PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ବିଜେବି କଲେଜ ହଷ୍ଟେଲରୁ ଛାତ୍ରୀଙ୍କ ମୃତଦେହ ଉଦ୍ଧାର
  • ||
  • ୨୦୨୨-୨୩ ବଜେଟ୍‌ : ଶିକ୍ଷା ଓ ଦକ୍ଷତା ବିକାଶ କ୍ଷେତ୍ର ପାଇଁ ୨୭,୩୨୪କୋଟି ଟଙ୍କା ଆବଣ୍ଟନ
  • ||
  • ଉଦୟପୁର ହତ୍ୟାକାଣ୍ଡ ଘଟଣା : କୋର୍ଟ ୪ ଅଭିଯୁକ୍ତଙ୍କୁ ୧୦ଦିନର NIA ରିମାଣ୍ଡରେ ପଠାଇଲେ
  • ||
  • ଭୁବନେଶ୍ବର ପରେ କଟକରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ
  • ||
  • ପୁରୀ : ଗୁଣ୍ଡିଚା ମନ୍ଦିର ରୋଷଘର ଚୁଲି ଭାଙ୍ଗିଲେ ଦୁର୍ବୃତ୍ତ, ୨୦ରୁ ଅଧିକ ଚୁଲି ଭାଙ୍ଗି ଥିବା ସୂଚନା
  • ||
  • ଭୁବନେଶ୍ୱର: ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ: ପ୍ରଥମ ଦିନରେ ଶୋକ ପ୍ରସ୍ତାବ ପାରିତ, ଆସିବ ପୂର୍ଣ୍ଣାଙ୍ଗ ବଜେଟ୍
  • ||
  • ନୂଆଦିଲ୍ଲୀ; ଫୁଟ୍‌ ଉପରେ ବିମାନ କ୍ୟାବିନରେ ଦେଖିବାକୁ ମିଳିଲା ଧୁଆଁ; ଦିଲ୍ଲୀ ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ କଲା ସ୍ପାଇସଜେଟ୍‌
  • ||
  • ଭୁବନେଶ୍ୱର: ୪ରେ ଲଘୁଚାପ, ଆଜିଠୁ ବଢ଼ିବ ବର୍ଷା
  • ||
  • ଚୌଦ୍ୱାର : ଜଗା ଦର୍ଶନ ସାରି ଘରକୁ ଫେରୁଥିବା ବେଳେ ବୋଲେରୋକୁ ପିଟିଲା ଟ୍ରକ: ଜଣେ ମୃତ, ୯ ଗୁରୁତର
  • ||
  • ପୁରୀ: ଦାରୁବ୍ରହ୍ମଙ୍କ ପତିତପାବନ ଯାତ୍ରା: ଆଜି ଜନ୍ମବେଦିକୁ ବିଜେ କରିବେ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବାରିପଦା: ଆଜି ଗଡ଼ିବ ଦ୍ୱିତୀୟ ଶ୍ରୀକ୍ଷେତ୍ର ରଥ, ସୁଭଦ୍ରାଙ୍କ ରଥକୁ ଟାଣିବେ ମହିଳା ଶ୍ରଦ୍ଧାଳୁ
  • ||
  • କଟକ: ଆଜିଠୁ ମିଳିତ ପୁଲିସ୍‌ ସେବା ପରୀକ୍ଷା, ୩୪ କେନ୍ଦ୍ରରେ ପରୀକ୍ଷା ଦେବେ ୨୯ ହଜାର ୬୪୪ ପରୀକ୍ଷାର୍ଥୀ
  • ||

