ଭୁବନେଶ୍ୱର,୨୨/୧୨: ଡାକ୍ତରୀ ପାଠ୍ୟକ୍ରମରେ ନାମ ଲେଖିବାକୁ ଆଶାୟୀଙ୍କ ପାଇଁ ଖୁସି ଖବର । ରାଜ୍ୟରେ ଥିବା ସରକାରୀ ମେଡିକାଲ୍‌ କଲେଜଗୁଡିକର ଏମବିବିଏସ୍‌ ସିଟ୍‌ ସଂଖ୍ୟା ଆଉ ୨୦୦ ବଢ଼ିବ । ଅର୍ଥାତ୍‌  ୨୦୨୫-୨୬ ଶିକ୍ଷାବର୍ଷରୁ ୨ ସରକାରୀ  ମେଡିକାଲ କଲେଜ ତାଳଚେର ଓ  ଫୁଲବାଣୀରେ ଶହେ ଲେଖାଏଁ ସିଟ୍‌ରେ  ଛାତ୍ରଛାତ୍ରୀ ନାମ ଲେଖାଇବେ । ରାଷ୍ଟ୍ରୀୟ  ପରୀକ୍ଷା ଏଜେନ୍ସି(ଏନଟିଏ) ପକ୍ଷରୁ ଏ ନେଇ ସୂଚନା ଦିଆଯାଇଛି । ଏହି ସିଟ୍‌ରୁ  ୮୫% ଓଡ଼ିଶା ପିଲାଙ୍କ ପାଇଁ ଏବଂ ୧୫%  ସିଟ୍‌ ସର୍ବଭାରତୀୟ କୋଟା ରହିବ ।

ସୋସିଆଲ୍‌ ମିଡିଆରେ ଏନଟିଏ ପକ୍ଷରୁ ଉଲ୍ଲେଖ କରାଯାଇଛି ଯେ  ୨୦୨୫-୨୬ ଶିକ୍ଷାବର୍ଷରୁ ତାଳଚେର  ଓ ଫୁଲବାଣୀ ମେଡିକାଲ କଲେଜରେ  ଶହେ ଲେଖାଏଁ ସିଟ୍‌ରେ ଛାତ୍ରଛାତ୍ରୀ ନାମ  ଲେଖାଇବେ । ପୂର୍ବରୁ ରାଜ୍ୟରେ ୧୨ଟି  ସରକାରୀ ମେଡିକାଲ୍‌ କଲେଜରେ ମୋଟ ୧୬ଶହ ଏମବିବିଏସ୍‌ ସିଟ୍‌ ଥିବା ବେଳେ ଏହା ଏଣିକି ୧୮ଶହ ହେବ । ନିଟ୍‌ରେ  ଯୋଗ୍ୟତା ହାସଲ କରିଥିବା ଯୋଗ୍ୟ ଛାତ୍ରଛାତ୍ରୀଙ୍କୁ ଏଥିରେ  ନାମ ଲେଖିବାକୁ ସୁଯୋଗ ମିଳିବ । 

ଓଡ଼ିଶା ଯୁଗ୍ମ ପ୍ରବେଶିକା  ପରୀକ୍ଷା(ଓଜେଇଇ) କର୍ତ୍ତୃପକ୍ଷ ଏହି ସିଟ୍‌ଗୁଡିକରେ ନାମ  ଲେଖା ପରିଚାଳନା କରିବେ ବୋଲି ଓଜେଇଇ ସଚିବ  ରଞ୍ଜନ କୁମାର ଜେନା ସୂଚନା ଦେଇଛନ୍ତି । ଉଲ୍ଲେଖଯୋଗ୍ୟ,  ୧୨ଟି ସରକାରୀ ମେଡିକାଲ କଲେଜର ୧୬ ଶହ ସିଟ୍‌ ବାଦ୍‌  ଆଇଏମ୍‌ଏସ୍‌ ଓ ସମ୍‌ ହସ୍ପିଟାଲ୍‌ରେ ୨୫୦, ଫୁଲନଖରାସ୍ଥିତ  ସମ୍‌ ଦ୍ୱିତୀୟ କ୍ୟାମ୍ପସରେ ୧୫୦, ହାଇଟେକର ଭୁବନେଶ୍ୱର  ଓ ରାଉରକେଲାରେ ୧୫୦ ଲେଖାଏଁ ସିଟ୍‌ ରହିଛି । ଘରୋଇ  ମେଡିକାଲ କଲେଜରେ ମୋଟ ହଜାରେ ଏମବିବିଏସ୍‌ ସିଟ୍‌  ଥିବା ବେଳେ ଭୁବନେଶ୍ୱର ଏମ୍ସରେ ୧୨୫ ଏମବିବିଏସ୍‌ ସିଟ୍‌  ରହିଛି । ଏବେ ରାଜ୍ୟରେ ମୋଟ ଏମବିବିଏସ୍‌ ସିଟ୍‌ ସଂଖ୍ୟା  ୨୯୨୫ରେ ପହଞ୍ଚିବ ବୋଲି ସୂଚନା ମିଳିଛି ।