ନୂଆଦିଲ୍ଲୀ, ୫/୨ : ଆସନ୍ତା ୭ ତାରିଖରୁ ଖେଳାଯିବ ଟି-୨୦ ବିଶ୍ବକପ । ଭାରତ ବିପକ୍ଷରେ ଲିଗ୍ ମ୍ୟାଚ ଖେଳିବାକୁ ମନା କରିଛି ପାକିସ୍ତାନ । ଯାହାକୁ ନେଇ ଆଇସିସି ବହୁ କ୍ଷତି ସହିବାକୁ ପଡ଼ୁଛି । ବାଂଲାଦେଶ ସପକ୍ଷରେ ବାହାରି ପାକିସ୍ତାନ ଏଭଳି ନିଷ୍ପତ୍ତି ନେଇଥିବାବେଳେ ସବୁଠି କରାଯାଉଛି ନିନ୍ଦା । ପାକିସ୍ତାନ ଟିମ ଏବେ ଶ୍ରୀଲଙ୍କାରେ ଅଛି । ଟୁର୍ଣ୍ଣାମେଣ୍ଟର ସମସ୍ତ ମ୍ୟାଚ୍ ପାକିସ୍ତାନ ଏଠାରେ ଖେଳିବ । କଲୋମ୍ବୋରେ ପାକିସ୍ତାନ ସମସ୍ତ ମ୍ୟାଚ ଖେଳିବ । ନେଦରଲ୍ୟାଣ୍ଡ ବିପକ୍ଷରେ ପ୍ରଥମ ମ୍ୟାଚରୁ ବିଶ୍ବକପ ଅଭିଯାନ ଆରମ୍ଭ କରିବ । ତେବେ ଫେବୃଆରୀ ୧୫ ତାରିଖରେ ହେବାକୁ ଥିବା ଭାରତ ବିପକ୍ଷ ମ୍ୟାଚକୁ ବୟକଟ୍ କରିଛି ପଡ଼ୋଶୀ ଦେଶ ।

ତେବେ ଶ୍ରୀଲଙ୍କାରେ ଅନୁଷ୍ଠିତ ପ୍ରେସମିଟରେ ପାକିସ୍ତାନ ଅଧିନାୟକଙ୍କୁ ସାମ୍ବାଦିକମାନେ ପ୍ରଶ୍ନ କରିଥିଲେ, ଲିଗରେ ଭାରତ ବିପକ୍ଷ ମ୍ୟାଚ୍ ବର୍ଜନ କରିଛନ୍ତି କିନ୍ତୁ ଯଦି ସେମି କିମ୍ବା ଫାଇନାଲରେ ଭାରତ ସହ ଭେଟିବାକୁ ପଡ଼େ କ’ଣ କରିବ । ଏହାର ଉତ୍ତରରେ ସଲମାନ କହିଛନ୍ତି କି, ଭାରତ ବିପକ୍ଷ ମ୍ୟାଚ୍ ଆମ ନିୟନ୍ତ୍ରଣରେ ନାହିଁ । ବୋର୍ଡ ଏବଂ ସରକାର ଯାହା ନିଷ୍ପତ୍ତି ନେବେ ଆମେ ଏହାକୁ ମାନିବୁ । ଯଦି ବୋର୍ଡ କହେ ଆମେ ଲିଗରେ ମଧ୍ୟ ଖେଳିବୁ । ଆମକୁ ଯାହା ଆଦେଶ ମିଳିବ ଆମେ ପାଳନ କରିବୁ ।

ସେପଟେ ଏହି ପ୍ରେସମିଟରେ ବାଂଲାଦେଶ ସପକ୍ଷରେ ମଧ୍ୟ ଯୁକ୍ତି ବାଢ଼ିଥିଲେ ସଲମାନ । ସେ କହିଛନ୍ତି କି, ବାଂଲାଦେଶ ଆମ ଭାଇ । ଟୁର୍ଣ୍ଣାମେଣ୍ଟ ବାହାର କରାଯିବା ଦୁର୍ଭାଗ୍ୟଜନକ । ସେମାନେ ଥିଲେ ଆମକୁ ସହାୟକ ହୋଇଥାନ୍ତା । ସେମାନଙ୍କୁ ଏଭଳି ଅବସ୍ଥାରେ ଦେଖିବା ଅତ୍ୟନ୍ତ ଦୁଃଖ ଲାଗୁଛି । ଏହାସହ ପୂର୍ବରୁ ପାକିସ୍ତାନ ଆମେରିକାଠାରୁ ହାରିଛି । ଏବେ କ’ଣ ହେବ ? ଏହି ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି କି, ଏହା ଅତୀତ ଥିଲା । ଏବେ ନୂଆ ଦଳ ରହିଛି, ମୋ ଅଧିନାୟକତ୍ବରେ ପ୍ରଥମଥର ଟି-୨୦ ବିଶ୍ବକପ ଖେଳୁଛୁ । ଆମେ ଭଲ ପ୍ରଦର୍ଶନ କରିବା ଉପରେ ଆମର ନଜର ରହିବ । ଏହି ଟୁର୍ଣ୍ଣାମେଣ୍ଟରେ ଭଲ ଖେଳିବା ସହ ଟାଇଟଲ ହାସଲ କରିବା ଆମର ପ୍ରଥମ ଲକ୍ଷ୍ୟ ।

ଏହାସହ ପଢ଼ନ୍ତୁ : ଭିଡିଓ ଉଠାଉଥିଲେ ଅର୍ଶଦୀପ, ରାଗିଗଲେ ତିଲକ : ସୋସିଆଲ ମିଡିଆରେ ଭାଇରାଲ...