କଟକ,୧୮/୧୦: ଆଜି ଠାରୁ ଘରୋଇ ବାରବାଟୀ ଷ୍ଟାଡିୟମ୍‌ରେ ଓଡ଼ିଶା ଓ ଜାମ୍ମୁ-କାଶ୍ମୀର ମଧ୍ୟରେ  ରଣଜୀ ଟ୍ରଫି ମ୍ୟାଚ୍‌ ଆରମ୍ଭ ହେବାକୁ ଯାଉଛି । ଘରୋଇ ମଇଦାନର ଫାଇଦା ନେଇ ଓଡ଼ିଶା ପୂର୍ବ ପରାଜୟର  ପ୍ରତିଶୋଧ ନେବା ଲକ୍ଷ୍ୟରେ ରହିଛି । ଯୁବ ଓ ଅଭିଜ୍ଞ ମିଶ୍ରିତ ସନ୍ତୁଳିତ  ଘରୋଇ ଦଳ ଏଥର ଭଲ ପ୍ରଦର୍ଶନ  କରିବ ବୋଲି ଆଶା । ବାମହାତୀ  ଅର୍ଥୋଡକ୍ସ ସୁମିତ ଶର୍ମାଙ୍କୁ ଜାମ୍ମୁ-କାଶ୍ମୀର ବିପକ୍ଷରେ ପଦାର୍ପଣ ସୁଯୋଗ  ମିଳିପାରେ । ସେହିପରି ୩ ପେସର୍‌ ଓ  ୨ ସ୍ପିନର୍‌କୁ ନେଇ ମଇଦାନକୁ ଓହ୍ଲାଇବା  ନେଇ ପ୍ରସ୍ତୁତ ହୋଇଛି ଟିମ୍‌ ଓଡ଼ିଶା।

ପୂର୍ବ ଦୁଇଟି ମ୍ୟାଚ୍‌ରେ ଓଡି଼ଶା  ଭ୍ରମଣକାରୀ ଜାମ୍ମୁ-କାଶ୍ମୀର ଠାରୁ  ପରାଜିତ ହୋଇଛି । ଡ୍ରିମ୍ସ ଗ୍ରାଉଣ୍ଡରେ  ଗତ ସଂସ୍କରଣରେ ୨ ୱିକେଟରେ ଏବଂ ୨୦୨୦ରେ ୪ ୱିକେଟରେ ହାରିଥିଲା ।  ଶୁକ୍ରବାରଠୁ ପୁଣି ଥରେ ଗ୍ରୁପ୍‌ (ଏ)  ପର୍ଯ୍ୟାୟରେ ଉଭୟ ଦଳ ମୁହାଁମୁହିଁ  ହେବେ । ବାରବାଟୀରେ ପ୍ରତିଶୋଧ  ନେବା ଲକ୍ଷ୍ୟ ନେଇ ଗୋବିନ୍ଦ ପୋଦ୍ଦାରଙ୍କ  ନେତୃତ୍ୱାଧୀନ ଟିମ୍‌ ଓଡି଼ଶା ପଡ଼ିଆକୁ  ଓହ୍ଲାଇବ ।  

ଜାମ୍ମୁ-କାଶ୍ମୀର ଦୁଇ ପ୍ରଭାବୀ ବୋଲରଙ୍କ ବିନା ଏହି ମ୍ୟାଚ୍‌ ଖେଳିବ। ଦ୍ରୁତ ବୋଲର ଉମ୍ରାନ ମଲ୍ଲିକ ଡେଙ୍ଗୁ  ଆକ୍ରାନ୍ତ ହୋଇ ଦଳରୁ ବାଦ୍‌ ପଡ଼ିଛନ୍ତି । ଉଦୀୟମାନ ପେସ୍‌ ବୋଲର ରସିଖ  ସଲାମ ଡାର୍‌ ଦଳରେ ସ୍ଥାନ ପାଇଥିଲେ  ସୁଦ୍ଧା ଓଡ଼ିଶା ବିପକ୍ଷ ମ୍ୟାଚରେ  ଅନୁପସ୍ଥିତ ରହିପାରନ୍ତି । ଚଳିତ ରଣଜୀ  ଟ୍ରଫି ସିଜନରେ ଦ୍ୱିତୀୟ ରାଉଣ୍ଡ  ଆରମ୍ଭ ହେବ । ଓଡ଼ିଶାର ପ୍ରଥମ  ମ୍ୟାଚ୍‌ ତ୍ରିପୁରା ବିପକ୍ଷରେ ବର୍ଷା ଯୋଗୁ ଧୋଇ ଯାଇଥିଲା । ପାରସ ଡୋଗ୍ରାଙ୍କ ନେତୃତ୍ୱାଧୀନ ଜାମ୍ମୁ-କାଶ୍ମୀର ଦଳ  ପ୍ରଥମ ମ୍ୟାଚ୍‌ରେ ମହାରାଷ୍ଟ୍ର ବିପକ୍ଷରେ  ଇନିଂସ ଅଗ୍ରଣୀ ହାସଲ କରିଥିଲା।  

