ମୁମ୍ବାଇ ୨୮/୧୧: ମୁମ୍ବାଇର ଜଣେ ୭୨ ବର୍ଷୀୟ ବୃଦ୍ଧ ଟ୍ରେଡିଂ ସ୍କାମରେ ୩୫ କୋଟି ହରାଇଛନ୍ତି । ଏହି ଘଟଣା ତାଙ୍କୁ ଭୟଙ୍କର ମାନସିକ ଆଘାତ ଦେଇଛି । ଦୀର୍ଘ ୪ ବର୍ଷ ଧରି ତାଙ୍କ ସହିତ ସ୍କାମ୍ ହେଉଥିବା ବେଳେ ଏ ନେଇ ସେ ଅଜ୍ଞ ଥିଲେ । ମାତୁଙ୍ଗା ୱେଷ୍ଟ୍ ବାସିନ୍ଦା ଭାରତ ହରକଚନ୍ଦ ଶାହ ପୁଲିସକୁ ଅଭିଯୋଗ କରିଛନ୍ତି, ଗ୍ଲୋବାଲ କ୍ୟାପିଟାଲ ମାର୍କେଟ୍ ଲିଃ. ନାମକ ଏକ ବ୍ରୋକରେଜ୍ ସଂସ୍ଥା ଦୀର୍ଘ ୪ ବର୍ଷରୁ ଅଧିକ ସମୟ ଧରି ବିନା ଅନୁମତିରେ ଟ୍ରେଡିଂ ନିମନ୍ତେ ତାଙ୍କର ଓ ତାଙ୍କ ପତ୍ନୀଙ୍କ ଆକାଉଣ୍ଟର ସାହାଯ୍ୟ ନେଇଥିଲା ।

୧୯୮୪ ମସିହାରେ ବାପାଙ୍କ ଦେହାନ୍ତ ପରଠୁ ଶାହ ପତ୍ନୀଙ୍କ ସହିତ ମିଶି କର୍କଟ ରୋଗୀଙ୍କ ପାଇଁ କମ୍ ଭଡ଼ାରେ ଏକ ଗେଷ୍ଟ୍ ହାଉସର ପରିଚାଳନା କରୁଛନ୍ତି । କିନ୍ତୁ ଷ୍ଟକ୍ ମାର୍କେଟ୍ ବିଷୟରେ ଦମ୍ପତିଙ୍କର ଆଦୌ ଧାରଣା ନ ଥିବାରୁ ସେମାନେ କଦାପି ସକ୍ରିୟ ଟ୍ରେଡିଂ କରିନଥିଲେ । ୨୦୨୦ ମସିହାରେ ଶାହଙ୍କ ସହିତ ଟ୍ରେଡିଂ ଠକେଇ ଆରମ୍ଭ ହୋଇଥିଲା । ଜଣେ ବନ୍ଧୁଙ୍କ ପରାମର୍ଶରେ ଶାହ ନିଜ ପାଇଁ ଓ ପତ୍ନୀଙ୍କ ପାଇଁ ଗ୍ଲୋବ୍ କ୍ୟାପିଟାଲ ମାର୍କେଟ୍ସ ଲିଃ. ସହିତ ଏକ ଡିମାଟ୍ ଓ ଟ୍ରେଡିଂ ଆକାଉଣ୍ଟ୍ ଖୋଲିଥିଲେ । ନିଜର ପୈତୃକ ଶେୟାର କମ୍ପାନିକୁ ଶେୟାର କରିଥିଲେ । ପ୍ରାରମ୍ଭିକ ପର୍ଯ୍ୟାୟରେ କମ୍ପାନି ସହ ବାର୍ତ୍ତାଳାପ ସିଧାସଳଖ ଥିଲା । କମ୍ପାନିର ପ୍ରତିନିଧିମାନେ ନିୟମିତ ଶାହଙ୍କୁ ସମ୍ପର୍କ କରି ଅନେକ ଆଶ୍ୱାସନା ଦେଇଥିଲେ । ଟ୍ରେଡିଂ ପାଇଁ କୌଣସି ଅତିରିକ୍ତ ନିବେଶ ଆବଶ୍ୟକ ହେବ ନାହିଁ ଏବଂ ସେହି ଶେୟାର୍ସବୁକୁ କୋଲାଟରାଲ୍ ଭାବେ ଉପଯୋଗ କରି ସୁରକ୍ଷିତ ଟ୍ରେଡିଂ କରାଯାଇ ପାରିବ ବୋଲି ସେମାନେ ତାଙ୍କୁ କହିଲେ ।

