ନୂଆଦିଲ୍ଲୀ,୩୦/୧୨; ଚଳିତ ବିଜୟ ହଜାରେ ଟ୍ରଫିରେ ଓଡ଼ିଶା ଉନ୍ନତ ପ୍ରଦର୍ଶନ ଜାରି ରଖି କ୍ରମାଗତ ଦ୍ୱିତୀୟ ବିଜୟ ସହ ପଏଣ୍ଟ ତାଲିକାର ଦ୍ୱିତୀୟ ସ୍ଥାନ ଦଖଲ କରିଛି । କର୍ଣ୍ଣାଟକର ଆଲୁର ଠାରେ ଅନୁଷ୍ଠିତ ଏଲିଟ୍ ଗ୍ରୁପ୍ ଡି’ର ତୃତୀୟ ରାଉଣ୍ଡ ମୁକାବିଲାରେ ଓଡ଼ିଶା ୬ ୱିକେଟ୍‌ରେ ଆନ୍ଧ୍ରକୁ ପରାସ୍ତ କରିଥିଲା । ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ଆନ୍ଧ୍ର ୪୯.୨ ଓଭରରେ ୨୨୧ ରନ କରି ଅଲ୍ ଆଉଟ୍ ହୋଇ ଯାଇଥିଲା । ଜବାବରେ ଓଡ଼ିଶା ୪୩.୪ ଓଭରରେ ୪ ୱିକେଟ୍ ହରାଇ ଆବଶ୍ୟକ ରନ ସଂଗ୍ରହ କରି ନେଇଥିଲା । ଅଲ୍‌ରାଉଣ୍ଡ ପ୍ରଦର୍ଶନ ବଳରେ ଓଡ଼ିଶାକୁ ବିଜୟୀ କରାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଗୋବିନ୍ଦ ପୋଦ୍ଦାର ପ୍ଲେୟାର ଅଫ ଦ ମ୍ୟାଚ୍ ବିବେଚିତ ହୋଇଥିଲେ ।

 

ଟସ୍ ଜିତି ଫିଲ୍ଡିଂ ନିଷ୍ପତ୍ତି ନେବା ଓଡ଼ିଶା ପାଇଁ ବେଶ୍ ଫଳପ୍ରଦ ସାବ୍ୟସ୍ତ ହୋଇଥିଲା । ଆନ୍ଧ୍ର ମାତ୍ର ୩ ରନ୍ ମଧ୍ୟରେ ଓପନର ଅଶ୍ୱିନ ହେବର (୨)ଙ୍କ ୱିକେଟ୍ ହରାଇଥିଲା । ଏହାପରେ କେଏସ ଭରତ ଓ ସାଇକ ରସିଦ ସତର୍କତାର ସହ ବ୍ୟାଟିଂ କରି ଦଳୀୟ ସ୍କୋରକୁ ୨୪ରେ ପହଞ୍ଚାଇଥିଲେ । ରସିଦ ରିଟାୟାର୍ଡ ହର୍ଟ ହୋଇ ପାଭିଲିୟନ ଫେରିବା ପରେ ଆରମ୍ଭ ହୋଇଥିଲା ବିପର୍ଯ୍ୟୟ । ନୀତିଶ କୁମାର ରେଡ୍ଡୀ ମାତ୍ର ୬ ରନ କରି ପାଭିଲିୟନ ଫେରିଥିଲେ । ପରେ ପରେ ଭରତ ୩୨ ରନ କରି ବିଦାୟ ନେଇଥିଲେ । ରିକି ଭୁଇ (୧୮) ମଧ୍ୟ ନିରାଶ କରିଥିଲେ । ୭୨ ରନ୍ରେ ୪ଟି ୱିକେଟ୍ର ପତନ ଘଟିବା ପରେ ରସିଦ ପୁନର୍ବାର ବ୍ୟାଟିଂ କରିବାକୁ ଗ୍ରାଉଣ୍ଡକୁ ଓହ୍ଲାଇଥିଲେ । ହେଲେ ସେ ମାତ୍ର ୨୦ ରନ କରି ବିଦାୟ ନେଇଥିଲେ । ଚତୁର୍ଥ ୱିକେଟ୍‌ ପତନ ପରେ ବ୍ୟାଟିଂ କରିବାକୁ ଆସିଥିବା ଏସଏନଭି ପ୍ରସାଦ ଲଢୁଆ ଖେଳ ପ୍ରଦର୍ଶନ କରିଥିଲେ । ଅନ୍ୟ ପଟରେ ତାଙ୍କୁ ସେଭଳି ଆବଶ୍ୟକ ସହାୟତା ମିଳି ନଥିଲା । ଏମ ହେମନ୍ଥ ରେଡ୍ଡୀ ୧୧, କେ ରାଜୁ ୨ ଓ ତ୍ରିପୁରଣା ବିଜୟ ୬ ରନ କରି ଆଉଟ୍ ହୋଇଥିଲେ ।

