ଚାନ୍ଦବାଲି,୨୬।୧ : ମହଙ୍ଗା ପଡିଲା ଚୋରା ମଦ ବିକ୍ରି ବିରୁଦ୍ଧରେ ମହିଳା ମହାସଂଘର କାର୍ଯ୍ୟାନୁଷ୍ଠାନ । କଙ୍ଗାରୁ କୋର୍ଟର ନିର୍ଯାତନା ସହି ନ ପାରି ବୃଦ୍ଧଙ୍କ ଆତ୍ମହତ୍ୟା ଅଭିଯୋଗ। ଝିଅକୁ ୩୦ ହଜାର ଜୋରିମାନା ସହ ମାନସିକ ନିର୍ଯ୍ୟାତନା ଦେବାରୁ ବିଷ ପିଇ ଆତ୍ମହତ୍ୟା କଲା ବାପା ।ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲାର ଚାନ୍ଦବାଲି ବ୍ଳକ ଅନ୍ତର୍ଗତ ଚଡ଼ଦିଆରେ ।

ଚଡ଼ଦିଆ ପଞ୍ଚାୟତର ଚଡ଼ଦିଆ ଛକରେ ପ୍ରାୟ ୫ରୁ ଉର୍ଦ୍ଧ୍ବ ସ୍ଥାନରେ କିଛି ଦିନ ହେବ ଚୋରା ମଦ କାରବାର ବଢ଼ିବାରେ ଲାଗିଛି । ଯାହାକୁ ବିରୋଧ କରି ସ୍ଥାନୀୟ ମହିଳା ମହାସଂଘର ମହିଳାମାନେ ଏକତ୍ର ହୋଇଥିଲେ । ଚୋରା ମଦ ଦୋକାନ ଗୁଡିକୁ ଭାଙ୍ଗିବା ସହ ରବିବାର ବଜାର ବନ୍ଦ କରି ପ୍ରତିବାଦ ସଭା କରିଥିଲେ । ମାତ୍ର ଚୋରା ମଦ ଦୋକାନ କରିଥିବା ଯୁବତୀଙ୍କ ଅଭିଯୋଗ ଅନୁଯାୟୀ ରବାର ତାଙ୍କୁ ଚଡ଼ଦିଆ ବଜାରକୁ ଡାକି ମାନସିକ ନିର୍ଯ୍ୟାତନା ଦେବା ସହ ୧ଲକ୍ଷ ଟଙ୍କାର ଜୋରିମାନା ଦାବି କରିଥିଲେ । ପରେ ତାହା ୩୦ ହଜାର ଟଙ୍କା ଦେବାକୁ ନିଷ୍ପତ୍ତି ହୋଇଥିଲା । ଯୁବତୀ ଜଣକ ୧୦ ହଜାର ଟଙ୍କା ଦାଖଲ କରିଥିଲେ । ଏସବୁ ଘଟଣାକୁ ଦେଖି ଯୁବତୀଙ୍କ ବୃଦ୍ଧ ପିତା ସହ୍ୟ କରି ପାରି ନ ଥିଲେ । ଏହାକୁ ନେଇ ରବିବାର ବିଳମ୍ବିତ ରାତିରେ ବିଷ ପିଇ ଆତ୍ମହତ୍ୟା କରିଥିଲେ । ପରିବାର ଲୋକେ ଏହା ଦେଖି ବୃଦ୍ଧଙ୍କୁ ତୁରନ୍ତ ଚାନ୍ଦବାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ମାତ୍ର କିଛି ସମୟ ପରେ ତାଙ୍କର ମୃତ୍ୟୁ ଘଟିଥିଲା । ଉକ୍ତ ଘଟଣାକୁ ନେଇ ଯୁବତୀ ଜଣକ ବାଂଶଡା ଥାନାରେ ଅଭିଯୋଗ କରିବା ପରେ ବାଂଶଡା ପୋଲିସ ଶବ ଜବତ କରି ବ୍ୟବଚ୍ଛେଦ କରିବା ସହ ତଦନ୍ତ ଆରମ୍ଭ କରିଛି । ଅନ୍ୟ ପଟେ ମହିଳା ମହାସଂଘର କାର୍ଯ୍ୟକର୍ତା ମାନେ ଜରିମାନା କଥା ସ୍ଵୀକାର କରିବା ସହ ମାନସିକତା ନିର୍ଯ୍ୟାତନା କଥାକୁ ଅସ୍ବୀକାର କରିଛନ୍ତି ।