ସେମାନେ ଆହୁରି କହିଲେ ଯେ କମ୍ପାନି ଦ୍ୱାରା ତାଙ୍କୁ ବ୍ୟକ୍ତିଗତ ମାର୍ଗଦର୍ଶନ ପ୍ରଦାନ କରାଯିବ । ଏହି ଆଳରେ ଅକ୍ଷୟ ବରିୟା ଓ କରନ ସିରୋୟା ନାମକ ଦୁଇଜଣ କର୍ମଚାରୀଙ୍କୁ ଶାହଙ୍କ ପୋର୍ଟଫୋଲିଓ ପରିଚାଳନା ଦାୟିତ୍ୱରେ ରଖାଗଲା । ସେମାନେ ଶାହ ଦମ୍ପତିଙ୍କ ଆକାଉଣ୍ଟକୁ ସମ୍ପୂର୍ଣ୍ଣ ନିୟନ୍ତ୍ରଣକୁ ନେଲେ । ଶାହଙ୍କ ଅଭିଯୋଗ ଅନୁସାରେ, ମାମଲା ଖୁବ୍ଶୀଘ୍ର ଗମ୍ଭୀର ହେବାକୁ ଲାଗିଲା । ଦୁଇ ପ୍ରତିନିଧି ପ୍ରଥମେ ତାଙ୍କୁ ପ୍ରତିଦିନ ଫୋନ୍ କରୁଥିଲେ ଏବଂ କେଉଁ ଅର୍ଡର୍ କରିବାକୁ ହେବ, ସେ ବିଷୟରେ ନିର୍ଦ୍ଦେଶ ଦେଉଥିଲେ । ଏହା ପରେ ସେମାନେ ତାଙ୍କ ଘରକୁ ଆସିବା ଏବଂ ତାଙ୍କ ଲାପଟପରୁ ଇମେଲ୍ ପଠାଇବା ଆରମ୍ଭ କଲେ । ତାଙ୍କୁ ବହଲାଇ ସମସ୍ତ ଆବଶ୍ୟକ ସୂଚନା ସେମାନେ ନେଇଥିଲେ । ଶାହ ପ୍ରତ୍ୟେକ ଓଟିପିକୁ ଏଣ୍ଟର୍ କରିଥିଲେ, ଖୋଲିଥିଲେ ଏବଂ ପ୍ରତ୍ୟେକ ମେସେଜ୍ ଓ ଇମେଲର ଜବାବ ଦେଇଥିଲେ । ଯାହା ସେ ଜାଣିବାକୁ ଚାହୁଁଥିଲେ, କେବଳ ସେତିକି ସୂଚନା ତାଙ୍କୁ ଦିଆଯାଉଥିଲା । କମ୍ପାନି ତାଙ୍କ ଆକାଉଣ୍ଟକୁ ପୂରା ନିୟନ୍ତ୍ରଣକୁ ନେଇଥିଲା । ତାଙ୍କ ଆକାଉଣ୍ଟ୍ ଜରିଆରେ ବ୍ୟାପକ ଅନଧିକୃତ ଟ୍ରେଡିଂ ଗତିବିଧି ଚାଲୁଥିଲା ବୋଲି ଶାହ ଜାଣିନଥିଲେ । ମାର୍ଚ୍ଚ ୨୦୨୦ରୁ ଜୁନ୍ ୨୦୨୪ ମଧ୍ୟରେ ତାଙ୍କୁ ମିଳୁଥିବା ବାର୍ଷିକ ବିବରଣୀରେ ନିରନ୍ତର ଲାଭ ପ୍ରଦର୍ଶିତ ହୋଇଥିଲା । ପ୍ରତି ବର୍ଷ ଏହିଭଳି ସ୍ପଷ୍ଟ ବିବରଣୀ ତାଙ୍କ ପାଖରେ ପହଞ୍ଚୁଥିଲା । ସେଥିପାଇଁ କୌଣସି ପ୍ରକାର ଭୁଲର ଆଶଙ୍କା ତାଙ୍କର ହୋଇନଥିଲା ।

