଦେବି । ଛାତ୍ରୀଟିଏ  ଯେକୌଣସି ମୁହୂର୍ତ୍ତରେ ଯେମିତି ନିଜକୁ ରକ୍ଷା କରିପାରିବ³ ତାହା ମୋର ପ୍ରଥମ  ଲକ୍ଷ୍ୟ ହେବ ।  

ଏହି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ମିଳିବ ବୋଲି କେବେ ଭାବିଥିଲେ ?

ଏନେଇ କେବେ ବି ଚିନ୍ତା କରି ନଥିଲି । ବିଜେପିର ଜଣେ ଶୃଙ୍ଖଳିତ କର୍ମୀ ଭାବେ  ନିରନ୍ତର କାମ କରି ଆସୁଥିଲି । ବୋଧହୁଏ ମୋ ପରିଶ୍ରମକୁ ଅନୁଭବ କରି ଦଳ  ମୋତେ ଏହି ଗୁରୁଦାୟିତ୍ୱ ଦେଇଛି । ପ୍ରଥମେ ଶ୍ରେୟ ମୁଁ ସଦରର ଦିବଂଗତ  ବିଧାୟକ ସ୍ୱର୍ଗତ ମଦନମୋହନ ଦତ୍ତଙ୍କୁ ଦେବି । କାରଣ ସେ ଥିଲେ ରାଜନୀତିରେ  ମୋର ପ୍ରଥମ ଗୁରୁ । ସେ ରାଜନୀତିକୁ ମୋତେ ଆଣି ନଥିଲେ ହୁଏତ ମୋତେ  ଏହି ଦାୟିତ୍ୱ ଆଜି ମିଳିପାରି ନ ଥାନ୍ତା ।