ଗୋବିନ୍ଦଙ୍କ ସମେତ ଅନୁରାଗ  ଷଡ଼ଙ୍ଗୀ, ଶାନ୍ତନୁ ମିଶ୍ର, ବିପ୍ଳବ ସାମନ୍ତରାୟ, ସନ୍ଦୀପ ପଟ୍ଟନାୟକ, କାର୍ତ୍ତିକ ବିଶ୍ୱାଳ ଏବଂ ୱିକେଟ ରକ୍ଷକ ଆଶୀର୍ବାଦ ସ୍ୱାଇଁ ଓଡି଼ଶାର ବ୍ୟାଟିଂ  ଭାର ସମ୍ଭାଳିବେ । ଦଳ ୩ ଜଣ  ପେସ୍‌ ବୋଲରଙ୍କୁ ନେଇ ଏହି ମ୍ୟାଚ ଖେଳିବ ବୋଲି ସୂଚନା । ସୂର୍ଯ୍ୟକାନ୍ତ  ପ୍ରଧାନ, ଦେବବ୍ରତ ପ୍ରଧାନ ଏବଂ  ରାଜେଶ ମହାନ୍ତି ଚୂଡାନ୍ତ ଏକାଦଶରେ  ରହିପାରନ୍ତି । ସୁନୀଲ ରାଉଳଙ୍କୁ ମଧ୍ୟ ସୁଯୋଗ ମିଳିପାରେ । ଏକମାତ୍ର ସ୍ପିନର  ଭାବେ ସୁମିତ ଶର୍ମା ଦଳରେ ସ୍ଥାନ ପାଇ  ପାରନ୍ତି । 

ଜାମ୍ମୁ-କାଶ୍ମୀରର ଶୁଭମ ଖଜୁରିଆ  ପ୍ରଥମ ମ୍ୟାଚ୍‌ରେ ୨୫୫ ଏବଂ ଶିବାଂଶ  ଶର୍ମା ୧୦୬ରନର ପାଳି ଖେଳିଥିଲେ ।  ଏହି ଦୁଇ ବ୍ୟାଟରଙ୍କ ଉପରେ ଓଡି଼ଶା  ବୋଲରଙ୍କ ନଜର ରହିବ। ବାରବାଟୀର  ପିଚ୍‌ ଉଭୟ ବ୍ୟାଟର୍‌ ଓ ବୋଲରଙ୍କୁ  ସୁହାଇବ ବୋଲି ଜଣା ପଡ଼ିଛି ।  

ଓଡିଶାର ସମ୍ଭାବ୍ୟ ଏକାଦଶ:  ଅନୁରାଗ ଷଡ଼ଙ୍ଗୀ, ଶାନ୍ତନୁ ମିଶ୍ର,  ଗୋବିନ୍ଦ ପୋଦ୍ଦାର (ଅଧିନାୟକ),  ବିପ୍ଲବ ସାମନ୍ତରାୟ, ସନ୍ଦୀପ  ପଟ୍ଟନାୟକ, କାର୍ତ୍ତିକ ବିଶ୍ୱାଳ, ଆଶୀର୍ବାଦ  ସ୍ୱାଇଁ(ୱିକେଟରକ୍ଷକ), ସୂର୍ଯ୍ୟକାନ୍ତ  ପ୍ରଧାନ, ଦେବବ୍ରତ ପ୍ରଧାନ/ସୁନୀଲ  ରାଉଳ, ରାଜେଶ ମହାନ୍ତି, ସୁମିତ ଶର୍ମା ।