କୋଲକାତା, ୨୮।୨: ଓଡ଼ିଶା ସଂସ୍କୃତି ବିଭାଗ ପକ୍ଷରୁ କୋଲକାତାର ଜାତୀୟ ଗ୍ରନ୍ଥାଗାର ବାସଭବନଠାରେ ୮ ମାର୍ଚ୍ଚ ରବିବାର ପାଳନ କରାଯିବ ‘ଓଡ଼ିଶା ପର୍ବ’ । ଏହି ଅବସରରେ ଉତ୍କଳ ଭବନଠାରେ ଆୟୋଜିତ ପ୍ରସ୍ତୁତି ବୈଠକରେ ଓଡ଼ିଶା ସାହିତ୍ୟ ଏକାଡେମୀ ଓ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ସଚିବ ଡକ୍ଟର ଚନ୍ଦ୍ରଶେଖର ହୋତା ଏହି ସୂଚନା ଦେଇଛନ୍ତି । ଡକ୍ଟର ହୋତା କହିଛନ୍ତି ଯେ ଆସନ୍ତା ୮ ତାରିଖ ସକାଳ ୧୧ଟାଠାରୁ ରାତି ୯ଟା ପର୍ଯ୍ୟନ୍ତ ଏହି ପର୍ବ ପାଳନ କରାଯିବ । ଓଡ଼ିଶା ସରକାରଙ୍କ ସଂସ୍କୃତି ଓ ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଏହି ଉତ୍ସବକୁ ଉଦ୍ଘାଟନ କରିବେ । ଓଡ଼ିଶା ଓ ପଶ୍ଚିମବଙ୍ଗ ମଧ୍ୟରେ ସାଂସ୍କୃତିକ ଓ ଭାବଗତ ସମ୍ପର୍କକୁ ଆହୁରି ମଜଭୁତ କରିବା ଲକ୍ଷ୍ୟରେ ଏହି ଉତ୍ସବ ଆୟୋଜନ କରାଯାଉଛି । ଏହି ଓଡ଼ିଶା ପର୍ବ ଅବସରରେ ଅନେକ ଖାଦ୍ୟ ଷ୍ଟଲ୍ର ବ୍ୟବସ୍ଥା କରାଯିବ । ଏହି ଖାଦ୍ୟ ଷ୍ଟଲରେ ଓଡ଼ିଶାର ପ୍ରସିଦ୍ଧ ଡାଲମା, ଛେନାପୋଡ଼, ଦହିବରା, ପାଳୁଅ ଲଡୁ, ଚକୁଳି ପିଠା, ଛେନା ଝିଲି, ରସଗୋଲା, ଆରିଶା ପିଠା, ମାଣ୍ଡୁଅ ଇତ୍ୟାଦି ପାରମ୍ପରିକ ଓଡ଼ିଆ ବ୍ୟଞ୍ଜନ ରହିବ ।
ଏହା ବି ପଢ଼ନ୍ତୁ... ବଦଳିଲା ରାଜସ୍ଥାନର ମାଉଣ୍ଟ ଆବୁ, କାମାଂ ଏବଂ ଜହାଜପୁରର ନାଁ, ବିଧାନସଭାରେ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ଭଜନ ଲାଲ ଶର୍ମା…
ସେହିପରି ଓଡ଼ିଶୀ, ସାହିଯାତ୍ରା, ସମ୍ୱଲପୁରୀ, ଛଉ, ଘୁମୁରା, ଢେମସା ଓ ପଶୁମୁଖା ନୃତ୍ୟ ପରିବେଷଣ କରାଯିବ । ଓଡ଼ିଶାର ପ୍ରସିଦ୍ଧ ଶିଳ୍ପୀମାନଙ୍କୁ ସାଂସ୍କୃତିକ କାର୍ଯ୍ୟକ୍ରମରେ ଆମନ୍ତ୍ରଣ କରାଯାଇଛି । ଆଲୋଚନା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ମାଧ୍ୟମରେ ଓଡ଼ିଆ ଅସ୍ମିତାକୁ ପରିପ୍ରକାଶ କରାଯିବ । ଆଗାମୀ ଦିନରେ ଦେଶର ବିଭିନ୍ନ ଓଡ଼ିଆ ବସତି ଥିବା ସହରରେ ମଧ୍ୟ ଏହିପରି "ଓଡ଼ିଶା ପର୍ବ' ଆୟୋଜନ କରାଯିବ ବୋଲି ଜାଣିବାକୁ ମିଳିଛି । ପଶିମବଙ୍ଗରେ ଓଡ଼ିଆ ସଂଗଠନ ସମୂହର କେନ୍ଦ୍ରୀୟ ଅନୁଷ୍ଠାନ ଉତ୍କଳୀୟ ମିଳିତ ମଞ୍ଚର କାର୍ଯ୍ୟକାରୀ ସଭାପତି ପ୍ରଦୀପ କୁମାର ସାହୁ ପ୍ରାରମ୍ଭିକ ସୂଚନା ଦେଇଥିଲେ । ପ୍ରସ୍ତୁତି ବୈଠକରେ ସଂସ୍କୃତି ବିଭାଗର ପ୍ରକଳ୍ପ ତଦାରଖ ଅଧିକାରୀ ସୋମା ମହାପାତ୍ର, ବାସ୍ତବ ପାତ୍ରଙ୍କ ସମେତ ଓମ୍ ପ୍ରସାଦ ମହାପାତ୍ର, ଉତ୍କଳୀୟ ମିଳିତ ମଞ୍ଚର ଶିକ୍ଷାସେଲ ସଂପାଦକ ପ୍ରଶାନ୍ତ କୁମାର ଦାସ, ନୀଳଚକ୍ର ପଶ୍ଚିମବଙ୍ଗ ଶାଖାର ସଂପାଦକ ଶେଷଦେବ ସାମଲ, ପରିବେଶବିତ୍ କୃତ୍ତିବାସ ମହାପାତ୍ର, ପ୍ରଭାସ ରଞ୍ଜନ ଦାସ, ସୁବ୍ରତ ଦାସ, ଜିତେନ୍ଦ୍ର କୁମାର ଦାସ, ବିଭୂତି ଭୂଷଣ ସାହୁ, ଡମ୍ୱରୁଧର ବାରିକ, ରାଜେନ୍ଦ୍ର କୁମାର ରାଉଳ, ପ୍ରଭାତ ପାଣ୍ଡବ, ସମୀର କୁମାର ସ୍ୱାଇଁ, ଧରଣୀଧର ଦାସ, ବିଦ୍ୟାଧର ବେହେରା, ଭରତ କୁମାର ବେହୁରା, ବସନ୍ତ କୁମାର ମଲ୍ଲିକ, ଦୁଃଶାସନ ବେହେରାଙ୍କ ସହ ଅନ୍ୟ ସଦସ୍ୟମାନେ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।