୧୫୩ ରନ୍‌ରେ ଆନ୍ଧ୍ର ୮ଟି ୱିକେଟ୍ ହରାଇ ସାରିଥିଲା । ପ୍ରସାଦ ଅର୍ଦ୍ଧଶତକ ଅର୍ଜନ କରିବା ସହ ଦଳୀୟ ସ୍କୋରକୁ ୧୭୪ରେ ପହଞ୍ଚାଇଥିଲେ । ତାଙ୍କ ୱିକେଟ୍ର ପତନ ପରେ ଆନ୍ଧ୍ର ୨୦୦ ରନ ମଧ୍ୟରେ ସୀମିତ ରହିବା ଅନୁମାନ କରାଯାଉଥିଲା । ମାତ୍ର ଅନ୍ତିମ ଭାଗରେ ସୌରଭ କୁମାର ୨୬ଟି ବଲ୍ରୁ ଦ୍ରୁତ ୪୭ (୩ଚୌକା, ୪ଛକା) ରନ ଯୋଗ କରିବା ଫଳରେ ଦଳୀୟ ସ୍କୋର ୨୨୧ରେ ପହଞ୍ଚିଥିଲା । ଓଡ଼ିଶା ପକ୍ଷରୁ ଗୋବିନ୍ଦ ପୋଦ୍ଦାର ଓ ବିପ୍ଳବ ସାମନ୍ତରାୟ ୩ଟି ଲେଖାଏଁ ୱିକେଟ୍ ନେଇଥିଲେ । ଜବାବରେ ଓଡ଼ିଶା ପ୍ରଥମ ବଲ୍ରେ ପ୍ରଥମ ୱିକେଟ୍ ହରାଇଥିଲା । ସୌରାଷ୍ଟ୍ର ବିପକ୍ଷରେ ଦ୍ୱିଶତକ ଅର୍ଜନ କରିଥିବା ସ୍ୱସ୍ତିକ ସାମଲ ଖାତା ଖୋଲି ପାରି ନଥିଲେ । ଅନ୍ୟ ଓପନର ଓମ ମୁଣ୍ଡେଙ୍କ ସହ ସନ୍ଦୀପ ପଟ୍ଟନାୟକ ଯୋଗ ଦେଇ ଦଳୀୟ ସ୍କୋରକୁ ୩୧ରେ ପହଞ୍ଚାଇବା ପରେ ସନ୍ଦୀପ (୧୯)ଙ୍କ ୱିକେଟର ପତନ ଘଟିଥିଲା ।

ଓମଙ୍କ ସହ ଗୋବିନ୍ଦ ମିଶି ଦଳୀୟ ସ୍କୋରକୁ ଆଗେଇ ନେଇଥିଲେ । ଆନ୍ଧ୍ର ବୋଲର ଏହି ଯୋଡ଼ି ଭାଙ୍ଗି ପାରି ନଥିଲେ । ଉଭୟ ଅର୍ଦ୍ଧଶତକ ଅର୍ଜନ କରିବା ସହ ତୃତୀୟ ୱିକେଟ୍ରେ ୧୬୬ ରନ ଯୋଗ କରି ବିଜୟ ପାଇଁ ପଥ ପରିସ୍କାର କରିଥିଲେ । ଦଳୀୟ ସ୍କୋର ୧୯୭ ବେଳେ ଗୋବିନ୍ଦ ବ୍ୟକ୍ତିଗତ ୮୯ (୯ଚୌକା) ରନ କରି ଆଉଟ୍ ହୋଇଥିଲେ । ପରେ ପରେ ଓମ୍ ୯୧ (୭ଚୌକା) ରନ କରି ବିଦାୟ ନେଇଥିଲେ । ଆଶୀର୍ବାଦ (୧୧) ଓ ବିପ୍ଳବ (୭) ଅପରାଜିତ ରହି ବାକି ରନ ସଂଗ୍ରହ କରିଥିଲେ । ୩୮ଟି ବଲ୍ ବାକି ଥାଇ ଓଡ଼ିଶା ବିଜୟ ହାସଲ କରିଥିଲା । ଆନ୍ଧ୍ର ପକ୍ଷରୁ ସତ୍ୟନାରାୟଣ ରାଜୁ ୨ଟି, ନୀତିଶ ଓ ହେମନ୍ତ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ ।