ନୂଆଦିଲ୍ଲୀ : ଓଲା ଇଲେକ୍ଟ୍ରିକ୍ ମୋବିଲିଟି ପ୍ରମୋଟର ଭାବିଶ ଅଗ୍ରୱାଲ କମ୍ପାନୀର ସେୟାରକୁ ଦ୍ରୁତ ଗତିରେ ବିକ୍ରି କରୁଛନ୍ତି। ଓଲା ଇଲେକ୍ଟିକ୍ ପ୍ରମୋଟର ଭାବିଶ ଅଗ୍ରୱାଲ ଗୁରୁବାର ଏକ ବଲ୍କ ଡିଲ୍ ମାଧ୍ୟମରେ କମ୍ପାନୀର ୨.୮୩ କୋଟିର ସେୟାର ବିକ୍ରି କରିଛନ୍ତି। ଭାବିଶ ଅଗ୍ରୱାଲ ୩୧.୬୦ ଟଙ୍କା ପ୍ରତି ସେୟାରର ଦାମ୍ରେ ଏହି ସେୟାର ବିକ୍ରି କରିଛନ୍ତି। ଏହି ଟ୍ରାଞ୍ଜାକ୍ସନର ମୋଟ ମୂଲ୍ୟ ୯୦.୨୭ କୋଟି ଟଙ୍କା ରହିଥିଲା। ଏହି କଥା ଏକ୍ସଚେଞ୍ଜ ତଥ୍ୟରୁ ସାମ୍ନାକୁ ଆସିଛି। ଓଲା ଇଲେକ୍ଟ୍ରିକ୍ ମୋବିଲିଟିର ସେୟାର ଗୁରୁବାର ବିଏସଇରେ ୫ ପ୍ରତିଶତର ହ୍ରାସର ସହ ୩୧.୨୮ ଟଙ୍କାରେ ବନ୍ଦ ହୋଇଛି।
ଓଲା ଇଲେକ୍ଟ୍ରିକ୍ ମୋବିଲିଟିର ଫାଉଣ୍ଡର ଓ ପ୍ରମୋଟର ଭାବିଶ ଅଗ୍ରୱାଲ ବୁଧବାର କମ୍ପାନୀର ୪.୨ କୋଟି ସେୟାର ବିକ୍ରି କରିଛନ୍ତି। ଏହି ଟ୍ରାଞ୍ଜାକ୍ସନର ମୂଲ୍ୟ ୧୪୨ କୋଟି ଟଙ୍କା ଥିଲା। ଏହା ପୂର୍ବରୁ , ଭାବିଶ ଅଗ୍ରୱାଲ ମଙ୍ଗଳବାର ଦିନ ଓଲା ଇଲେକ୍ଟ୍ରିକ ମୋବିଲିଟିର ୨.୬ କୋଟି ସେୟାର ପାଖାପାଖି ୯୧ କୋଟି ଟଙ୍କାରେ ବିକ୍ରି କରିଥିଲେ। ଓଲା ଇଲେକ୍ଟ୍ରିକର ପ୍ରମୋଟର ୩ ଦିନରେ ୯.୬୩ କୋଟି ସେୟାର ବିକ୍ରି କରି ଦେଇଛନ୍ତି। ବିକ୍ରି ହୋଇଥିବା ସେୟାରର ମୂଲ୍ୟ ଏବେ ୩୨୪ କୋଟି ଟଙ୍କା ରହିଛି। ଏହି କଥା ଇକୋନୋମିକ୍ ଟାଇମ୍ସର ଏକ ରିପୋର୍ଟରେ କୁହାଯାଇଛି। ଡିସକ୍ଲୋଜରଙ୍କ ମୁତାବିକ, ୩୦ ସେପ୍ଟେମ୍ବର ୨୦୨୫ ସୁଦ୍ଧା ଇଲେକ୍ଟ୍ରିକ୍ ଟୁ-ହ୍ୱିଲର କମ୍ପାନୀରେ ଭାବିଶ ଅଗ୍ରୱାଲଙ୍କ ୩୦.୦୨ ପ୍ରତିଶତ ଅଂଶଧନ ଥିଲା, ତାଙ୍କ ପାଖରେ ୧୩୨ କୋଟିରୁ ଅଧିକ ଇକ୍ୱିଟି ସେୟାର ଥିଲା ।
ଗତ ଗୋଟିଏ ବର୍ଷ ମଧ୍ୟରେ ଓଲା ଇଲେକ୍ଟିକ୍ ସେୟାର ୬୭% ରୁ ଅଧିକ ହ୍ରାସ ପାଇଛି। ୧୮ ଡିସେମ୍ବର ୨୦୨୪ ରେ କମ୍ପାନୀର ସେୟାର ୯୬.୪୨ ଟଙ୍କାରେ ଥିଲା। ୧୮ ଡିସେମ୍ବର ୨୦୨୫ରେ ଓଲା ଇଲେକ୍ଟ୍ରିକ୍ ସେୟାରରେ ବିଏସଇରେ ୩୧.୨୮ ଟଙ୍କାରେ ବନ୍ଦ ହୋଇଥିଲା । ଏହି ବର୍ଷ ଏପର୍ଯ୍ୟନ୍ତ ଓଲା ଇଲେକ୍ଟ୍ରିକ୍ (Ola Electric) ସେୟାରରେ ୬୩% ରୁ ଅଧିକ ହ୍ରାସ ଦେଖିବାକୁ ମିଳିଛି। ଅନ୍ୟପଟେ, ଗତ ୬ ମାସରେ, କମ୍ପାନୀର ସେୟାର ୩୨% ରୁ ଅଧିକ ହ୍ରାସ ପାଇଛି। ଗତ ଏକ ମାସରେ ଓଲା ଇଲେକ୍ଟ୍ରିକ୍ ସେୟାର ୨୫% ରୁ ଅଧିକର ହ୍ରାସ ଘଟିଛି। କମ୍ପାନୀର ସେୟାରର ୫୨ ସପ୍ତାହର ସର୍ବୋଚ୍ଚ ସ୍ତର ୯୯.୯୦ ଟଙ୍କା ଥିବାବେଳେ କମ୍ପାନୀର ସେୟାରର ୫୨ ସପ୍ତାହର ସର୍ବନିମ୍ନ ସ୍ତର ୩୦.୭୯ ଟଙ୍କା ରହିଛି।