ଭୁବନେଶ୍ବର, ୫/୨ : ପ୍ରତିକୂଳ ପରିସ୍ଥିତିର ସାମ୍ନା କରି ସାମାଜରେ ଲୁଚି ରହି ଜୀବନର ଜୟଗାନ କରୁଛନ୍ତି କିଛି ମହିୟସୀ । ନିଜ ଓଜରେ ଦିପ୍ତିମାନ ସେହି ଓଜସ୍ବିନୀମାନଙ୍କ ସନ୍ଧାନ ଓ ତାଙ୍କ ଅବଦାନକୁ ସ୍ବୀକୃତି ପାଇଁ ‘ପ୍ରମେୟ'ର ଉଦ୍ୟମ ଅବ୍ୟାହତ । ୨୦୧୫ ମସିହାରୁ ପ୍ରତିବର୍ଷ ଏମାନଙ୍କ ଅବଦାନର ସ୍ବୀକୃତି ସ୍ବରୂପ ତାଙ୍କୁ ପ୍ରୋସାହିତ କରିଆସୁଛି 'ପ୍ରମେୟ ଓଜସ୍ବିନୀ ସମ୍ମାନ’ ମାଧ୍ୟମରେ I ଚଳିତବର୍ଷ ବିଭିନ୍ନ କ୍ଷେତ୍ରରେ ଉତ୍କର୍ଷତା ହାସଲ କରି ଦୃଷ୍ଟାନ୍ତ ସାଜିଥିବା ୩ ଜଣ ସ୍ବୟଂସିଦ୍ଧା ହେଲେ ରାଜମିସ୍ତ୍ରୀ ପଦ୍ମିନୀ ରଣା, ମହିଳା ଚାଷୀ ଯମୁନା ମଲ୍ଲିକ ଏବଂ ପରିବେଶପ୍ରେମୀ ଶିକ୍ଷୟିତ୍ରୀ ସ୍ନିଗ୍ଧା ଦାଶ । ମାତ୍ର ୧୮ ବର୍ଷ ବୟସରେ ପୀଠ ପଢ଼ା ସହ ପୁରୁଷ ପ୍ରଧାନ ରାଜମିସ୍ତ୍ରୀ କାମ କରି ଆସୁଛନ୍ତି ପଦ୍ମିନୀ । ବିବାହ ପରଠୁ ସ୍ବାମୀଙ୍କ ସହଯୋଗୀ ପାଲଟିବାକୁ ଯାଇ ନିଜେ ଏବେ ପ୍ରାୟ ୬ ଏକର ଜମିରେ ବିଭିନ୍ନ ଚାଷ କରି ପରିବାରର ଆର୍ଥିକ ମେରୁଦଣ୍ଡ ସାଜିଛନ୍ତି ମହିଳା ଚାଷୀ ଯମୁନା । ଶିକ୍ଷକତା ବୃତ୍ତିରେ ରହି ପରିବେଶ ସୁରକ୍ଷା ପାଇଁ ସବୁଜିମା ସୃଷ୍ଟି ଲାଗି ଉତ୍ସର୍ଗକୃତ ଅଛନ୍ତି ସ୍ନିଗ୍ଧା ।
ଏହି ୩ ମହିଳାଙ୍କୁ ନେଇ ଜନମତ ସଂଗ୍ରହ ସକାଶେ ଆରମ୍ଭ ହୋଇଯାଇଛି ଅନଲାଇନ ଭୋଟ ଗ୍ରହଣ । ଆପଣମାନଙ୍କ ମତଦାନ ଆଧାରରେ ହିଁ ଉପରୋକ୍ତ ୩ ଜଣଙ୍କ ମଧ୍ୟରୁ ଚଳିତ ବର୍ଷର ‘ପ୍ରମେୟ ଓଜସ୍ବିନୀ -୨୦୨୫' ବିଜୟିନୀ ବଛାଯିବ । ବିଗତ ବର୍ଷମାନଙ୍କରେ ସ୍ୱତନ୍ତ୍ର ମତଦାନ ରଥ ପଶ୍ଚିମାଞ୍ଚଳର ୯ଟି ଜିଲ୍ଲାର ପୁରପଲ୍ଲୀ ପରିଭ୍ରମଣ କରି ବାଲଟ ପେପରରେ ମତଦାନ କରାଯାଇ ଆସୁଥିଲା । ଚଳିତ ବର୍ଷ ଅଧିକ ଗ୍ରହଣୀୟ କରିବାକୁ ଏବଂ ଭୋଟରଙ୍କ ସୁବିଧା ପାଇଁ ଅନ-ଲାଇନ ଭୋଟିଂ ବ୍ୟବସ୍ଥା କରାଯାଉଛି । ଭୋଟିଂ ପାଇଁ ଲିଙ୍କ https://anim8io.com/prameya-ojaswini-2025/ ଏବଂ କ୍ୟୁଆର୍କୋଡ୍ ବିଭିନ୍ନ ସାମାଜିକ ଗଣମାଧ୍ୟମ ସହ ବିଭିନ୍ନ ଗ୍ରୁପରେ ସେୟାର କରାଯାଇ ଭୋଟିଂ ଜାରି ରହିଛି । ଆସନ୍ତା ୬ ତାରିଖ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଏହି ସାଇଟ ଭୋଟିଂ ପାଇଁ ଖୋଲା ରହିବ । ଏଥିପାଇଁ ଅଧିକାରୁ ଅଧିକ ସଂଖ୍ୟାରେ ସମସ୍ତେ ଉପରୋକ୍ତ ଲିଙ୍କରେ କିମ୍ବା କ୍ୟୁଆରକୋଡ୍ ସ୍କାନ କରି ନିଜ ନିଜ ପସନ୍ଦ ପ୍ରାର୍ଥିନୀଙ୍କୁ ଭୋଟ ଦେଇ ଜିତାଇବାକୁ ଅନୁରୋଧ ।
ସମ୍ବଲପୁର ସହରର ପ୍ରାଣକେନ୍ଦ୍ର ଗଙ୍ଗାଧର ମଣ୍ଡପ ଠାରେ ଫେବ୍ରୁଆରୀ ୭ ତାରିଖ ଅପରାହ୍ନ ୫ଟାରୁ ଆରମ୍ଭ ହେବ ପ୍ରମେୟ ଓଜସ୍ୱିନୀ ସମ୍ମାନ- ୨୦୨୫ ସମାରୋହ । ଅତିଥି ଭାବେ ବିଶଷ୍ଟ ବ୍ୟକ୍ତିଙ୍କ ଉପସ୍ଥିତିରେ ଏକ ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ଏହି ମର୍ଯ୍ୟାଦାଜନକ ସମ୍ମାନ ପ୍ରଦାନ କରାଯିବ । ଚଳିତ ବର୍ଷର ପ୍ରତିଯୋଗୀ ନୂଆପଡ଼ା ଜିଲ୍ଲା କୋମନା ବ୍ଲକ ନୂଆଗାଁର ରାଜମିସ୍ତ୍ରୀ ପଦ୍ମିନୀ ରଣା, ବରଗଡ଼ ସଦର ବ୍ଲକ ଅନ୍ତର୍ଗତ ନିଲେଶ୍ୱର ପଞ୍ଚାୟତ ଅଧୀନ ବାଲିଯୋରୀ ଗାଁର ମହିଳା ଚାଷୀ ଯମୁନା ମଲ୍ଲିକ ଏବଂ ବରଗଡ଼ ଜିଲ୍ଲା ଗାଇସିଲାଟ ବ୍ଲକ୍ ଗାଇସିଲାଟ ପିଏମ ଉଚ୍ଚ ବିଦ୍ୟାଳୟର ବିଜ୍ଞାନ ଶିକ୍ଷୟିତ୍ରୀ ତଥା ପରିବେଶପ୍ରେମୀ ସ୍ନିଗ୍ଧା ଦାଶଙ୍କ ମଧ୍ୟରୁ ବିଜୟିନୀଙ୍କୁ ସମ୍ମାନରେ ଟ୍ରଫି, ମାନପତ୍ର, ଉପଢ଼ୌକନ ନଗଦ ଅର୍ଥରାଶି ଏବଂ ଅନ୍ୟ ଦୁଇ ରନର୍ସଅପଙ୍କୁ ଟ୍ରଫି, ଉପଢ଼ୌକନ ଓ ନଗଦ ଅର୍ଥରାଶି ସହ ସମ୍ବର୍ଦ୍ଧିତ କରାଯିବ ।
ଏହାସହ ପଢ଼ନ୍ତୁ : ଯଦି ଭାରତ ସହ ଫାଇନାଲ ପଡ଼େ କ’ଣ କରିବ ? ଜାଣନ୍ତୁ କ’ଣ କହିଲେ ପାକିସ୍ତାନ ଅଧିନାୟକ