ଅନିଶ୍ଚିତ ମୌସୁମୀ; ଆଜି ବଢ଼ିବ ତାପମାତ୍ରା

ଭୁବନେଶ୍ୱର,୨୭ା୫(ବ୍ୟୁରୋ): ମୌସୁମୀ ଚିହ୍ନବର୍ଣ୍ଣ ନାହିଁ । କେଉଁଠି ଅଛି, କୁଆଡ଼େ ଗଲା? ଖୋଜି ଖୋଜି ପାଉନି ପାଣିପାଗ ବିଭାଗ । କେହି କିଛି କହିପାରୁନାହାନ୍ତି । ଏଯାଏଁ କେରଳ ଆଖପାଖରେ ବି ଦିଶୁନି । କେବେ କେରଳ ଛୁଇଁବ, ନିର୍ଦ୍ଦିଷ୍ଟ ଗତିପଥ ଦେଇ ଓଡ଼ିଶା ଆସିବ, ଜଣାନାହିଁ । ଏଥର ମୌସୁମୀ ଏତେ ଅନିଶ୍ଚିତ ପୂର୍ବାନୁମାନ ବି କରିହେଉନି । ଚିନ୍ତା ଘାରିଲାଣି ଚାଷୀ କୁଳକୁ । ଏପଟେ ମୌସୁମୀ ନ ଆସିବା ଯାଏଁ ଗ୍ରୀଷ୍ମ ପ୍ରବାହରୁ ନିସ୍ତାର ନାହିଁ ।

ଅସ୍ତବ୍ୟସ୍ତ କରିଦେଲାଣି ଗ୍ରୀଷ୍ମ ପ୍ରବାହ । ବେଳକୁ ବେଳ ବଢ଼ି ଚାଲିଛି ତାତି ପ୍ରକୋପ । ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ସୂର୍ଯ୍ୟଙ୍କ ପ୍ରଚଣ୍ଡ ତାତିରେ ଜୀବନ ଦୁର୍ବିସହ ହୋଇପଡ଼ିଲାଣି । ଉପକୂଳ ଓଡ଼ିଶା ବି ନାକେଦମ୍‌ ଗୁଳୁଗୁଳି ପ୍ରକୋପରେ ।

ପାଣିପାଗ ପୂର୍ବାନୁମାନ କହୁଛି, ବୁଧବାରଠାରୁ ତାତି ସାମାନ୍ୟ କମିବ । ଉଭୟ ଉପକୂଳ ଓ ପଶ୍ଚିମ ଓଡ଼ିଶାରେ ପାରଦ କିଛି ମାତ୍ରାରେ ଖସିପାରେ । କାଳବୈଶାଖୀ ବର୍ଷା ସମ୍ଭାବନା ବି ଅଛି ଉପକୂଳରେ । ମାତ୍ର ବଡ଼ଧରଣର ଆଶ୍ୱସ୍ତି ଆଶା କମ୍‌ । ମୌସୁମୀ ଆଗମନ ବି ଏଥର ବିଳମ୍ବ ହେବ । ରଜ ଆଗରୁ ମୌସୁମୀ ବର୍ଷା ଆଶା ଦେଖାଯାଉନି ।

କୃଷି ପାଣିପାଗ ବିଶାରଦ ଡକ୍ଟର ସୁରେନ୍ଦ୍ରନାଥ ପଶୁପାଳକଙ୍କ ପୂର୍ବାନୁମାନ ହେଲା, ଆସନ୍ତା ୨ ତାରିଖ ପର୍ଯ୍ୟନ୍ତ କେରଳରେ ବିଶେଷ ବର୍ଷା ସମ୍ଭାବନା ଦେଖାଯାଉନି । ତେବେ ଉତ୍ତର-ପୂର୍ବ ଭାରତ ଓ ଆଣ୍ଡାମାନ ସମେତ କେନ୍ଦ୍ରୀୟ ପୂର୍ବ ଓ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ବର୍ତ୍ତମାନ ହେଉଥିବା ବର୍ଷା ସପ୍ତାହେ ଯାଏଁ ଜାରି ରହିବ । ମୌସୁମୀ ସକ୍ରିୟ ହେବାକୁ ଆବଶ୍ୟକ ପରିସ୍ଥିତି ସୃଷ୍ଟି ହୋଇନାହିଁ ।

ଅନୁମାନ କରାଯାଉଛି, ଆସନ୍ତା ଜୁନ୍‌ ୫ ତାରିଖ ପୂର୍ବରୁ କେରଳରେ ମୌସୁମୀ ବର୍ଷା ସମ୍ଭାବନା ପ୍ରାୟତଃ ନାହିଁ । କେବେ ମୌସୁମୀ କେରଳ ଛୁଇଁବ, ଏଯାଏଁ ଜଣାପଡୁନି । ୯-୧୦ ତାରିଖବେଳକୁ କାଳବୈଶାଖୀ ବର୍ଷା ଅଛି ଓଡ଼ିଶାରେ । ତେବେ ରଜ ଆଗରୁ ଓଡ଼ିଶାରେ ମୌସୁମୀ ବର୍ଷାର ଲକ୍ଷଣ ଦେଖାଯାଉନି ।

