ପଶ୍ଚିମ ଓଡ଼ିଶା ଜଳୁଛି; ୨୪ରୁ ଉପକୂଳରେ ନିଆଁ ବର୍ଷା

ଭୁବନେଶ୍ୱର,୨୧ା୫(ବ୍ୟୁରୋ): ଆଭ୍ୟନ୍ତରୀଣ ଓ ପଶ୍ଚିମ ଓଡ଼ିଶାରେ ଜାରି ରହିଛି ଅସହ୍ୟ ଗ୍ରୀଷ୍ମ ପ୍ରବାହ । ପାରଦ ଖସିବାର ନାଁ ଧରୁନି । ଆଜି ୬ଟି ଜାଗାରେ ତାପମାତ୍ରା ୪୩ ଡିଗ୍ରୀ ସେଲସିୟସ୍ ଟପିଥିବାବେଳେ ଟିଟିଲାଗଡ଼ ୪୫ ଡିଗ୍ରୀ ତାଉରେ ସିଝିଛି । ଉପକୂଳ ଅଞ୍ଚଳରେ ଗ୍ରୀଷ୍ମ ପ୍ରକୋପ ସାମାନ୍ୟ କମିଥିଲେ ବି ତାତି ପ୍ରକୋପରୁ ନିସ୍ତାର ମିଳୁନି ।
ସୋଆ ଜଳବାୟୁ ଓ ପରିବେ୨ଶ କେନ୍ଦ୍ର (ସିଇସି) ନିର୍ଦ୍ଦେଶକ ଡକ୍ଟର ଶରତ ଚନ୍ଦ୍ର ସାହୁ କହିଛନ୍ତି, ଏବେ ତାତି ପ୍ରଭାବରେ ବିଶେଷ ପରିବର୍ତ୍ତନ ହେବନି । ଆଭ୍ୟନ୍ତରୀଣ ଓଡ଼ିଶାରେ ଗ୍ରୀଷ୍ମ ପ୍ରକୋପ ଯେମିତି ଚାଲିଛି, ସେମିତି ଜାରି ରହିବ । ହେଲେ ଉପକୂଳ ଓଡ଼ିଶାରେ ତାପମାତ୍ରାରେ ବାରମ୍ବାର ଫରକ ଆସିପାରେ । ଆଜି ବଢ଼ିପାରେ, ପୁଣି କାଲି ଖସିପାରେ । ଅନୁମାନ କରାଯାଉଛି, ୨୩ ତାରିଖ ପର୍ଯ୍ୟନ୍ତ ଉପକୂଳ ଓଡ଼ିଶାରେ ତାପମାତ୍ରା ଏମିତି ରହିବ । ଆସନ୍ତାକାଲି ଭୁବନେଶ୍ୱର ତାପମାତ୍ରା ୩୮-୩୯ ଡିଗ୍ରୀ ପାଖାପାଖି ରହିବ । ୨୪ରୁ ଉପକୂଳ ଓଡ଼ିଶାରେ ଭୀଷଣ ଗରମ ବଢ଼ିବ । ୨୪ରେ ଭୁବନେଶ୍ୱର ତାପମାତ୍ରା ୪୧-୪୨ ଡିଗ୍ରୀ ଛୁଇଁପାରେ । ଆସନ୍ତା ୨୫-୨୬ ତାରିଖବେଳକୁ ପାରଦ ୪୩-୪୪ ଡିଗ୍ରୀରେ ପହଞ୍ଚିପାରେ । ତାତି ଅତ୍ୟଧିକ ବଢ଼ିଲେ ବୈଶାଖୀଜନିତ ବର୍ଷା ହୋଇପାରେ । ଯାହାକି ତାତି କମାଇପାରେ ।
ବର୍ତ୍ତମାନ ଦକ୍ଷିଣ ଓଡ଼ିଶାର କେତେକ ସ୍ଥାନ ସମେତ ବାଲେଶ୍ୱର, କେନ୍ଦୁଝର, ମୟୂରଭଞ୍ଜରେ କାଳବୈଶାଖୀଜନିତ ବର୍ଷା ହୋଇପାରେ । ମାତ୍ର କାଳବୈଶାଖୀ ପ୍ରଭାବ ବିସ୍ତୃତ ଅଞ୍ଚଳରେ ରହିବନି । ବଡ଼ ଧରଣର ବର୍ଷା ସମ୍ଭାବନା ବି କମ୍ । ତେଣୁ କାଳବୈଶାଖୀ ବିଶେଷ ପ୍ରଭାବ ପକାଇନପାରେ ।
ପାଣିପାଗ ବିଭାଗ କହିଛି, ବୁଧବାର ବଲାଙ୍ଗିର, ନୂଆପଡ଼ା, ଦେବଗଡ଼, ବୌଦ୍ଧ, ବରଗଡ଼, ନବରଙ୍ଗପୁରରେ ଗ୍ରୀଷ୍ମ ପ୍ରବାହ ଜାରି ରହିବ । ଅପରପକ୍ଷରେ ମାଲାକାନଗିରି, କୋରାପୁଟ, ଗଜପତି, ଗଞ୍ଜାମ, ରାୟଗଡ଼ା, ନବରଙ୍ଗପୁର, କନ୍ଧମାଳ, ବଲାଙ୍ଗିର, ବୌଦ୍ଧ, ସୋନପୁର, ସୁନ୍ଦରଗଡ଼, ସମ୍ବଲପୁର, ଝାରସୁଗୁଡ଼ା, କେନ୍ଦୁଝର ଓ ମୟୂରଭଞ୍ଜରେ ବର୍ଷା ସହ ଘଣ୍ଟା ପ୍ରତି ୩୦ରୁ ୪୦ କିଲୋମିଟର ବେଗରେ ପବନ ଆଶଙ୍କା ଅଛି ।
ଆଜି ଟିଟିଲାଗଡ଼ ପଛକୁ ଝାରସୁଗୁଡ଼ା ତାପମାତ୍ରା ୪୩.୮ ଡିଗ୍ରୀ ଛୁଇଁଥିଲା । ଅନ୍ୟ ସହର ମଧ୍ୟରେ ବଲାଙ୍ଗିର ୪୩.୬, ସମ୍ବଲପୁର ୪୩.୪, ସୋନପୁର ୪୩.୨, ଭବାନୀପାଟଣା ୪୩, ତାଳଚେର ୪୨.୫, ହୀରାକୁଦ ୪୨.୪, ସୁନ୍ଦରଗଡ଼ ୪୨, ମାଲକାନଗିରି ୪୨, ଅନୁଗୁଳ ୪୦.୭ ଡିଗ୍ରୀ ତାପମାତ୍ରାରେ ନାକେଦମ୍ ହୋଇଥିଲା । ଉପକୂଳ ଓଡ଼ିଶାରେ ଭୁବନେଶ୍ୱର ତାପମାତ୍ରା ୩୭ ଡିଗ୍ରୀ ଥିବାବେଳେ ଚାନ୍ଦବାଲି ୩୮.୮ ଡିଗ୍ରୀ ଥିଲା ।