ଭୁବନେଶ୍ୱର,୧୪/୦୭: ୨୦୪୭  ବେଳକୁ ରାଜ୍ୟର ମୋଟ ଘରୋଇ ଉତ୍ପାଦ  ୧.୫ ଟ୍ରିଲିୟନ ଡଲାର ଛୁଆଁଇବା ଲକ୍ଷ୍ୟ  ଦିଗରେ ଓଡ଼ିଶା ଅଗ୍ରସର । ଅଭିବୃଦ୍ଧିକୁ ବଳ ଦେବାରେ ଷ୍ଟାର୍ଟଅପ କ୍ଷେତ୍ରରେ  ବ୍ୟାପକ ସମ୍ଭାବନା ରହିଛି । ଏହି  ଆଧାରରେ ନବସୃଜନ ଏବଂ ଔଦ୍ୟୋଗିକତା  ପରିବ୍ୟବସ୍ଥାକୁ ଆହୁରି ଦୃଢ଼ କରିବେ ରାଜ୍ୟ  ସରକାର । ଓଡ଼ିଶାକୁ ଦେଶର ପୂର୍ବ ଭାଗରେ ଔଦ୍ୟୋଗିତା ହବ୍‌ ଭାବେ ବିକଶିତ କରିବାକୁ ଭିଜନ ଡକ୍ୟୁମେଣ୍ଟ ୨୦୩୬-୪୭ରେ ଲକ୍ଷ୍ୟ  ରଖାଯାଇଛି । 

ଏହା ଦ୍ୱାରା ନୂଆ ଉଦ୍ଭାବନ ଏବଂ  ଔଦ୍ୟୋଗିତା ସଂସ୍କୃତିକୁ ପ୍ରୋତ୍ସାହିତ କରାଯିବ । ଷ୍ଟାର୍ଟଅପ୍‌ ଗୁଡ଼ିକ ନୂଆ ନିଯୁକ୍ତି  ଯୋଡ଼ିବାରେ ପ୍ରମୁଖ ଭୂମିକା ଗ୍ରହଣ  କରିବେ । ୨୦୧୬ରେ ଷ୍ଟାର୍ଟଅପ୍‌ ଓଡ଼ିଶା  କାର୍ଯ୍ୟକ୍ରମ ଗ୍ରହଣ କରାଯାଇଥିଲା । ଏହା  ପରଠୁ ଷ୍ଟାର୍ଟଅପ୍‌ ଇକୋସିଷ୍ଟମ ଦୃଢ଼ୀକରଣ  କ୍ଷେତ୍ରରେ ରାଜ୍ୟ ବେଶ ପ୍ରଶଂସା ସାଉଣ୍ଟିଛି ।  ଏହା ସହ ଆଗକୁ ଦୃଢ଼ ନିବେଶକ  ନେଟୱର୍କ, ସ୍ୱତନ୍ତ୍ର ମେଣ୍ଟରଶିପ ପ୍ଲାଟଫର୍ମ ଦ୍ୱାରା ରାଜ୍ୟ ପ୍ରମୁଖ ଷ୍ଟାର୍ଟଅପ୍‌ ଡେଷ୍ଟିନେସନ  ପାଲଟିବ ବୋଲି ଭିଜନ ଡକ୍ୟୁମେଣ୍ଟରେ  ନକ୍ସା ଅଙ୍କାଯାଇଛି । 

ରାଜ୍ୟକୁ ଟପ୍‌ ୫ ଷ୍ଟାର୍ଟଅପ୍‌  ଇକୋସିଷ୍ଟମ ମଧ୍ୟରେ ସାମିଲ କରାଯିବ ।  ରାଜ୍ୟରେ ଅନ୍ତତଃ ପକ୍ଷେ ୫ରୁ ୮ଟି ୟୁନିକର୍ଣ୍ଣ  ସୃଷ୍ଟ ଦିଗରେ କାର୍ଯ୍ୟକ୍ରମ ଆସିବ । ୨୦୩୬  ବେଳକୁ ଷ୍ଟାର୍ଟଅପ ଗୁଡ଼ିକ ୧୦% ନିଯୁକ୍ତି ଅଂଶ  ହାସଲ କରିବାକୁ ଯୋଜନା ରଖାଯାଇଛି । ଏହି  ଅବଧିରେ ୩୩% ମହିଳା ନେତୃତ୍ୱାଧୀନ  ଷ୍ଟାର୍ଟଅପ ସୃଷ୍ଟି କରିବ ରାଜ୍ୟ । ଯାହା ୨୦୪୭  ବେଳକୁ ୫୦% ଛୁଇଁବ । 

ଏ ଦିଗରେ ରାଜ୍ୟ ସରକାର ଗ୍ଲୋବାଲ  ଇନୋଭେସନ ଏବଂ ଷ୍ଟାର୍ଟଅପ୍‌ ସିଟି  କାର୍ଯ୍ୟକ୍ରମ ଗ୍ରହଣ କରିବେ । ଭୁବନେଶ୍ୱର-କଟକ-ପୁରୀ-ପାରାଦୀପ ଅର୍ଥନୈତିକ ଅଞ୍ଚଳ  (ବିସିପିପିଇଆର୍‌) ପୂର୍ବଭାଗର ପ୍ରମୁଖ  ଷ୍ଟାର୍ଟଅପ୍‌ ହବ୍‌ ଭାବେ ବିକଶିତ କରାଯିବ ।  ଏସବୁ ଅଞ୍ଚଳରେ ବିଶ୍ୱସ୍ତରୀୟ ଭିତ୍ତିଭୂମି,  ନବସୃଜନ କ୍ଲଷ୍ଟର ସ୍ଥାପନ ହେବ । ଏହି  ଅନୁସାରେ ନୀତିଗତ ପଦକ୍ଷେପ ମଧ୍ୟ ଆସିବ । 

ରାଜ୍ୟ ସରକାର କର୍ପୋରେଟ  ସହଭାଗିତାରେ ଷ୍ଟାର୍ଟଅପ୍‌କୁ ସହାୟତା ଲାଗି ବିଶେଷ ପାଣ୍ଠି ଏବଂ ଇନୋଭେସନ  ଆଲାଏନ୍ସ ଗଠନ କରିବେ। ୧୫ ଜିଲାରେ  ମାର୍କି ଇନକ୍ୟୁବେଟର ପାର୍କ ଆସିବ । ଷ୍ଟାର୍ଟଅପ୍‌ ଗୁଡ଼ିକ ଲାଗି ବଜାର ସୁବିଧାକୁ  ଉନ୍ନତ କରାଯିବ । ଏହାକୁ ନଜରରେ  ରଖି ରାଜ୍ୟ ସରକାର ଆଗାମୀ ୨୪  ମାସରେ ଓଡ଼ିଶା ଷ୍ଟାର୍ଟଅପ୍‌ ଗ୍ରୋଥ୍‌ ଫଣ୍ଡ  ଗଠନ କରିବେ । ସେହିଭଳି ମଡେଲ ଇନକ୍ୟୁବେଟର ପାର୍କ ସ୍ଥାପନା ହେବ । ଷ୍ଟାର୍ଟ  ଅପ୍‌ ଗୁଡ଼ିକର ସଂଜ୍ଞା ଏବଂ ନାନୋ ୟୁନିକର୍ଣ୍ଣ  କାର୍ଯ୍ୟକ୍ରମକୁ ସରକାର ତ୍ୱରାନ୍ୱିତ କରିବେ ।