ପାଣିପାଗ ବିଭାଗ ବି ମୌସୁମୀ ଆଗମନ ନେଇ ଏଯାବତ୍‌ ସ୍ପଷ୍ଟ ଆକଳନ ଦେଇପାରୁନି । କେବେ ସୁଦ୍ଧା ମୌସୁମୀ କେରଳରେ ପାଦ ଥାପିବ,ତା’ର ସାମାନ୍ୟତମ ଲକ୍ଷଣ ଏଯାବତ୍‌ ଦେଖାଯାଇନି । କେରଳରେ ପ୍ରାକ୍‌ ମୌସୁମୀ ବର୍ଷା ବି ହେଉନି । କେରଳ ଛୁଇଁବାର ପ୍ରାୟ ୧୦ ଦିନ ଭିତରେ ଓଡ଼ିଶାକୁ ମୌସୁମୀ ଆସେ । ତେଣୁ ବହୁ ବିଳମ୍ବ ହେବ ଏ ବର୍ଷ ।

ଆଜି ରାଜ୍ୟର ୧୧ଟି ସ୍ଥାନରେ ସର୍ବୋଚ୍ଚ ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ୍‌ ଉପରେ ଥିଲା । ଏଥିମଧ୍ୟରୁ ୫ଟି ଜାଗାରେ ପାରଦ ୪୪ ଡିଗ୍ରୀ ଡେଇଁଥିଲା । ସୋନପୁର ସର୍ବାଧିକ ୪୪.୮, ସମ୍ବଲପୁର ୪୪.୭, ଟିଟିଲାଗଡ଼ ୪୪.୬, ତାଳଚେର ୪୪.୩, ଝାରସୁଗୁଡ଼ା ୪୪ ଡିଗ୍ରୀ ତାତିରେ ସିଝିଥିଲା । ଏହାବାଦ୍‌ ବଲାଙ୍ଗୀର ତାପମାତ୍ରା ୪୩.୭ ଡିଗ୍ରୀ, ହୀରାକୁଦ ୪୩.୬, ମାଲକାନଗିରି ୪୩.୨, ଭବାନୀପାଟଣା ୪୩, ଅନୁଗୁଳ ୪୨.୭ ଓ ସୁନ୍ଦରଗଡ଼ ୪୦ ଡିଗ୍ରୀ ତାଉରେ ନାକେଦମ୍‌ ହୋଇଥିଲା ।

ଯଦିଓ ଉପକୂଳ ଓଡ଼ିଶାରେ ପାରଦ ୪୦ ଡିଗ୍ରୀ ତଳେ ଥିଲା, ମାତ୍ର ଗୁଳୁଗୁଳି ମାତ୍ରା ଅତି ଭୀଷଣ ଥିଲା । ଚାନ୍ଦବାଲି ତାପମାତ୍ରା ୩୯.୭ ଡିଗ୍ରୀ ଥିବାବେଳେ ଦିନରେ ସର୍ବାଧିକ ଆର୍ଦ୍ରତା ମାତ୍ରା ୬୬ ପ୍ରତିଶତରେ ପହଞ୍ଚିଥିଲା । ଭୁବନେଶ୍ୱର ତାପମାତ୍ରା ୩୮.୨ ଡିଗ୍ରୀ ଥିବାବେଳେ ଆର୍ଦ୍ରତା ପହଞ୍ଚିଥିଲା ୬୬%ରେ । କଟକରେ ପାରଦ ୩୭.୮ ଡିଗ୍ରୀ ଥିବାବେଳେ ଆର୍ଦ୍ରତା ଥିଲା ୬୬ ପ୍ରତିଶତ ।

ଡକ୍ଟର ପଶୁପାଳକଙ୍କ ପୂର୍ବାନୁମାନ ହେଲା, ଆସନ୍ତାକାଲି (ମଙ୍ଗଳବାର) ତାତି ଆହୁରି ବଢ଼ିବ । ରାଜ୍ୟର ଅଧିକାଂଶ ଅଞ୍ଚଳରେ ତାତି ପ୍ରାୟ ୧ ଡିଗ୍ରୀ ବଢ଼ିପାରେ । ବୁଧବାରଠାରୁ ଗରମ ପ୍ରକୋପ ସାମାନ୍ୟ କମିବ । ମାତ୍ର ସାମୁଦ୍ରିକ ପବନ ବହିବା ଯୋଗୁ ଉପକୂଳ ଅଞ୍ଚଳରେ ଗୁଳୁଗୁଳି ବଢ଼ିବ ।

