ଏସସିବିରେ ମିଳିଲାନି ଅକ୍ସିଜେନ, ଆଖି ବୁଜିଲେ ବୃଦ୍ଧ

କଟକ, ୨୪।୧ ଏସସିବି ମେଡିକାଲ ମେଡିସିନ ବିଭାଗରେ ଜଣେ ବୃଦ୍ଧଙ୍କୁ ଚିକିତ୍ସାରେ ଅକ୍ସିଜେନ ନ ମିଳିବାରୁ ତାଙ୍କର ମୃତ୍ୟୁ ଘଟିଛି। ମୃତ ରୋଗୀଙ୍କ ନାମ ଭାଗବତ ମହାନ୍ତି(୮୧)। ତାଙ୍କ ଘର ବାଲେଶ୍ଵର ଜିଲ୍ଲା ବର୍ତିଖୁଣ୍ଟା ବଡ଼ଗାଁ ଅଞ୍ଚଳରେ। ଅକ୍ସିଜେନ ନପାଇ ରୋଗୀ ମୃତ୍ୟୁ ଘଟିବା ପରି ଅଭାବନୀୟ ଘଟଣାକୁ ନେଇ ଏସସିବିରେ ଅନ୍ୟ ରୋଗୀ ସମ୍ପର୍କୀୟଙ୍କ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି।
ବାଲେଶ୍ଵର ଅଞ୍ଚଳର ଭାଗବତ ମହାନ୍ତିଙ୍କ ଛାତିରେ ସୋମବାର ଗଭୀର ଯନ୍ତ୍ରଣା ହେବା ସାଙ୍ଗକୁ ପରିଶ୍ରାରେ ସମସ୍ୟା ହେବାରୁ ସ୍ଥାନୀୟ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରୁ ସେ ସ୍ଥାନାନ୍ତର ହୋଇ ଏସସିବି ଡାକ୍ତରଖାନା ଆସିଥିଲେ। ଆଶୁ ଚିକିତ୍ସାକେନ୍ଦ୍ରରେ ତାଙ୍କୁ ଅକ୍ସିଜେନ ସହାୟତାରେ ପ୍ରାଥମିକ ଚିକିତ୍ସା ମିଳିବା ପରେ ମେଡ଼ିସିନ ବିଭାଗ ୱାର୍ଡକୁ ସ୍ଥାନାନ୍ତର କରାଯାଇଥିଲା। ତେବେ ସମ୍ପୃକ୍ତ ବୃଦ୍ଧ ରୋଗୀଙ୍କୁ ସ୍ଥାନାନ୍ତର କରିବା ସମୟରେ କର୍ମଚାରୀ ତାଙ୍କ ମୁହଁରୁ ଅକ୍ସିଜେନ ଖୋଲି ଦେଇଥିଲେ। ମେଡିସିନ ବିଭାଗରେ ଅକ୍ସିଜେନ ସୁବିଧା ରହିଛି, ସେଠାରେ ହିଁ ରୋଗୀଙ୍କୁ ଉକ୍ତ ସୁବିଧା ଯୋଗାଇ ଦିଆଯିବ ବୋଲି କହିଥିଲେ। ବିନା ଅକ୍ସିଜେନରେ ମେଡିସିନ ଓ୍ବାର୍ଡ କୁ ରୋଗୀଙ୍କୁ ପଠାଇବା ମଧ୍ୟରେ ରୋଗୀ ଅଧିକ ଅସୁସ୍ଥ ଅନୁଭଵ କରିଥିଲେ। ଓ୍ବାର୍ଡରେ ଦୀର୍ଘ ଦୁଇ ଘଣ୍ଟା କାଳ ପଡି ରହିଥିଲେ ସୁଦ୍ଧା ଅକ୍ସିଜେନ ମିଳିନଥିଲା। ଅକ୍ସିଜେନ ନ ମିଳିବାରୁ ରୋଗୀ ମୃତ୍ୟୁ ହୋଇଥିବା ପରିବାର ଲୋକ ଅଭିଯୋଗ କରିବା ପରେ ଘଟଣାକୁ ପ୍ରଶାସନିକ ସ୍ତରରେ ଚପାଇ ଦେବାକୁ ଉଦ୍ୟମ ଚାଲିଛି।