ଜୁଲାଇ, ୨୦୨୪ରେ ଶାହଙ୍କ ଭ୍ରମ ଦୂର ହୋଇଗଲା । ଗ୍ଲୋବ୍ କ୍ୟାପିଟାଲର ରିସ୍କ ମ୍ୟାନେଜମେଣ୍ଟ୍ ବିଭାଗରୁ ତାଙ୍କ ପାଖକୁ ହଠାତ୍ ଏକ ଫୋନ୍ କଲ୍ ଆସିଲା । କୁହାଗଲା ଯେ ‘ଆପଣ ଓ ଆପଣଙ୍କ ପତ୍ନୀଙ୍କ ଆକାଉଣ୍ଟରେ ୩୫ କୋଟି ଟଙ୍କାର ଡେବିଟ୍ ବାଲାନ୍ସ ହୋଇଛି । ତୁରନ୍ତ ଟଙ୍କା ପୈଠ କରିବାକୁ ପଡ଼ିବ, ନଚେତ୍ ଆପଣଙ୍କ ଶେୟାର୍ ବିକ୍ରି ହୋଇଯିବ । ଶାହ ଯେତେବେଳେ କମ୍ପାନିକୁ ଗଲେ, ତାଙ୍କ ଅଜାଣତରେ ଏକ ବଡ଼ ଧରଣର ଟ୍ରେଡିଂ ହୋଇଥିବା କୁହାଗଲା । ଅନେକ କୋଟି ମୂଲ୍ୟର ଶେୟାର ବିକ୍ରି ହୋଇଥିଲା ଏବଂ ଅସଂଖ୍ୟ ‘ସର୍କୁଲାର ଟ୍ରେଡ୍’ (ସମାନ ପକ୍ଷ ସହିତ କରାଯାଇଥିବା ନେଣଦେଣ) ଆକାଉଣ୍ଟକୁ ଋଣରେ ବୁଡ଼ାଇଥିଲା । ବଳକା ସମ୍ପତ୍ତି ହରାଇବାର ଧମକ ଶୁଣି ଶାହ ଅନିଚ୍ଛା ସତ୍ତେ୍ୱ ବାକି ଶେୟାର ବିକ୍ରି କରିଦେଲେ ଏବଂ ୩୫ କୋଟି ଋଣ ପରିଶୋଧ କଲେ । ବଳକା ଶେୟାରଗୁଡ଼ିକୁ ସେ ଏକ ଭିନ୍ନ କମ୍ପାନିକୁ ସ୍ଥାନାନ୍ତର କଲେ ।

ପରେ ସେ ଜାଣିବାକୁ ପାଇଲେ, ନ୍ୟାସ୍ନାଲ ଷ୍ଟକ୍ ଏକ୍ସଚେଞ୍ଜ୍ରୁ କମ୍ପାନିକୁ ଏକାଧିକ ନୋଟିସ୍ ଯାଇଥିଲା । ତାଙ୍କ ନାଁ ବ୍ୟବହାର କରି କମ୍ପାନି ନୋଟିସଗୁଡ଼ିକର ଜବାଦ ଦେଇଥିଲା । କିନ୍ତୁ ତାଙ୍କୁ ଏ ବିଷୟରେ ଆଦୌ ସୂଚନା ଦିଆଯାଇନଥିବା ଶାହ କରିଛନ୍ତି । ପ୍ରକୃତ ଟ୍ରେଡିଂ ଇତିହାସ ସମ୍ପୂର୍ଣ୍ଣ ଭିନ୍ନ ଥିଲା । ୪ ବର୍ଷ ଧରି କମ୍ପାନି ଶାହଙ୍କୁ ମିଛ ଚିତ୍ର ଦେଖାଇଥିଲା । ଶାହ ଏହାକୁ ସଂଗଠିତ ଆର୍ଥିକ ଠକେଇ ବୋଲି କହିଛନ୍ତି । ଭନରାଇ ଥାନାରେ ସେ ଏ ନେଇ ମାମଲା ରୁଜୁ କରିଛନ୍ତି ।