ପଶ୍ଚିମା ପବନ ବଦଳରେ ବଙ୍ଗୋପସାଗର ପଟୁ ସାମୁଦ୍ରିକ ପବନ ପ୍ରବାହିତ ହେବ । ୨୮, ୨୯ ଓ ୩୦ ତାରିଖରେ ଉପକୂଳ ଓଡ଼ିଶାରେ କାଳବୈଶାଖୀ ସମ୍ଭାବନା ଅଛି । ୨୮ରେ ଭୁବନେଶ୍ୱର ସମେତ ଖୋର୍ଦ୍ଧା ଓ ଦକ୍ଷିଣ ଓଡ଼ିଶାରେ କାଳବୈଶାଖୀ ବର୍ଷା ହୋଇପାରେ । ୨୯ରେ ଦକ୍ଷିଣ ଓଡ଼ିଶାର ଗଞ୍ଜାମ, ନୟାଗଡ଼ ସମେତ ଯାଜପୁରରେ ବି ବର୍ଷା ସମ୍ଭାବନା ଅଛି । ଖୋର୍ଦ୍ଧା ଓ ପୁରୀରେ ଅପେକ୍ଷାକୃତ୍‌ କମ୍‌ ବର୍ଷା ସମ୍ଭାବନା ଅଛି । ୨୮ ଓ ୨ ତାରିଖରେ ତାତି ଅଧିକ ରହିବ । ଭୁବନେଶ୍ୱରରେ ପାରଦ ୪୦ ଡିଗ୍ରୀ ଟପିପାରେ ।

ଅପରପକ୍ଷରେ ପଶ୍ଚିମ ଓଡ଼ିଶାରେ ୨୯ ତାରିଖରୁ ଜୁନ୍‌ ୫ ପର୍ଯ୍ୟନ୍ତ ବାକି ସବୁ ଦିନ ତାତି ୪୪ ଡିଗ୍ରୀ ତଳେ ରହିବ । କେବଳ ୨୮ ତାରିଖ ଓ ଜୁନ୍‌ ୩ ତାରିଖରେ ତାତି ଅଧିକ ରହିବ । ଏହି ଦୁଇଦିନ ପାରଦ କେତେକ ଜାଗାରେ ୪୪-୪୫ ଡିଗ୍ରୀ ପାଖାପାଖି ପହଞ୍ଚିପାରେ ।

ପାଣିପାଗ ବିଭାଗ କହିଛି, ମଙ୍ଗଳବାର ବି ଗ୍ରୀଷ୍ମ ପ୍ରବାହ ଜାରି ରହିବ । ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ଦେବଗଡ଼, ଅନୁଗୁଳ, ବରଗଡ଼, ସୋନପୁର, ବଲାଙ୍ଗୀର ଓ ନୂଆପଡ଼ାରେ ପ୍ରତିଦିନ ଗ୍ରୀଷ୍ମ ଲହରି ଅନୁଭୂତ ହେବ । ଏଥିପାଇଁ ସତର୍କ ରହିବା ଜରୁରି । ବୁଧବାରଠାରୁ ତାତି ପ୍ରକୋପ କମିବ । ଅପରପକ୍ଷରେ କାଳବୈଶାଖୀ ବଢ଼ିପାରେ । ଆସନ୍ତାକାଲି କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କଟକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଗଞ୍ଜାମରେ ବର୍ଷା ସହ ଘଣ୍ଟା ପ୍ରତି ୫୦-୬୦ କିମି ବେଗରେ ପବନ ଆଶଙ୍କା ଅଛି । ବୁଧବାରଠାରୁ ଗ୍ରୀଷ୍ମ ପ୍ରବାହ କମିବ । ଉପକୂଳ ଓଡ଼ିଶାର ଗୋଟିଏ ଦୁଇଟି ସ୍ଥାନ ସମେତ ମୟୂରଭଞ୍ଜ, ରାୟଗଡ଼ା, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼ରେ ବର୍ଷା, ପବନ ହୋଇପାରେ ।