​​​​​​​ବଡବିଲ, ୧୨।୩  :କେନ୍ଦୁଝର ଜିଲ୍ଲା ଚମ୍ପୁଆ ଥାନା  ଅଞ୍ଚଳରେ ଘଟିଛି ଏକ ଅଭାବନୀୟ ଘଟଣା।ସାମାନ୍ୟ କଥାକୁ ନେଇ ବୃଦ୍ଧାଙ୍କୁ ଠେଙ୍ଗାରେ ପିଟି ପିଟି ମାରିଦେଲା ବୃଦ୍ଧା। ମୃତ ବୃଦ୍ଧା ଜଣକ ହେଲେ ୯୦ ବର୍ଷିୟା ସୋମବାରୀ ସର୍ଦ୍ଦାର ।ଏହି ଘଟଣାରେ ଜଡିତ ୬୫ ବର୍ଷିୟା ବୃଦ୍ଧାଙ୍କୁ ପୋଲିସ୍ ଗିରଫ କରିଛି। ଶିରପୁର ଗାଁରେ ଗତ ରାତିରେ ଏହି ଦୁଃଖଦ ଘଟଣା ଘଟିଛି ।

ସୂଚନା ଅନୁସାରେ, ସୋମବାରୀ ସର୍ଦ୍ଦାର ଓ ଅନ୍ୟ ଜଣେ ୬୫ ବର୍ଷିୟା ବୃଦ୍ଧାଙ୍କ ମଧ୍ୟରେ  କିଛି କଥା କଟାକଟି ହୋଇଥିଲା। ସେ ସମୟରେ ଉଭୟେ ହାଣ୍ଡିଆ ପିଇ ନିଶାଗ୍ରସ୍ତ ଥିବା କୁହାଯାଉଛି। କଥା କଟାକଟି ତୀବ୍ର ହେବା ପରେ ଅଭିଯୁକ୍ତ ବୃଦ୍ଧା ଠେଙ୍ଗାରେ ସୋମବାରୀ ସର୍ଦ୍ଦାରଙ୍କ ମୁଣ୍ଡକୁ ମାଡ଼ ମାରିବା ଫଳରେ  ଗୁରୁତର ଆହତ ହୋଇ ପଡ଼ିରହିଥିଲେ  । ଗୁରୁବାର ସକାଳୁ ସ୍ଥାନୀୟ ଲୋକେ ଘଟଣା ଜାଣିବା ପରେ ମୂମୂର୍ଷ ଅବସ୍ଥାରେ ତାଙ୍କୁ ଉଦ୍ଧାର କରି ଚମ୍ପୁଆ ମେଡିକାଲ୍ ପଠାଇଥିଲେ । ତେବେ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ କେନ୍ଦୁଝର ସ୍ଥାନାନ୍ତର କରାଯାଉଥିବାବେଳେ, ବାଟରେ ସୋମବାରୀ ସର୍ଦ୍ଦାରଙ୍କ ମୃତ୍ୟୁ ଘଟିଥିଲା। ଖବର ପାଇ ଚମ୍ପୁଆ ପୋଲିସ୍ ଅଭିଯୁକ୍ତ ବୃଦ୍ଧାଙ୍କୁ ଗିରଫ କରିବା ସହିତ ଘଟଣାରେ ବ୍ୟବହୃତ ଠେଙ୍ଗାକୁ ଜବତ କରିଛି। ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଯାଇଥିବାବେଳେ ଘଟଣାକୁ ନେଇ ଚମ୍ପୁଆ ପୋଲିସ୍ ଅଧିକ ତଦନ୍ତ ଜାରି ରଖିଛି।

​​​​​​​ଆହୁରି ପଢନ୍ତୁ : ରାଜଧାନୀରେ ପୁଣି ବୁଲିଲା ଖଣ୍ଡା, ଗୌତମ ନଗର ବସ୍ତିରେ ଖେଳାଇଲେ ଆତଙ୍କ