ପାଟଣାଗଡ଼, ୩/୮ ( ଆପ୍ର): ଆମ୍ବୁଲାନ୍ସର ଅବହେଳା ଯୋଗୁଁ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। । ଏହାକୁ ନେଇ ବଲାଙ୍ଗୀର ଜିଲ୍ଲା ପାଟଣଗଡ ଉପଖଣ୍ଡ ଡାକ୍ତରଖାନା  ସମ୍ମୁଖରେ ସମ୍ଭୁଖରେ ମୃତଦେହ  ରଖି ପରିବାର ବର୍ଗ ମୁଖ୍ୟ  ରାସ୍ତା ଅବରୋଧ କରିଛନ୍ତି । ମୃତ ଯୁବକ ଜଣକ ହେଲେ  ଏନ୍ଏସି ଲାଇନ ପଡାର କ୍ଷିରଧର କଠାର (୬୨) । 

ବୃଦ୍ଧ ଜଣକ ଅସୁସ୍ଥତା ଯୋଗୁଁ ପରିବାର ବର୍ଗ ତାଙ୍କୁ ଉପଖଣ୍ଡ ଚିକିତ୍ସାଳୟରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ  । ପ୍ରାଥମିକ   ଚିକିତ୍ସା ପରେ ତାଙ୍କ ସ୍ଵାସ୍ଥ୍ୟବସ୍ଥା ଗୁରୁତର ହେବାରୁ ତାଙ୍କୁ ବଲାଙ୍ଗୀର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ହସ୍ତାନ୍ତର କରିଥିଲେ । ହସ୍ତାନ୍ତର ପରେ ପରିବାର ଲୋକଙ୍କ ସହ ଡାକ୍ତରଖାନା କର୍ତ୍ତୃପକ୍ଷ ୧୦୮ ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ । ଆମ୍ବୁଲାନ୍ସ ଆସିବା ପରେ ପରିବାର ବର୍ଗ ବୃଦ୍ଧଙ୍କୁ ଡାକ୍ତରଖାନା ଭିତରୁ ଆମ୍ବୁଲାନ୍ସ କୁ ଆଣୁଥିଲେ । କିନ୍ତୁ ଠିକ ଏହି ସମୟରେ ପୁଣି ୧୦୮ କଲ ସେଣ୍ଟରରୁ ଆମ୍ବୁଲାନ୍ସ ଗାଡି ଚାଳକଙ୍କୁ  ତୁରନ୍ତ ବେଲପଡା ଯିବାକୁ ନିର୍ଦ୍ଦେଶ ଦିଆଯାଇଥିଲା ।‌ ଚାଳକ ଜଣକ ନିର୍ଦ୍ଦେଶକ୍ରମେ ମୃତ୍ୟୁ ସହ ସଂଗ୍ରାମ କରୁଥିବା ବୃଦ୍ଧଙ୍କୁ ଛାଡି ଦେଇ ବେଲପଡା ଅଭିମୁଖେ ଚାଲି ଯାଇଥିଲା । ଯାହା ଫଳରେ  ବୃଦ୍ଧଙ୍କ ମୃତ୍ୟୁ ହୋଇଥିଲା ବୋଲି ପରିବାର ବର୍ଗ ଅଭିଯୋଗ କରିଛନ୍ତି । ପରେ ପରିବାର ବର୍ଗ ମୁଖ୍ୟ ରାସ୍ତା ଉପରେ ମୃତ ବୃଦ୍ଧଙ୍କ ଶବରଖି ରାସ୍ତା ଅବରୋଧ କରିଥିଲେ । ଘଟଣା ସ୍ଥଳରେ  ସ୍ଥାନୀୟ ପୁଲିସ ଓ ତହସିଲଦାର ପହଞ୍ଚି ଆନ୍ଦୋଳନ କାରିଙ୍କୁ ବୁଝାସୁଝା କରୁଥିବା ଦେଖିବାକୁ ମିଳିଛି ।