ମନମୁଣ୍ଡା, ୩୧।୫ : ମନମୁଣ୍ଡା ଥାନା ତଥା ଗ୍ରାମପଞ୍ଚାୟତ ଅନ୍ତର୍ଗତ ଭୂର୍କିପଡ଼ା (ଖଇରମାଳ ) ଗ୍ରାମରେ ଭାଲୁ ଆକ୍ରମଣରେ ଜଣେ ବୃଦ୍ଧ ଆହତ ହୋଇଛନ୍ତି। ଆହତ ବୃଦ୍ଧ ଜଣକ ହେଲେ ହୃଷୀକେଶ ସେଠୀ।  ଗୁରୁତର ଅବସ୍ଥାରେ ତାଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ସକାଳୁ ହୃଷୀକେଶ ସେଠୀ (୬୭) ନିଜ ବାଡି ପଟକୁ ଶୌଚ ପାଇଁ ଯାଇଥିଲେ। ସେହି ସମୟରେ ଗୋଟିଏ ଭାଲୁ ତାଙ୍କ ପାଖଦେଇ ଯିବା ଦେଖି ବୃଦ୍ଧ ଜଣକ ଚିତ୍କାର କରିଥିଲେ। ଭାଲୁଟି ବୃଦ୍ଧକୁ ଆକ୍ରମଣ କରିଥିଲା। ତେବେ ଭାଲୁ ଆକ୍ରମଣରେ ବୃଦ୍ଧ ଗୁରୁତର ହୋଇଥିଲେ। ତାଙ୍କୁ ଚିକିତ୍ସା ପାଇଁ  ସୋନପୁର ଡାକ୍ତରଖାନାରେ ନେଇ ଭର୍ତ୍ତି କରିଛନ୍ତି।

 ଖବର ପାଇ ମନମୁଣ୍ଡା ବନପାଳ ପ୍ରକାଶ  ସେଠୀ ବନ ବିଭାଗ କର୍ମଚାରୀ ଙ୍କ ସହ ଭାଲୁ କୁ ଘୋଡାଇବାକୁ ଉକ୍ତ ଗ୍ରାମକୁ ଯାଇଥିଲେ। ଆଖ ପାଖ ଅଞ୍ଚଳ ରେ ବାଣ ଫୁଟାଇ ଥିଲେ ମଧ୍ୟ ଭାଲୁ ର ସନ୍ଧାନ ପାଇ ନ ଥିଲେ। ପୁଣି ସନ୍ଧ୍ୟା ସମୟରେ ବନ ବିଭାଗ ତରଫରୁ ଉକ୍ତ ଗ୍ରାମ ତଥା ଆଖପାଖ ଅଞ୍ଚଳରେ ପାଟ୍ରୋଲିଂ କରାଯିବ ବୋଲି ବନପାଳ ଶ୍ରୀ ସେଠୀ କହିଛନ୍ତି। ତେବେ ସନ୍ଧ୍ୟା ସମୟ ରେ ଘରୁ କେହି ନ ବାହାରିବାକୁ ଗ୍ରାମବାସୀ ଙ୍କୁ ବନ ବିଭାଗ ତରଫରୁ ସଚେତନ କରାଯାଇଛି। ବନପାଳ ଶ୍ରୀ ସେଠୀ ଡାକ୍ତରଖାନା ଯାଇ ଆହତ ଙ୍କୁ ଭେଟି ତଦନ୍ତ କରି ଆସିଛନ୍ତି ଏବଂ ଆହତଙ୍କୁ ବନ ବିଭାଗ ତରଫରୁ ଅନୁକମ୍ପା ରାଶି ପ୍ରଦାନ କରାଯିବ ବୋଲି କହିଛନ୍ତି।